ସହରରେ ବଢୁଛି ଚୋରି ଓ ରାହାଜାନି ; ନିରବଦ୍ରଷ୍ଟା ପ୍ରଶାସନ
ତାଳଚେର: ଶିଳ୍ପନଗରୀ ତାଳଚେର ସହରରେ ଦିନକୁ ଦିନ ଚୋରି, ଡକାୟତି, ରାହାଜାନି, ଛିନତାଇ ଘଟଣାମାନ ବୃଦ୍ଧି ପାଉଥିବାବେଳେ ପୁଲିସ ନିରବଦ୍ରଷ୍ଟା ସାଜିଛି । ଗତ କିଛିଦିନ ତଳେ ତାଳଚେର ଟାଉନ ଥାନାରେ ୧୦ମାସରେ ଏକ ହଜାର କେସ୍ ହୋଇଥିବା ଘଟଣା ଗଣମାଧ୍ୟରେ ପ୍ରକାଶ ପାଇଥିବାବେଳେ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏକ ଘରୋଇ ବସ୍ରେ ଜୈନିକା ଯୁବତୀ ଝରକା କଡ଼ରେ ବସି ଫୋନରେ କାହା ସହିତ କଥାବର୍ତ୍ତା ହେଉଥିବାବେଳେ ଖୋଦ୍ ଜନଗହଳି ବାଇପାସ୍ ଛକର ଟ୍ରାଫିକ୍ ନିକଟରେ ଜଣେ ଦୁର୍ବୃତ୍ତ ତାଙ୍କ ଠାରୁ ମୋବାଇଲଟି ଛଡ଼ାଇ ନେଇ ଆଖିପିଛୁଳାକେ ଛୁ’ ମାରିଥିବା ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି । ସେହିଭଳି ଗତକାଲିି ବାଘୁଆବୋଲ ଅଞ୍ଚଳର ପରେଶ ଜେନା ଡୁ୍ୟଟି ସାରି ରାତି ୮ଟା ବେଳେ ନିଜ ବାଇକ ଯୋଗେ ଶନିବାର ହାଟ ନିକଟସ୍ଥ ରେଲୱେ ଲାଇନ ଦେଇ ତାଙ୍କ ଘରକୁ ଫେରୁଥିବାବେଳେ ୪ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମରଣାତ୍ମକ ଆକ୍ରମଣ କରି ଲହୁଲୁହାଣ କରିବା ସହ ତାଙ୍କ ନିକଟରେ ଥିବା ମୋବାଇଲ ଛଡ଼ାଇ ନେବାକୁ ଉଦ୍ୟମ କରୁଥିଲେ । ସେହି ସମୟରେ ଶ୍ରୀ ଜେନା ପାଟିତୁଣ୍ଡ କରିବାରୁ ସ୍ଥାନୀୟ ଅଞ୍ଚଳ ଲୋକ ରୁଣ୍ଢ ହୋଇଯାଇଥିଲେ । ଏବଂ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ । ସେହି ବାଘୁଆବୋଲ ବାଇପାସ୍ ରାସ୍ତାରେ ଏଭଳି ବାରମ୍ବାର ଘଟଣା ଘଟୁଥିଲେ ମଧ୍ୟ ପୁଲିସ୍ କିପରି ଏହାର ଟେର ପାଉନାହିଁ ତାକୁ ନେଇ ଅଞ୍ଚଳବାସୀ ଆଶା ଆଶଙ୍କାରେ । ଏହା ପୂର୍ବରୁ ସେହି ରାସ୍ତା ନିକଟରେ ଏକ ପେଟ୍ରୋଲପମ୍ପ କର୍ମଚାରୀ ବାଇକ ଯୋଗେ ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ସେଠାରେ ଛପି ରହିଥିବା ଦୁର୍ବୃତ୍ତମାନେ ଉକ୍ତ ଟଙ୍କା ବ୍ୟାଗକୁ ନେଇ ଚମ୍ପଟ ମାରିଥିଲେ ଓ ତାଳଚେର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ତାର ଟେର ପାଇନଥିବା ଘଟଣା ୧୦ମାସରେ ଏକହଜାର କେସ୍ ହୋଇଥିବା ଘଟଣା ପୋଳିସ୍ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏତିକି ନୁହେଁ ସେହି ବାଘୁଆବୋଲ ଅଞ୍ଚଳରୁ ଗ୍ରୀଲ୍ଲକାଟି ଚୋରି, ଶନିବାର ହାଟରୁ ବାରମ୍ବାର ମୋବାଇଲ, ଏକାଧିକ ବାଇକ ଚୋରି ଓ ଲିଙ୍ଗରାଜ କୋଲକରିଡ଼ର ରାସ୍ତାରୁ ଟ୍ରକରୁ ବ୍ୟାଟେରୀ, ଡ଼ିଜେଲ, ଗାଡ଼ିଚାଳକଙ୍କ ଠାରୁ ମୋବାଇଲ ଟଙ୍କା ଚୋରି ହେଉଥିଲେ ମଧ୍ୟ ପୁଲିସ ଏ ପର୍ଯ୍ୟନ୍ତ ଚୋରକୁ ଧରିବାରେ ସକ୍ଷମ ହେଉନଥିବା ଅଭିଯୋଗ ହେଉଛି । ତେବେ ତାଳଚେର ଟାଉନ ଥାନାରେ ବିଭିନ୍ନ ଛୋଟମୋଟ ଘଟଣାରେ ଶହଶହ ବାଇକ ଜବତ କରି ଥାନା ପରିସରରେ ଗଦେଇ ରଖିବା ନିଜର ବାହାବାହା ପଣିଆ ଦର୍ଶାଉଥିବା ଘଟଣା ଦୁର୍ଭାଗ୍ୟଜନକ ବିଷୟ ହୋଇଛି ।