ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦାବି
ରାଜନଗର : ରାଜନଗର ବ୍ଲକ ହଂସୁଆ ସେତୁ ନିକଟ ତ୍ରିନାଥ ବଜାରସ୍ଥିତ ପୂର୍ତ ବିଭାଗ ଡାକଙ୍ଗଳା ପରିସରରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିଦେ୍ର୍ଦଶକ ଅରୁଣକୁମାର ସାହୁଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ବିହନ, ସାର, ଔଷଧ ବିନା ମୂଲ୍ୟରେ ପ୍ରଦାନ, ଚଳିତବର୍ଷ ଖରିଫ ଚାଷ ପାଇଁ ସମବାୟ ସମିତିରୁ ନେଇଥିବା ଋଣଛାଡ, କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ବୀମା ରାଶି ପ୍ରଦାନ ଓ ଚାଷୀଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ ପାଇଁ ସରକାରଙ୍କ ନିକଟରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦାବୀ କରାଯାଇଥିଲା । ଚଳିତବର୍ଷ ଧାନତଳି ପ୍ରସ୍ତୁତ ସମୟରେ ମାସାଧିକ କାଳ ଲଗାଣବର୍ଷା ଲାଗି ରହିବାରୁ ଚାଷୀଟି ତିନିଥର ବିହନ ଚଢାଦରରେ କିଣି ତଳି ପକାଇଥିଲା । ବନ୍ୟା ଆସି ଧାନତଳି ସଂପୂର୍ଣ୍ଣ ନଷ୍ଟ କରି ଦେଇଛି । ଏପରିକି ପନିପରିବା ଚାଷ ମଧ୍ୟ ଉଜୁଡି ଯାଇଛି । ଧୋୟାଂଚଳ କଥା ଛାଡ ଭେଡାଂଚଳରେ ମଧ୍ୟ ପନିପରିବା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବନ୍ୟା ଯୋଗୁଁ ଗାଁଗୁଡିକ ପାଣି ଘେର ଭିତରେ ରହିବା ଦ୍ୱାରା ଗାଈଗୋରୁଙ୍କ ପାଇଁ ଖାଦ୍ୟାଭାବ ଦେଖାଦେଲା । ସରକାର ଯାହା କିଛି ଗୋ-ଖାଦ୍ୟ ଯୋଗାଇ ଦେଲେ, ତାହା ବଂଟାନଯାଇ ପଚାଂୟତ କାର୍ଯ୍ୟାଳୟରେ ପଡି ରହିଥିବା ଅଭିଯୋଗ କରିଛନ୍ତି । ବନ୍ୟା ପ୍ରଭାବିତ ବନ୍ଧପଡା, ଓସ୍ତିଆ, ବେଲପାଳ, ରାଜପୁର, କେରଡାଗଡ ପ୍ରଭୃତି ପଚାଂୟତ ସହ ପଟ୍ଟାମୁଣ୍ଡାଇ ବ୍ଲକର ୧୪ଟି ପଚାଂୟତର ଚାଷୀମାନଙ୍କୁ ସରକାର ତୁରନ୍ତ ସହାୟତା ଯୋଗାଇ ନଦେଲେ ଆଗାମୀ ଦିନରେ ଆନେ୍ଦାଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।