ବର୍ଷ ବର୍ଷ ଧରି ଗାଦି ଛାଡୁନାହାଁନ୍ତି ଅଧିକାରୀ
ନିଶ୍ଚିନ୍ତକୋଇଲି : ଓଡିଶା ସରକାରଙ୍କ ପ୍ରତି ତିନି ବର୍ଷରେ ସରକାରୀ କର୍ମଚାରୀମାନଙ୍କୁ ବଦଳି କରାଯାଇଥାଏ । କାରଣ ସ୍ୱଚ୍ଛତା ଓ ନିରପେକ୍ଷତାକୁ ଆଖି ଆଗରେ ରଖି ସରକାର ନିୟମ ପ୍ରଣୟନ କରିଥିଲେ କିନ୍ତୁ ସେହି ନିୟମଗୁଡିକୁ ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନିକ ଅଧିକାରୀମାନେ ମାନିନଥାଆନ୍ତି । ଏହି ବ୍ଲକ ୪୧ ଗୋଟି ପଞ୍ଚାୟତକୁ ନେଇ ଗଠିତ । ଏହା କଟକ ଜିଲ୍ଲାର ସର୍ବବୃହତମ ବ୍ଲକ ଅଟେ । ଏହି ବ୍ଲକରେ ୪୧ ଗୋଟି ପଞ୍ଚାୟତ ପାଇଁ ୨୭ ଜଣ କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ଯ୍ୟ କରୁଛନ୍ତି । ସେଥିମଧ୍ୟରୁ ନୂତନ ଭାବେ ଯୋଗଦାନ କରିଥିବାବେଳେ ୧୮ ଜଣ ଦୀର୍ଘ ବର୍ଷ ଧରି ଏହି ବ୍ଲକରେ ରହିଛନ୍ତି । କାହାର ୧୦ ବର୍ଷ ହେଲା ବଦଳି ହୋଇନି ତ କାହାର ୧୩ ବର୍ଷ ଆଉ ୧୫ ବର୍ଷ । ହେଲେ ସେମାନଙ୍କର ବଦଳି ଏଯାଏଁ ହୋଇ ପାରିନାହିଁ । ଦୀର୍ଘ ବର୍ଷ ଧରି ଏମାନେ ଏହି ବ୍ଲକରେ ରହିବା ଦ୍ୱାର ଦୁର୍ନୀତିର ପାହାଡ ଠିଆ କରିଛନ୍ତି । ପଞ୍ଚାୟତରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ ତାଙ୍କରି ନାମରେ ହେଉଥିବାରୁ ବହୁ ଦୁର୍ନୀତି ହେଉଛି । ଯାହାଫଳରେ ସେମାନେ ଏଠାକାର କେତେକ ସ୍ଥାୟୀ ବାସିନ୍ଦା ହୋଇଗଲେଣି । ସେମାନଙ୍କୁ ବଦଳି କରିବା ପାଇଁ ପ୍ରଶାସନର ମନେ ପଡେ ନାହିଁ କି ମୋଟା ଅଙ୍କ ଦେଇ ଜିଲ୍ଲା ଅଧିକାରୀମାନଙ୍କୁ ସନ୍ତୁଷ୍ଟ କରି ଦେଉଛନ୍ତି ବୋଲି ଶୁଣିବାକୁ ମିଳୁଛି । ଦୀର୍ଘ ବର୍ଷ ହେଲା ଏଠାରେ ଅବସ୍ଥାନ କରିବା ଦ୍ୱାରା ବହୁ ଦୁର୍ନୀତିର ଚେର ଏଠାରେ ମାଡି ଯାଇଅଛି । ଏହି ୧୮ ଜଣ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଯଦି ଦେଖାଯାଏ ସେମାନଙ୍କର ସମ୍ପତି କେତେ ହେବ ତାହା ତଦନ୍ତ କଲେ ଜଣାପଡିବ । ଏଥିପ୍ରତି ବିଧାୟକ, ମୁଖ୍ୟମନ୍ତ୍ରୀ ଓ କଟକ ଜିଲ୍ଲାପାଳ ଗୁରୁତ୍ୱ ଦେଇ ଏହି ୧୮ଜଣ ନିର୍ବାହୀ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କଲେ ପଞ୍ଚାୟତର ସ୍ୱଚ୍ଛତା ଆସିପାରନ୍ତା ବୋଲି ବିଭିନ୍ନ ପଞ୍ଚାୟତର ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।