ବାଲି ଦଲାଲ ସକ୍ରିୟ, ବୈତରଣୀରୁ ବାଲି ଚୋରି ଆରମ୍ଭ
ଧାମନଗର: ଧାମନଗର ତହସିଲ ଅଧିନରେ ବିଭିନ୍ନ ନଦୀରୁ ଏବେ ବାଲି ଚୋରୀ ଆରମ୍ୱ ହୋଇ ଗଲାଣି । ବାଲି ଦଲାଲ ବି ସକ୍ରିୟ ହୋଇ ଗଲେଣି । ରାଜସ୍ୱ ବି ହରାଉଛି ସରକାର । ବର୍ଷା ଋତୁ ଯିବା ପରେ ଧାମନଗର ତହସିଲ ଅଧିନ ଆନନ୍ଦପୁର ପଞ୍ଚାୟତ ସୀମା ବୁଢା ମହାଦେବ ପାଖରେ ବୈତରଣୀ ନଦୀରୁ ବାଲି ଏବେ ଚୋରି ଆରମ୍ଭ ହୋଇଯାଇଛି । ୧୫ ରୁ ଅଧିକ ଗାଡି ମାଲିକ ମିଳିତ ଭାବେ ଗାଡ କରି ବାଲି ଉଠାଉଛନ୍ତି । ରାତି ବେଳା ବାବୁସାହିର ଜଣେ ଗାଡି ମାଲିକ ନିଜ ଡୋଜରରେ ଏହି ଘାଟରେ ପଶି ବାଲି ଠୁଳ କରୁଛି ।
ବିଳମ୍ବିତ ରାତିରୁ ଅନ୍ୟ ଗାଡି ମାଲିକମାନେ ନିଜ ନିଜ ଟ୍ରାକ୍ଟର ଓ ମିନି ଟ୍ରକରେ ବାଲି ବୋହୁଛନ୍ତି । ନଭେମ୍ବର ୧୭ ତାରିଖ ରବିବାର ଠାରୁ ବାଲି ଚୋରି ଆରମ୍ଭ ହୋଇଛି । ପ୍ରତ୍ୟେକ ଦିନ ଜଣେ ଟ୍ରାକ୍ଟର ମାଲିକ ନିଜ ଟ୍ରାକ୍ଟରରେ ୫ ଟ୍ରିପ ବାଲି ଚୋରି କରୁଛନ୍ତି । ନଈରୁ ବାଲି ଆଣି ନିଜ ନିଜ ବାଡିରେ ଓ ନଦୀବନ୍ଧରେ ଷ୍ଟକ କରୁଛନ୍ତି । ଆଉ କେହି କେହି ବରାଦ ଅନୁସାରେ ବାଲି ବିକ୍ରି କରୁଛନ୍ତି । ନଦୀ ରେପାଣି ଶୁଖିନଥିଲେ ବି ଗାଡି ମାଲିକ ଡୋଜର ପୂରାଇ ବାଲି ଠୁଳ କରୁଛନ୍ତି । ସେ ବାବଦରେ ଗୋଟିଏ ଟ୍ରିପକୁ ସେ ୧୦୦ ଟଙ୍କା ନେଉଛନ୍ତି । ତା ପରେ ଲୋଡିଂ କରିଦେଲେ ଆଉ ୧୦୦ ଟଙ୍କା ନେଉଛନ୍ତି ସଂପୃକ୍ତ ଡୋଜର ମାଲିକ । ଚୋରାରେ ବାଲି ଚାଲାଣ ହେଉଥିବାରୁ ସରକାରଙ୍କୁ କୌଣସି ପ୍ରକାର ରୟାଲଟି ଦେବାକୁ ପଡୁନାହିଁ । ଏଣୁ ଟ୍ରାକ୍ଟର ମାଲିକମାନେ ଏହି ବାଲିକୁ ଟ୍ରିପ ପିଛା ୧୪୦୦ରୁ ୧୫୦୦ ଟଙ୍କାରେ ବିକ୍ରି କରି ମାଲେମାଲ ହେଉଛନ୍ତି ।
ସେପଟେ ସୀମା ବିବାଦ ଥିବାରୁ ଗାଡି ମାଲିକଙ୍କୁ ଏହା ସୁହାଉଛି । ସେପଟେ ବାଲି ନିଲାମ ତହସିଲ ହାତରେ ନଥିବାରୁ ଦୁଇ ତହସିଲର ତହସିଲଦାର କି ଅଧିକାରୀ ଚୁପ୍ ରହୁଛନ୍ତି । ଧାମନଗର ତହସିଲର ସୋଧ ରାଜସ୍ୱ ନିରୀକ୍ଷକ ଚୁପ୍ । ସେପଟେ ଭଣ୍ଡାରିପୋଖରୀ ତହସିଲର ମାଳଦା ରାଜସ୍ୱ ନିରୀକ୍ଷକ ବି ଚୁପ୍ । ସରକାରୀ ନିୟମ ଅନୁସାରେ, ବାଲି ଚୋରି ରୋକିବାର କ୍ଷମତା ତହସିଲଦାର ଓ ଥାନା ପାଖରେ ଅଛି । ହେଲେ ରାଜନୈତିକ ଚାପ ଓ ଶାସକ ଦଳର କର୍ମୀଙ୍କ ପ୍ରେସର ଆଗରେ ଏମାନେ ସବୁ ନିରବ ରହୁଥିବା ଅଭିଯୋଗ ହୋଇଛି । ତେବେ ଏନେଇ ଧାମନଗର ତହସିଲଦାର ଦୀପକ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବାଲି ଚୋରିର ଅଭିଯୋଗ ହୋଇନି । ଅଭିଯୋଗ ହେଲେ ଖଣି ବିଭାଗକୁ ଜଣାଇ ପଦକ୍ଷେପ ନିଆଯିବ ।