ବଢୁଛି ବେଆଇନ୍ ବାଲି ଚାଲାଣ
ଓଡାପଡା : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବଣିଆପଡା ଗ୍ରାମର ଶତାଧିକ ମହିଳା ଓ ପୁରୁଷମାନେ ବେଆଇନ ବାଲି ଚୋରା ଚାଲାଣ ବନ୍ଦ ପାଇଁ ଓଡପଡା ତହସିଲଦାର ଓ ଓଡ଼ାପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ବଣିଆପଡା ଗ୍ରାମର ବ୍ରାହ୍ମଣୀ ନଦୀ ପଠାରୁ ଦୈନିକ ହଜାର ହଜାର ଟନ୍ର ବାଲି ହାଇୱା ଗାଡ଼ିରେ ଚୋରା ଚାଲାଣ ସହିତ ଶହ ଶହ ହାଇୱା ଗାଡ଼ି ଗାଁ ରାସ୍ତା ଦେଇ ଯିବା ଆସିବା ଫଳରେ କଂକ୍ରିଟି ରାସ୍ତା ସବୁ ଭାଙ୍ଗି ନଷ୍ଟ ହେବା ସହ ରାସ୍ତାଟି ଆଣ୍ଠୁଏ ଗଭୀରର ଖାଲ ହୋଇଯାଇଛି । ଏମିତିକି ଗ୍ରାମକୁ ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ଛୋଟ ଛୋଟ ଛୁଆ ପାଠ ପଢିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଲଖମା ରାସ୍ତା ପାଇଁ ଠିକ୍ ସମୟରେ ଆମ୍ବୁଲାନ୍ସ ଗାଁରେ ପହଞ୍ଚôପାରୁ ନ ଥିବାରୁ ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଗ୍ରାମରେ ଭାରୀଯାନ ଯାତାୟାତ ଯୋଗୁ ବୃଦ୍ଧବୃଦ୍ଧାମାନେ ରାସ୍ତାକୁ ଆସିବାକୁ ସୁରକ୍ଷିତ ମଣୁନାହାନ୍ତି । ଏହିପରି ଗାଡ଼ି ଚଳାଚଳକୁ ପ୍ରତିବାଦ କରି ଗ୍ରାମବାସୀମାନେ ଗ୍ରାମ ରାସ୍ତାକୁ ଅବରୋଧ କରିଥିଲେ ମଧ୍ୟ ଗାଡ଼ି ଚଳାଚଳ ଏପର୍ଯ୍ୟନ୍ତ ବନ୍ଦ ହୋଇନଥିବାରୁ ଗ୍ରାମବାସୀମାନେ ଓଡ଼ାପଡ଼ା ତହସିଲଦାରଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଯଦି ଯଥାଶୀଘ୍ର ଏହି ସମସ୍ୟାର ସାମଧାନ ନ ହୁଏ, ତାହାଲେ ଏହା ଜନ ଆନେ୍ଦାଳନରେ ପରିଣତ ହେବ ବୋଲି ଗ୍ରାମବାସୀମାନେ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି ।ଓଡ଼ାପଡ଼ା ତହସିଲ ଅଞ୍ଚଳରେ ଅନେକ ବେଆଇନ ବାଲି ଘାଟ ଚାଲୁ ଥିବାବେଳେ କିଛି ବାଲି ଘାଟକୁ ଖଣିଜ ବିଭାଗର ଅନୁମତି ମିଳିଥିଲେ ମଧ୍ୟ ବିନା ଟ୍ରାଞ୍ଜିଟ ପାସ୍ରେ ଶହ ଶହ ଟ୍ରିପ ଚୋରା ବାଲି ଚାଲାଣ ଉପରେ ନା ତହସିଲଦାରଙ୍କ ନଜର ପଡୁଛି ନା ଜିଲ୍ଲା ଖଣିଜ ଅଧିକାରୀ ଏହାର ତଦନ୍ତ କରୁଛନ୍ତି ।ଏହିପରି ସରକାରୀ ରାଜସ୍ୱ ଫାଙ୍କି ବାଲିମାଫିଆ ମାଲେ ମାଲ୍ ହେଉଥିବାବେଳେ ସ୍ଥାନୀୟ ତହସିଲ ବାବୁମାନେ ଜାଣିଶୁଣି ଚୁପ୍ ହୋଇ ବସିବାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି ।