ରାସ୍ତା ଅସ୍ତା ଜରାଜୀର୍ଣ୍ଣ, ହନ୍ତସନ୍ତ ପଥିକ
ଭଣ୍ଡାରିପୋଖରୀରୁ ରାଜେନ୍ଦ୍ର ଶତପଥୀ :
ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ବ୍ୟସ୍ତବହୁଳ ପଥ ଭାବେ ଛତାବର -ନିଳୋକ ପୂର୍ତ୍ତ ବିଭାଗ ରାସ୍ତା ଏବେ ଜରାଜୀର୍ଣ୍ଣ । ହନ୍ତସନ୍ତ ହେଉଛନ୍ତି ପଥିକ । ଛତାବର ଠାରୁ ମଞ୍ଜୁରୀରୋଡ଼ ଯାଏଁ ରାସ୍ତାର ଦ÷ର୍ଘ୍ୟ ପ୍ରାୟ ୯କିମି ହୋଇଥିବା ବେଳେ ସେଠାରୁ ନିଳୋକ ଛକ ଯାଏଁ ରାସ୍ତାଟି ୭କିମି ଲମ୍ବିଛି । ରାତିପାହିଲେ ଏହି ରାସ୍ତା ଦେଇ ନାଆମୀ, ସାନଶାସନ, ରାଜେନ୍ଦ୍ରପୁର, ବନ୍ଦାଳୋ -ମଢ଼ିଆଳୀ, ଝୁଟୁଣା, ତେସିଙ୍ଗା, ନେରଡ଼ା ପ୍ରମୁଖ ପଞ୍ଚାୟତର ଶହ ଶହ ଲୋକ ଭଣ୍ଡାରିପୋଖରୀ ଆସିଥାନ୍ତି । ଏହାଛଡା ପଡୋଶୀ ବନ୍ତ ବ୍ଲକ ସମେତ କେନ୍ଦୁଝର ଜିଲ୍ଲାର ଅଧିକାଂଶ ଜନସାଧାରଣ ଏହି ପଥ ଅତିକ୍ରମ କରି ଯାଜପୁର ଓ ଭଦ୍ରକ ସହରକୁ ଯାଇଥାନ୍ତି । ଏହାଛଡା ନିକଟ ହେଉଥିବାରୁ ପଡୋଶୀ ଜିଲ୍ଲା ଲୋକେ ଛତାବର ସ୍ଥିତ ଜାତୀୟ ରାଜପଥକୁ ଆସି କଟକ ଭୁବନେଶ୍ୱର ମଧ୍ୟ ଯାଇଥାନ୍ତି ।
ସୁତରାଂ ରାସ୍ତାର ନବୀକରଣ କାର୍ଯ୍ୟ ଅର୍ନିାର୍ଯ୍ୟ ହୋଇପଡିଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହାକୁ ପ୍ରଥମେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିଥିଲା । କିଛିଦିନ ଲୋକେ ସୁରୁଖୁରୁରେ ଯାତାୟତ କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ରାସ୍ତା ଅବସ୍ଥା ଜରାଜୀର୍ଣ୍ଣ ହୋଇ ପଡିଥିଲା । ତେଣୁ ରାସ୍ତାକୁ ନୂଆରୂପ ଦେବା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ସରକାର ଏହାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତରୁ ପୂର୍ତ୍ତ ବିଭାଗ ହାତକୁ ହସ୍ତାନ୍ତର କରିଥିଲେ । ପୂର୍ତ୍ତ ବିଭାଗ କିଛିଦିନ ତାଳି ପକା କାମ କରି ଠିକାଦାର ପୋଷଣ କରିଥିବା ବେଳେ ପରବର୍ତ୍ତୀ ସମୟରେ ରାସ୍ତା ନବୀକରଣ ପାଇଁ ଟେଣ୍ଡର ଆହ୍ୱାନ ହୋଇଥିଲା । ୧୬କିମି ରାସ୍ତା ପାଇଁ ପ୍ରାୟ ୨୫କୋଟି ଟଙ୍କା ବ୍ୟୟ ବରାଦ ହୋଇ ଟେଣ୍ଡର ଡକାଯାଇଥିବା ବେଳେ ଯାଜପୁର ଜିଲ୍ଲାର ଜନୈକ ଠିକାସଂସ୍ଥା ନିୟମ ଅନୁଯାୟୀ କାମ ପାଇଥିଲା । ଦୁଇ ଲାଇନ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ଦୁଇବର୍ଷ ସମୟ ଧାର୍ଯ୍ୟ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ୫୦ଭାଗ କାମ ସମ୍ପୂର୍ଣ୍ଣ ହୋଇନାହିଁ । କିଛି ଜାଗାରେ କେଇମିଟର ପିଚୁ ଓ କଂକ୍ରିଟ ନିର୍ମାଣରେ କାମ ସୀମିତ ରହିଛି । ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ଜଳ ନିଷ୍କାସନ ପାଇଁ ଏବେ ବି ସୁଦ୍ଧା କର୍ଲଭର୍ଟ ମାନ ନିର୍ମାଣ ହୋଇପାରିନାହିଁ । ଡଷ୍ଟ, ମେଣ୍ଟାଲ ଓ ବଜୁରୀ ବିଛାରେ ରାସ୍ତା କାମ ସରିଯାଇଥିବା ଭଳି ମନେ ହେଉଛି । ନବୀକରଣ ପାଇଁ ବିଭିନ୍ନ ଗ୍ରାମ୍ୟ ବଜାରର ଗରୀବ ବ୍ୟବସାୟୀ ମାନଙ୍କୁ ଉଛେଦ କରାଯାଇଥିବା ବେଳେ ଶହ ଶହ ବୃକ୍ଷ ମଧ୍ୟ କଟାଯାଇଥିଲା । ଲୋକଙ୍କ ଆଶା ଥିଲା ଯଥାଶୀଘ୍ର ରାସ୍ତା ନିର୍ମାଣ ହେଲେ ଯାତାୟତ ଦୁଃଖ ଅପସରିଯିବ । ପରିତାପର ବିଷୟ ବିଭାଗୀୟ ଯନ୍ତ୍ରୀ ଓ ଠିକାସଂସ୍ଥାର ସମନ୍ୱୟ ଅଭାବରୁ ରାସ୍ତା କାର୍ଯ୍ୟ ଆଗେଇ ପାରୁନାହିଁ । ଏପରିକି ଜଣେ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ରାସ୍ତା କାର୍ଯ୍ୟ ତଦାରଖ ପାଇଁ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ନିର୍ଦେଶ ଦେଇଥିଲେ ସୁଦ୍ଧା ସେ ଏଥିରେ କିନ୍ତୁ ଫେଲ ମାରିଛନ୍ତି । ଫଳରେ ଲୋକେ ଯାତାୟତ ପାଇଁ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କଚ୍ଛପ ଗତିରେ ·ଲୁଥିବା ରାସ୍ତା କାମକୁ ନେଇ ଆଗାମୀ ଦିନରେ ଏକ ଜନ ଆନେ୍ଦାଳନ ମୁଣ୍ଡ ଟେକିବ ବୋଲି ଆଲୋଚନା ହେଉଛି । ଏବିଷୟରେ ଜାଣିବା ପାଇ ବିଭାଗର ସହକାରୀ ର୍ନିବାହୀ ଯନ୍ତ୍ରୀଙ୍କ ମତାମତ ଲୋଡ଼ାଯାଇଥିଲେ ସୁଦ୍ଧା କୌଣସି ଉତ୍ତର ମିଳି ପାରିନାହିଁ ।