ବିଧାନସଭାରେ ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଦେଶାନ୍ତର ପ୍ରସଙ୍ଗ: ପଦକ୍ଷେପ ସମ୍ପର୍କରେ ପ୍ରଶ୍ନ ଉଠାଇଲେ ବିଧାୟକ

 ବାଲେଶ୍ୱର : ବାଂଲାଦେଶୀଙ୍କ ବେଆଇନ ଅନୁପ୍ରବେଶ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ବିଭିନ୍ନ ପ୍ରଦେଶରୁ ସେମାନଙ୍କୁ ଚିହ୍ନଟ ସହ ଦେଶାନ୍ତର କରିବା ନେଇ ଉଦ୍ୟମ ଆରମ୍ଭ ହୋଇଛି । ଏ କ୍ଷେତ୍ରରେ ଓଡିଶାରେ ଅଦ୍ୟାବଧି କେଉଁ ଜିଲ୍ଲାରେ କେତେ ବାଂଲାଦେଶୀ ଅନୁପ୍ରବେଶକାରୀ ରହିଛନ୍ତି  । ସେ ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ । ବାଂଲାଦେଶୀ ଚିହ୍ନଟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ପ୍ରକିୟା ବାବଦରେ ସେ ଜାଣିବାକୁ ଚାହିଁଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା କେତେ ଜଣ ବାଂଲାଦେଶୀଙ୍କ ନାମରେ ମାମଲା ଚାଲିଛି ବିଧାୟକ ଶ୍ରୀ ଦତ୍ତ ପଚାରିଥିଲେ  । ତେବେ ବାଲେଶ୍ୱର ସହର ଓ ଉପକଣ୍ଠ ଅଞ୍ଚଳରେ ସଂଖ୍ୟାଧିକ ବାଂଲାଦେଶୀ ନାଗରିକ ଜାଲ କାଗଜପତ୍ର ମାଧ୍ୟମରେ ବେଆଇନ ଭାବେ ବସବାସ କରୁଥିବା ସହିତ ଅନେକ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିବାର ନଜିର ରହିଛି । ଏ ଦିଗରେ ଉପଯୁକ୍ତ ତଦନ୍ତ ଦ୍ୱାରା ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ ସହ ସେମାନଙ୍କୁ ତାଙ୍କ ଦେଶକୁ ଫେରାଇଦେବା ନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବେ କି ବୋଲି ବିଧାୟକ ଶ୍ରୀ ଦତ୍ତ ପ୍ରଶ୍ନ କରିଥିଲେ । 
ଗୃହ ବିଭାଗ ଦାୟିତ୍ୱ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ପୂର୍ବ ଚିହ୍ନଟ ପ୍ରକ୍ରିୟା ତଥ୍ୟ ଅନୁସାରେ ରାଜ୍ୟରେ ମୋଟ ୩୭୩୮ ଜଣ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ରହିଛନ୍ତି  । ସେମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାରେ ୧୯୯ ଜଣ, କେନ୍ଦ୍ରାପଡ଼ାରେ ୧୬୪୯, ଭୁବନେଶ୍ୱରରେ ୧୭,ଜଗତସିଂପୁରରେ ୧୧୧୨, ମାଲକାନାଗିରିରେ ୬୫୫ ଓ ନବରଙ୍ଗପୁରରେ ୧୦୬ ଜଣ ବସବାସ କରୁଛନ୍ତି  । ଗତ ୧୦ ବର୍ଷ ମଧ୍ୟରେ ୪୧ ଜଣ ବଙ୍ଗଳାଦେଶୀ ନାଗରିକଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ରହିଛି  । ବାଲେଶ୍ୱର ଜିଲ୍ଲାର କୌଣସି ତହସିଲ ଅଧୀନରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ହୋଇଥିବା ଦୃଷ୍ଟିକୁ ଆସିନାହିଁ  । ତେବେ ଜିଲ୍ଲାରେ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ୫ ଜଣ ବଙ୍ଗଳାଦେଶୀ ନାଗରିକଙ୍କ ବିରୋଧରେ ମାମଲା ଅଦାଇତରେ ବିଚାରାଧିନ ରହିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି  । ଅନ୍ୟପକ୍ଷରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସମସ୍ତ ତହସିଲ ଓ ବ୍ଲକରେ  ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଏବଂ ପୁଲିସ କର୍ମଚାରୀଙ୍କୁ ନେଇ କମିଟି ଗଠନ ମାଧ୍ୟମରେ ବେଆଇନ ଭାବେ ବସବାସ କରୁଥିବା ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ସରକାର ନିଦେ୍ର୍ଦଶ ଦେଇଛନ୍ତି । ସମସ୍ତ ବେଆଇନ ଅନୁପ୍ରବେଶକାରୀଙ୍କୁ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ନିଦେ୍ର୍ଦଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରକାଶ କରିଥିଲେ ।