ବସ୍ତରରେ ୧୭୦ ମାଓବାଦୀଙ୍କ ଆତ୍ମସମର୍ପଣ

ହିଂସା ପଥ ଛାଡିଥିବାରୁ ଶାହଙ୍କ ପ୍ରଶଂସା
ନୂଆଦିଲ୍ଲୀ : ଛତିଶଗଡ ବସ୍ତରରେ ପୁଣି ବହୁସଂଖ୍ୟାରେ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଯାହାକୁ ଏକ ଐତିହାସିକ ଆତ୍ମସମର୍ପଣର ଦିନ ବୋଲି କୁହାଯାଉଛି । ଆଜି ପୁଲିସ ନିକଟରେ ୧୭୦ ଜଣ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିବା ସହ ଅସ୍ତ୍ରଶସ୍ତ୍ର ତ୍ୟାଗ କରିଛନ୍ତି । ଗତକାଲି ଛତିଶଗଡରେ ୭୮ଜଣ ଓ ଏହାର ଦିନକ ପୂର୍ବରୁ ମହାରାଷ୍ଟ୍ରରେ ୬୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଗତ ଦୁଇ ଦିନ ମଧ୍ୟରେ ଛତିଶଗଡ଼ ଓ ମହାରାଷ୍ଟ୍ରରେ ୨୫୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି, ଯାହା ନକ୍ସଲବାଦ ବିରୋଧରେ ଆମର ଲଢେଇରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ।
ଭାରତର ସମ୍ବିଧାନ ଉପରେ ସେମାନଙ୍କର ବିଶ୍ୱାସକୁ ଦୋହରାଇ ହିଂସା ପରିତ୍ୟାଗ କରିବା ଲାଗି ସେମାନଙ୍କ ନିଷ୍ପତ୍ତିକୁ ଗୃହମନ୍ତ୍ରୀ ପ୍ରଶଂସା କରିଥିଲେ । ଏକ୍ସରେ ଏକ ପୋଷ୍ଟରେ ଶାହ କହିଛନ୍ତି, ନକ୍ସଲବାଦ ବିରୋଧରେ ଆମର ଲଢେଇରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଭାରତର ସମ୍ବିଧାନ ଉପରେ ସେମାନଙ୍କର ବିଶ୍ୱାସକୁ ଦୋହରାଇ, ହିଂସାକୁ ପରିତ୍ୟାଗ କରିବାର ସେମାନଙ୍କର ନିଷ୍ପତ୍ତିକୁ ମୁଁ ପ୍ରଶଂସା କରୁଛି । ଏହା ଏହି ସତ୍ୟକୁ ପ୍ରମାଣିତ କରେ ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଏହି ବିପଦର ଅବସାନ ପାଇଁ ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ନକ୍ସଲବାଦ ଶେଷ ନିଃଶ୍ୱାସ ପ୍ରଶ୍ୱାସ ନେଉଛି । ମୋଦି ସରକାରଙ୍କ ନୀତି ସ୍ପଷ୍ଟ: ଯେଉଁମାନେ ଆତ୍ମସମର୍ପଣ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସ୍ୱାଗତ ଏବଂ ଯେଉଁମାନେ ବନ୍ଧୁକ ଚଳାଇବେ ସେମାନେ ଆମ ସେନାର ସମ୍ମୁଖୀନ ହେବେ । ଯେଉଁମାନେ ଏବେବି ନକ୍ସଲବାଦର ପଥରେ ଅଛନ୍ତି, ସେମାନଙ୍କୁ ମୁଁ ପୁଣିଥରେ ନିବେଦନ କରୁଛି ଯେ ସେମାନେ ନିଜର ଅସ୍ତ୍ରଶସ୍ତ୍ର ତ୍ୟାଗକରି ମୁଖ୍ୟଧାରାରେ ସାମିଲ ହୁଅନ୍ତୁ । ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ନକ୍ସଲବାଦକୁ ମୂଳପୋଛ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ।
ଏକ୍ସରେ ଅନ୍ୟ ଏକ ପୋଷ୍ଟରେ ଶାହ କହିଛନ୍ତି, ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ ଛତିଶଗଡ଼ର ଅବୁଝମାର ଓ ଉତ୍ତର ବସ୍ତର, ଯାହା ଏକଦା ମାଓବାଦୀଙ୍କ ବେସ୍ ଥିଲା, ଆଜି ନକ୍ସଲ ଆତଙ୍କବାଦରୁ ମୁକ୍ତ ବୋଲି ଘୋଷଣା କରାଯାଇଛି । ୨୦୨୪ ଜାନୁଆରି ଠାରୁ ଛତିଶଗଡ଼ରେ ଆମ ସରକାର ଗଠନ ହେବା ପରେ ୨,୧୦୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି, ୧,୭୫୮ ଜଣ ଗିରଫ ହୋଇଛନ୍ତି ଓ ୪୭୭ ଜଣ ନିହତ ହୋଇଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ତାଲିକାରେ ସତୀଶ ଓରଫ ଟି ବାସୁଦେଓ ରାଓ (ସିସିଏମ), ରନିତା (ଏସଜେଡିସିଏମ, ମାଡ ଡିଭିସିର ସଚିବ), ଭାସ୍କର (ଡିଭିସିଏମ, ପିଏଲ ୩୨), ନୀଲା ଓରଫ ନାନ୍ଦେ (ଡିଭିସିଏମ, ଆଇସି ଏବଂ ନେଲନାର ଏସି ସଚିବ), ଦୀପକ ପାଲୋ (ଡିଭିସିଏମ, ଆଇସି ଏବଂ ଇନ୍ଦ୍ରାବତୀ ଏସି ସଚିବ) ଙ୍କ ସମେତ ୧୦ ଜଣ ବରିଷ୍ଠ କାର୍ଯ୍ୟକର୍ତ୍ତା ଅଛନ୍ତି । ଟି. ବାସୁଦେଓ ରାଓ (ସିସିଏମ) ଙ୍କ ମୁଣ୍ଡ ଉପରେ ୧ କୋଟି ଟଙ୍କାର ପୁରସ୍କାର ଥିଲା । ଏକେ.-୪୭, ଇନ୍ସାସ୍, ଏସ୍ଏଲ୍ଆର୍, ୩୦୩ ରାଇଫଲ୍ ଇତ୍ୟାଦି ସମେତ ବହୁ ସଂଖ୍ୟକ ସ୍ୱୟଂକ୍ରିୟ ଅସ୍ତ୍ରଶସ୍ତ୍ର ସେମାନଙ୍କ ଦ୍ୱାରା ସମର୍ପଣ କରାଯାଇଛି ।