ଉନ୍ନତିମୂଳକ କାର୍ଯ୍ୟକ୍ରମର ଲୋକାର୍ପଣ ଉତ୍ସବ

 ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଆଭାସୀ ଜରିଆରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ଲୋକାର୍ପଣ ଓ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ନୂତନ ବସ୍ଷ୍ଟାଣ୍ଡ ବସ୍ତା ଠାରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାଲେଶ୍ୱରର ସାଂସଦ  ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ସୁଧାକର ନାୟକ, ଆରଟିଓ ରଶ୍ମୀରଞ୍ଜନ ଦଳ ବେହେରା, ବିଜେପି ଜିଲ୍ଲା ସଭାପତି, ସ୍ଥାନୀୟ ବିଡିଓ, ତହସିଲଦାର, ସମାଜସେବୀ ରବୀନ୍ଦ୍ର ଅଣ୍ଡିଆ ବସ୍ତା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳର ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ଆରଟିଓ କର୍ମକର୍ତ୍ତା, ଓଏସଆରଟିସି କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନାୟକ ବରେଣ୍ୟ ଅତିଥିମାନଙ୍କ ପରିଚୟ ଏବଂ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ବକ୍ତବ୍ୟ ରଖିଥିଲେ । ଏହି ଉତ୍ସବର ମୁଖ୍ୟଅତିଥି ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓଡ଼ିଶାର ପ୍ରଗତି ଓ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି, ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ବିକାଶ, ଉନ୍ନତି ପାଇଁ ଲୋକମାନଙ୍କର ମୁଖ୍ୟମନ୍ତ୍ରୀଙ୍କ ସରକାର ଦ୍ରୁତ ଗତିରେ ଅଗ୍ରଗତି ପଥେ ଆଗେଇବା ଉପରେ ନିଜର ବକ୍ତବ୍ୟ ରଖିଥିଲେ ।  ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମ ଅନୁସାରେ ଅଟଳ ବସଷ୍ଟାଣ୍ଡକୁ ଲୋକାର୍ପଣ କରାଯାଇଥିଲା । ଏହି ଷ୍ଟାଣ୍ଡଟି ୩କୋଟି ଟଙ୍କା ବ୍ୟୟରେ ନିର୍ମିତ କୋଠାକୁ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଶୁଭ ଉଦ୍ଘାଟନ କରିଥିଲେ ।