ବର୍ଷାଦିନ ଆସିଲେ ବଢେ ବରୀବାସୀଙ୍କ ଦୁଃଖ
ବରୀ : ନିର୍ବାଚନ ଆସିଲେ ମିଳେ ଅସୁମାରୀ ପ୍ରତିଶ୍ରୁତି । କିନ୍ତୁ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଏ । ନେତାଙ୍କ ପ୍ରତିଶ୍ରୁତି, ପ୍ରଶାସନୀକ କଳର ଦାୟିତ୍ୱ ହିନତା, ଠିକାଦାରଙ୍କ ଲାଭଖୋର ମନୋଭାବ ଏବଂ ସର୍ବୋପରି ଜନସମସ୍ୟା ଦୂର କରିବାରେ ଅସମର୍ଥତା କାରଣରୁ ବର୍ଷାଦିନ ଆସିଲେ ବାସୀଙ୍କ ଦୁଃଖ ବଢିଥାଏ ।
ଆମେ କହୁଛୁ ବରୀବାସୀଙ୍କ କଥା । ସରକାର ଯେତେ ବେଳେ ଜନସାଧାରଣଙ୍କ ଯାତାୟତ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତାଘାଟ ନିର୍ମାଣ କରୁଛନ୍ତି, ସେତେ ବେଳେ ବରୀର ଅଧେବାସୀନ୍ଦା ସ୍ୱାସ୍ଥ୍ୟ, ଶିକ୍ଷା, ସରକାରୀ ଦପ୍ତରକୁ ବର୍ଷା ଦିନେ ଡ଼ଙ୍ଗାରେ ତ ଖରାଦିନେ ଅସ୍ଥାୟୀ ପୋଲରେ ଯିବା ଆସିବା କରିଥାନ୍ତି । ବରୀ ଏକ ବନ୍ୟା ପ୍ରପିଡ଼ିତ ଅଂଚଳ ଭାବେ ଜଣା । ବ୍ରାହ୍ମଣୀ, ଖରସ୍ରୋତା ଏବଂ ଏହାର ଶାଖାନଦୀରେ ଘେରାବନ୍ଦି କହିଲେ ଚଳେ । ସେଥିପାଇଁ ବନ୍ୟାସମୟରେ ବରୀ ଉପରେ ବିଶେଷ ନଜର ରଖିଥାଏ ପ୍ରଶାସନ । କିନ୍ତୁ ଆଶ୍ଚର୍ଯ୍ୟର କଥା ପ୍ରଶାସନ ହେଉ କି ରାଜନତୋ ବରୀର ଦୁଃଖ ସଂପର୍କରେ ଅବଗତ ଥିଲେ ବି ତାହାର ସମାଧାନ କରିବା କ୍ଷେତ୍ରରେ ଯେଭଳି ତତ୍ପରତା ଦେଖାଇବା କଥା ଦେଖାଇ ନାହାନ୍ତି । ଯେଉଁ କାରଣରୁ ସ୍ୱାଧୀନତାର ୭୮ବର୍ଷ ପରେ ବି ଲୋକେ ଡ଼ଙ୍ଗା ଉପରେ ଭରସା କରି ଚଳୁଛନ୍ତି । ବନ୍ୟାଂଚଳ ବରୀର କେତେକ ସ୍ଥାନରେ ପକା ପୋଲ ନିର୍ମାଣ ହୋଇଥିଲେ ବି ତାହା ଅଧିପନ୍ତରିଆ ହେଇ ପଡିରହିଥବାରୁ ଆଠକାଳି ବାର ମାସ ଯନ୍ତ୍ରଚାଳିତ (ଭୁଟୁଭୁଟି)ଡ଼ଙ୍ଗାରେ ଲୋକ ମାନେ ପାରି ହେଉଛନ୍ତି । ବରୀ ବ୍ଲକର କଳାମାଟିଆ ପଞ୍ଚାୟତର ବ୍ରହ୍ମାଣୀ ଉପରେ ଗୋଲାଘାଟ ଠାରେ ପକା ପୋଲ କାର୍ଯ୍ୟ ସମ୍ପୂର୍ଣ ହେଇନଥିବାରୁ ଯାତାୟତ ପାଇଁ ଡ଼ଙ୍ଗା ଉପରେ ଭରସା କରିଥାନ୍ତି । ସେହିପରି ଅଙ୍ଗାଳେ ପଂଚାୟତର ଡ଼ିହବାରିଙ୍ଗ ଠାରେ ପୋଲ କାର୍ଯ୍ୟ ଅଧିପନ୍ତରିଆ ଥିବାରୁ ଅଂଚଳର ଲୋକେ ଡ଼ଙ୍ଗା ଉପରେ ଭରସା କରି ଚଳୁଛନ୍ତି । ସେହିପରି ରତଲାଙ୍ଗ ନିକଟରେ ଚିଙ୍ଗୁଡିଆ ନାଳରେ ସେତୁ କାର୍ଯ୍ୟବନ୍ଧ ଥିବାରୁ ୬ ମାସ ଡ଼ଙ୍ଗା ଓ ୬ମାସ ବାଉଁଶ ପୋଲ ଏବଂ ବନ୍ୟା ଆସିଲେ ଲୋକ ଡ଼ଙ୍ଗା ଉପରେ ନିର୍ଭରକରିଥାନ୍ତି । ବୋଦୁଅ ପଂଚାୟତର ଏରଡା ଠାରେ ଖରାଦିନ ୬ମାସ ବାଉଁଶ ସେତୁ ଏବଂ ଏବେ ଡ଼ଙ୍ଗା ଭରସା ହୋଇଛି । ସେହିପରି ଭଅଁରା ପଂଚାୟତର ଚଟୁମାରୀ ଓ ଭଅଁରା ଘାଟରେ ଯନ୍ତ୍ରଚାଳିତ ଡ଼ଙ୍ଗା ବର୍ଷା ସାରା ଚଳିଥାଏ । ଉଭୟ ଘାଟ ନିକଟରେ ସେତୁ କାର୍ଯ୍ୟଚାଲିଛି । ବର୍ଷା ଦିନ ସହିତ ନଦୀରେ ବନ୍ୟା ପାଣିଥିବାରୁ ଜନସାଧାରଣ ଯାତାୟତ ଲାଗି ଅସୁବିଧା ଭୋଗୁଛନ୍ତି । ବରୀ ଠାରେ ଥିବା ବ୍ଲକ, ମେଡିକାଲ, ତହସିଲ, ହାଟ, ବଜାର, ଥାନା, ବ୍ୟାଙ୍କ, କୋର୍ଟ, ସବରେଜିଷ୍ଟ, ବିଦୁ୍ୟତ କାର୍ଯ୍ୟାଳୟ,କଲେଜ ପଶୁଚିକିତ୍ସାଳୟ ଥିବାରୁ ବହୁ ଲୋକ ନଦୀ ପାର ପ୍ରତ୍ୟେକ ଦିନ ବହୁ ଲୋକମାନେ ଆସିଥାନ୍ତି । କିନ୍ତୁ ବର୍ଷ ପରେ ବର୍ଷ ବିତିଯାଉଥିଲେ ବି ବର୍ଷକବାରମାସ ସଡ଼କପଥରେ ଚଳାଚଳ କରିବାରୁ ବଂଚିତ ରହୁଛନ୍ତି ବରୀବାସୀ । ପକ୍ା ରାସ୍ତା ନିର୍ମାଣରେ ରହିଥିବା ସମସ୍ୟା ଗୁଡ଼ିକର କେବେ ସମାଧାନ ହେଉଛି, ଲୋକେ ଡ଼ଙ୍ଗାପାରି ଯାତ୍ରାରୁ କେବେ ନିସ୍ତାର ପାଉଛନ୍ତି, ତାହା ଦେଖିବାର ଅଛି ।