ଭିସୁଟରେ ‘ମୋ ସାହିତ୍ୟରେ, ମୋ ସ୍ୱପ୍ନର ଓଡିଶା’
ସମ୍ବଲପୁର : ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ) ର ଲିଟରାରୀ ସୋସାଇଟି ଆନୁକୂଲ୍ୟରେ ‘ମୋ ସାହିତ୍ୟରେ, ମୋ ସ୍ୱପ୍ନର ଓଡିଶା’ ଶୀର୍ଷକ ବକ୍ତୃତା ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଆ ଭାଷା ପ୍ରବକ୍ତା, ସାହିତି୍ୟକ ଓ ଗବେଷକ ପଦ୍ମଶ୍ରୀ ପଣ୍ଡିତ ଡ଼. ଅନ୍ତର୍ଯାମୀ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ଡ଼. ମିଶ୍ର ଓଡ଼ିଆ ସାହିତ୍ୟର ଗଭୀରତା, ଆତ୍ମା ଓ ସଂସ୍କୃତିକ ମୂଲ୍ୟ ବିଷୟରେ ତାଙ୍କର ଦୃଢ ଦୃଷ୍ଟିକୋଣ ଓ ଅନୁଭୂତି ସହ ବିସ୍ତୃତ ଭାବେ ଉପସ୍ଥାପନା କରିଥିଲେ । ମୋ ସାହିତ୍ୟରେ ମୋ ସ୍ୱପ୍ନର ଓଡ଼ିଶା କେବଳ ଏକ ଅଭିବ୍ୟକ୍ତି ନୁହେଁ, ଏହା ଓଡ଼ିଶାର ଭବିଷ୍ୟତ ଆଧାରିତ ଦୃଷ୍ଟିକୋଣ, ଯାହା ଭାଷା ଓ ସାହିତ୍ୟ ମାଧ୍ୟମରେ ଗଢ଼ିଉଠିଥିବା ଏକ ଓଡ଼ିଶା ରୂପରେ ପ୍ରକାଶିତ ହୋଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ସିଡିସିସି ଡିନ୍, ପ୍ର. ଡ.ଗଣେଶ୍ୱର ନାଥ ନିଜ ସ୍ୱାଗତ ସଂଭାଷଣରେ କାର୍ଯ୍ୟକ୍ରମର ଗୁରୁତ୍ୱ ବିଷୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ଡ଼.ଦୀପକ କୁମାର ସାହୁ, ଡ଼. ମିଶ୍ରଙ୍କ ସାହିତ୍ୟ ଓ ଭାଷା ପ୍ରତି ଅନୁପମ ଅବଦାନ ପ୍ରତି ବିଶେଷ ଶ୍ରଦ୍ଧା ଓ କୃତଜ୍ଞତା ଜଣାଇଥିଲେ । ବିଶ୍ୱବିଦ୍ୟାଳୟର କୂଳସଚିବ ପ୍ରଦୀପ କୁମାର ଡାଙ୍ଗ୍ ଓଡ଼ିଆ ସାହିତ୍ୟ ଓ ପରମ୍ପରା, ଗରିମା ସମ୍ପର୍କରେ ଆଲୋକପାତ କରିଥିଲେ । ଭିସୁଟ ଲିଟରାରୀ ସୋସାଇଟିର ଉପଦେଷ୍ଠା ଡ଼. ଦେବସ୍ମିତା ମିଶ୍ର ସଭା ସଂଯୋଜନା କରିଥିଲେ । ଏହି ଅବସରରେ ଲିଟରାରୀ ସୋସାଇଟି ପକ୍ଷରୁ ଡ଼. ଅନ୍ତର୍ୟାମୀ ମିଶ୍ରଙ୍କୁ ଲିଟେରାରୀ ଲରିଏଟ୍ ଅଫ୍ ଓଡିଶା ର ସମ୍ମାନ ପ୍ରଦାନ କରାଯାଇଥିଲା ।