ହାତ ମାରିଲେ ଉଠିଯାଉଛି ପିଚୁ : ନିମ୍ନମାନର କାର୍ଯ୍ୟକୁ ନେଇ ବଢୁଛି ଅସନ୍ତୋଷ
ନବରଙ୍ଗପୁର/ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସ୍ଥିତ ଫୁଲଝରି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମୁଖ୍ୟ କେନାଲ ରାସ୍ତା ପ୍ରଶସ୍ତିକରଣ ମାସକ ତଳେ ଆରମ୍ଭ ହୋଇଥିଲା । ହଳଦୀଗାଁରୁ ଭାଟିପଡା ପର୍ଯ୍ୟନ୍ତ ଲମ୍ବିଥିବା ଏହି ରାସ୍ତାରେ ସପ୍ତାହେ ତଳେ ପିଚୁ ପଡ଼ିଥିଲା । ବର୍ତ୍ତମାନ ରାସ୍ତାରେ ହାତ ମାରିଲେ ଖଣ୍ଡ ଖଣ୍ଡ ହୋଇ ପିଚୁ ଉଠିଯାଉଛି । ତେଣୁ ରାସ୍ତାର ମାନକୁ ନେଇ ପ୍ରଶ୍ନ ଉଠିବା ସହ ପିଚୁ ଉଠିବା ଭିଡିଓ ଭାଇରାଲ ହୋଇଛି । ବହୁଦିନ ଧରି ଏହି କେନାଲ ରାସ୍ତା ନିର୍ମାଣ ହେଉନଥିଲା । ସ୍ଥାନୀୟ ଲୋକେ ବାରମ୍ବାର ଦାବି କରିବା ପରେ କ୍ଷୁଦ୍ର ଜଳସେଚନ ପକ୍ଷରୁ ରାସ୍ତା ପ୍ରଶସ୍ତିକରଣ ପାଇଁ ଟେଣ୍ଡର ହୋଇଥିଲା । କୋଟିଏ ଟଙ୍କାରେ ରାସ୍ତା ନିର୍ମାଣ ହେଉଥିବାବେଳେ ନିମ୍ନମାନର କାମ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଲୋକଙ୍କ ଅଭିଯୋଗ ଶୁଣିବା ପରେ କଂଗ୍ରେସ ନେତା ତଥା ଆଇନଜୀବୀ କ୍ଷେମରାଜ ବାଘ ରାସ୍ତା କାମ ବୁଲି ଦେଖିଥିଲେ । ପୂର୍ବରୁ ରହିଥିବା ରାସ୍ତା ଉପରେ ହିଁ ପିଚୁ ଢଳେଇ କରାଯାଇଥିବା ଦେଖିଥିଲେ । ହାତ ମାରିଲେ ପିଚୁ ଆପେ ଆପେ ବାହାରି ଯାଉଥିବାରୁ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଭାଗୀୟ ଯନ୍ତ୍ରୀଙ୍କୁ ତୁରନ୍ତ ନିଲମ୍ବନ କରିବା ସହ ସଂପୃକ୍ତ ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରିବାକୁ ଶ୍ରୀ ବାଘ ଦାବି କରିଛନ୍ତି । ନଚେତ୍ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏ ନେଇ ନବରଙ୍ଗପୁର କ୍ଷୁଦ୍ର ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ଭାଇରାଲ ଭିଡିଓ ସେ ଦେଖିଛନ୍ତି । କାମ ବନ୍ଦ କରାଯାଇଛି, ନିମ୍ନମାନର କାମ ହୋଇଥିଲେ ଠିକାଦାରଙ୍କ ବିଲ୍ ପାସ୍ କରାଯିବ ନାହିଁ । କନିଷ୍ଠ ଯନ୍ତ୍ରୀଙ୍କୁ ରାସ୍ତା ପ୍ରଶସ୍ତିକରଣ କାମର ତଦାରଖ କରି ରିପୋର୍ଟ ଦେବାକୁ ନିଦେ୍ର୍ଦଶ ଦିଆଯାଇଛି । ଠିକାସଂସ୍ଥା ହୋଇଥିବା ଚୁକ୍ତି ଅନୁସାରେ କାମ କରିବାକୁ ପଡ଼ିବ । ବ୍ୟତିକ୍ରମ ହୋଇଥିଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।