ବର୍ଷାରେ ଉବୁଟୁବୁ ବ୍ୟାଙ୍କ ଛକ ରାସ୍ତା
ବ୍ରହ୍ମବରଦା: ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ବ୍ୟାଙ୍କ ଛକ ରାସ୍ତା ଏବେ ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ସାମାନ୍ୟ ବର୍ଷା ହେଲେ ରାସ୍ତାଘାଟରେ ପାଣି ଉଚ୍ଛୁଳୁଛି । ବିଶେଷ କରି ବ୍ରହ୍ମବରଦା ଇଦଗା ପଡିଆ ଓ ବ୍ୟାଙ୍କ ଛକ ରାସ୍ତାଟି ବର୍ଷା ପାଣିରେ ପୁରା ଉବୁଟୁବୁ ହେଉଛି । ରାସ୍ତାର ଉଭୟ ପାର୍ଶ୍ୱରେ ଦୋକାନ ବଜାର, ବ୍ୟାଙ୍କ, ଏଟିଏମ୍ କାଉଣ୍ଟର ସହ ବଡବଡ ବାସଗୃହ ଗଢ଼ିଉଠିଥିବା ବେଳେ ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ଡ୍ରେନେଜ ବ୍ୟବସ୍ଥା ନାହିଁ । ଯାହାଫଳରେ ବର୍ଷା ହେଲେ ଦୀର୍ଘ ଦିନ ଧରି ଏହି ଅପରିଷ୍କାର ପାଣି ଜମି ରହିବା ସହ ଲୋକେ ଆଣ୍ଠୁଏ ଲେଖା ପାଣିରେ ପଶି ଯିବା ଆସିବା କରୁଛନ୍ତି । ଜମୁଥିବା ପାଣିରୁ ଦୁର୍ଗନ୍ଧ ବାହାରୁଛି ଓ ସେହି ନର୍ଦ୍ଦମା ପାଣିରେ ଲୋକେ ପଶି ଯିବା ଆସିବା କରିବା ଦ୍ୱାରା ନାନା ପ୍ରକାରର ଚର୍ମ ରୋଗ ହେବାର ଆଶଙ୍କା ବଢୁଛି । ତା’ ସହିତ ବ୍ରହ୍ମବରଦା ଏକ ଜନବହୁଳ ଅଞ୍ଚଳ ସହ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାରୁ ଦୈନିକ ଉକ୍ତ ରାସ୍ତା ଦେଇ ସହ ସହ ସଂଖ୍ୟାରେ ଲୋକ, ବ୍ୟବସାୟୀ ନିଜ ଗାଡିମଟର ନେଇ ଯିବାଆସିବା ସମୟରେ ଅକାରଣରେ ଦୁର୍ଘଟଣାର ଶୀକାର ହେଉଛନ୍ତି । ଆଗକୁ ସ୍କୁଲ କଲେଜ ଖୋଲୁଥିବାରୁ ଉଭୟପାର୍ଶ୍ୱରୁ ଛାତ୍ରଛାତ୍ରୀ ଜଳପୂର୍ଣ୍ଣ ରାସ୍ତା ଦେଇ ଯାତାୟତ କଲାବେଳେ ନାନା ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ସାମାନ୍ୟ ଟିକେ ଅସାବଧାନତା ହେଲେ ପାଣିଭର୍ତ୍ତି ରାସ୍ତାରେ ପଡି ଖଣ୍ଡିଆ ଖାବଡା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସୂଚନାଥାଉକି, ପାଣିକୋଇଲି ପୂର୍ତ୍ତବିଭାଗ ଅଧିନରେ ଥିବା ବରୁଆଁ-ବାଲିଚନ୍ଦ୍ରପୁର ମୁଖ୍ୟ ରାସ୍ତାର ବ୍ରହ୍ମବରଦା ବ୍ୟାଙ୍କ ଛକ ରାସ୍ତାଟି କଂକ୍ରିଟ୍ ରାସ୍ତା ହୋଇଥିଲେ ହେଁ ଏହା ଦୀର୍ଘ ବର୍ଷ ପୂର୍ବରୁ ନିର୍ମିତ ହୋଇଥିବା ହେତୁ ଏହା ଏବେ ଭାଙ୍ଗିରୁଜି ଗଲାଣି । ବହୁ ସ୍ଥାନରୁ କଂକ୍ରିଟ୍ ସବୁ ଉଠି ଗଲାଣି । ତେଣୁ ତୁରନ୍ତ ଉକ୍ତ ରାସ୍ତାକୁ ପୁନଃ ନିର୍ମାଣ ସାଙ୍ଗକୁ ଉଚ୍ଚା କରିବା ସହ ରାସ୍ତାର ଉଭୟ ପାର୍ଶ୍ୱରେ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନେଜ ନିର୍ମାଣ କରିବାରୁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ।