୧୨ଟି ତୁମ୍ବ ନିର୍ମାଣ କାର୍ଯ୍ୟ ଶେଷ


 ପୁରୀ: ପରମ୍ପରାର ଅନୁଯାୟୀ ପବିତ୍ର ଅକ୍ଷୟତୃତୀୟା ଠାରୁ ଚାଲିଛି ୩ରଥର ନିର୍ମାଣ କାର୍ଯ୍ୟ । ପ୍ରଥମାବସ୍ଥାରେ ୩ରଥର ତୁମ୍ବ ନିର୍ମାଣ କରାଯାଉଛି । ସୋମବାର ସୁଦ୍ଧା ୧୨ଟି ତୁମ୍ବ ନିର୍ମାଣ ଶେଷ ହେଲାଣି । ଫାଶୀ କାଠରେ ପ୍ରତ୍ୟେକ ରଥର ୪ଟି ଲେଖାଏଁ ତୁମ୍ବ ତିଆରି ସମାନ୍ତ ହୋଇଛି । କ୍ରମେ ଚଳଚଞ୍ଚଳ ହୋଇଉଠୁଛି ଶ୍ରୀନଅର ସମ୍ମୁଖସ୍ଥ ରଥଖଳା । ସୋମବାର ଦିନ ମୋଟ ୬୦ଜଣଙ୍କୁ ରଥ ନିର୍ମାଣରେ ନିୟୋଜିତ କରାଯାଇଥିଲା । ଶ୍ରୀ ବଳଭଦ୍ରଙ୍କ ତଳଧ୍ୱଜ ରଥ ପାଇଁ ୮ଜଣ ମହାରଣା, ୮ଜଣ ଭୋଇ ନିୟୋଜିତ ହୋଇଥିବା ବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପାଇଁ ୧୨ଜଣ ମହାରଣା ଓ ୬ଜଣ ଭୋଇଙ୍କୁ କାମରେ ଲଗାଯାଇଥିଲା । ସେହିଭଳି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥପାଇଁ ୧୦ଜଣ ମହାରଣା ଓ ୫ଜଣ ଭୋଇ ସେବକଙ୍କୁ ନିୟୋଜିତ କରାଯାଇଥିଲା । ଏଥିସହିତ ୪ଜଣ କରତି ଓ ୬ଜଣ କମାର ସେବକ ରଥନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । ଜଣେ ପାଣିସେବକ ମଧ୍ୟ ନିୟୋଜିତ ହୋଇଛନ୍ତି ।