ବହୁ ଚର୍ଚ୍ଚିତ ସୁଶାନ୍ତ ନାୟକ ହତ୍ୟା ମାମଲା ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍ 


 ଭୁବନେଶ୍ୱର:  ଭୁବନେଶ୍ୱରର ବହୁ ଚର୍ଚ୍ଚିତ ସୁଶାନ୍ତ ନାୟକଙ୍କ ହତ୍ୟା ମାମଲାର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍-୨ ଆଜି ରାୟ ଶୁଣାଇଛନ୍ତି  । ଏହି ମାମଲା ସହିତ ସଂପୃକ୍ତ ୫ ଜଣ ଦୋଷୀଙ୍କୁ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି  । ଏଥିସହିତ କୋର୍ଟ ଦୋଷୀଙ୍କୁ ୨୫ ହଜାର ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି  । ଜରିମାନା ଏଡିଜେ-୨ ଅନାଦେୟ ୧ ବର୍ଷ ଅଧିକ ସଜା ମଧ୍ୟ ଶୁଣାଇଛନ୍ତି  । ସେମାନେ ହେଲେ, ଜିଇଡ଼ି ବସ୍ତିର ସୁଜିତ୍ ନାୟକ, ସୁବାଷ ନାୟକ, ଅଜିତ ନାୟକ, ବିଶାଲ ନାୟକ ଓ ଟିକିଲି ନାୟକ । 
ସୂଚନାଯୋଗ୍ୟଯେ, ଗତ ୨୦୨୩ ମସିହା ମେ’ ୨୪ ଭୋର ସମୟରେ, ମୃତ ସୁଶାନ୍ତ ନାୟକ ତାଙ୍କର ସ୍ତ୍ରୀଙ୍କୁ ଛାଡି ଘରକୁ ଫେରୁଥିଲେ  । ତେବେ ବାଟରେ ଛକି ରହିଥିବା ଅଭିଯୁକ୍ତମାନେ ତାଙ୍କୁ ବସ୍ତି ରାସ୍ତାର ଏକ ମୋଡ ନିକଟରେ ଅଟକାଇ ହଠାତ  ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ଛଟପଟ ହୋଇ ସୁଶାନ୍ତଙ୍କର ମୃତୁ୍ୟ ହୋଇଥିଲା  । ଘଟଣା ପରେ, ଅଭିଯୁକ୍ତମାନେ ବାଇକରେ ଆକ୍ରମଣ କରିଥିବା ଅସ୍ତ୍ରଶସ୍ତ୍ର ନେଇ ଫେରାର ହୋଇଯାଇଥିଲେ । ଏହି ଘଟଣା ପରେ ମୃତକଙ୍କ ସ୍ତ୍ରୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଜାଣିବାକୁ ପାଇଥିଲା ଯେ, ଅଭିଯୁକ୍ତ ଏବଂ ମୃତକ ଉଭୟଙ୍କ ପରିବାର ଦୀର୍ଘ ଦିନ ଧରି ଜିଇଡ଼ି ବସ୍ତିରେ ରହୁଥିଲେ  । ମୂଳତଃ ସେମାନେ ଯଥାକ୍ରମେ ବଡ଼ପୋଖରିଆ ଏବଂ ନୟାଗଡ଼ ଜିଲ୍ଲାରୁ ଆସିଥିଲେ । ଡ୍ରେନ ଜଳ ନିଷ୍କାସନ ସମସ୍ୟାକୁ ନେଇ ଦୁଇ ପରିବାର ମଧ୍ୟରେ ପୁରୁଣା ବିବାଦ ରହିଥିଲା  । ଘଟଣା ଦିନ ଅଭିଯୁକ୍ତମାନେ ପ୍ରଥମେ ବଡ଼ପୋଖରିଆର ଗ୍ରାମ ଜଙ୍ଗଲରେ ୪ରୁ ୫ ଦିନ ଲୁଚି ରହିଥିଲେ  । ପରେ କହ୍ନେଇପୁରର ମାଲୁଦାକୁ ଚାଲିଯାଇଥିଲେ  । ସେଠାରେ ଆଉ ୪ରୁ ୫ ଦିନ ରହିଥିଲେ । ପରବର୍ତ୍ତୀ ସମୟରେ, ଅଭିଯୁକ୍ତ ସୁଜିତ କୋର୍ଟରେ ଆତ୍ମସମର୍ପଣ କରିଥିଲା । କିନ୍ତୁ ଅନ୍ୟ ଅଭିଯୁକ୍ତ ମାନେ ଅପରାଧରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଜଙ୍କିଆ ଥାନା ଅନ୍ତର୍ଗତ ମଲାଗୁଣି ନଦୀରେ ଫିଙ୍ଗି ଦେଇ ସେଠାରୁ ସେମାନେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଯାଇ ଗୌରା ନାମକ ଏକ ହୋଟେଲରେ ରହିଥିଲେ । ଅଭିଯୋଗ ଆଧାରରେ କ୍ୟାପିଟାଲ ଥାନା କେସ ନମ୍ବର ୩୨୩/୨୦୨୩, ଭାରତୀୟ ନ୍ୟାୟ ସଂହିତାର ଧାରା- ୩୦୨/୩୪ରେ ମାମଲା ରୁଜୁ ହୋଇଥିବା ବେଳେ, ଏହାର ତଦନ୍ତ ଦାୟିତ୍ୱ ତକ୍ରାଳୀନ ଥାନାଧିକାରୀ ପଦ୍ମନାଭ ପ୍ରଧାନ ନେଇଥିଲେ । ଶ୍ରୀ ପ୍ରଧାନ, ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଦାରିଙ୍ଗବାଡିରୁ ଗିରଫ କରିବା ସହ ନିର୍ଦ୍ଧାରିତ ସମୟସୀମା ମାଧ୍ୟମରେ ଦାଲତରେ ଚାର୍ଜସିଟ୍ ଦାଖଲ କରିଥିଲେ । ଉପରୋକ୍ତ ମାମଲାର ବିଚାର କରି ଅଦାଲତ ଘଟଣା ସହିତ ସଂପୃକ୍ତ ୧୮ ସାକ୍ଷ୍ୟ, ମାମଲା ସହିତ ଜଡିତ ୧୬ଟି ସାମଗ୍ରୀର ଯାଞ୍ଚ ଓ ୩୯ଟି ଦଲିଲ ଆଧାରରେ ଅଭିଯୁକ୍ତମାନଙ୍କୁ ଭାରତୀୟ ନ୍ୟାୟ ସଂହିତାର ଧାରା- ୩୦୨/୩୪ ଆଧାରରେ ଅଜୀବନ କାରାଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି ଏବଂ ଜୋରିମାନା ଅନାଦେୟ କ୍ଷେତ୍ରରେ ୧ ବର୍ଷର ଅଧିକ କାରାଦଣ୍ଡ ଆଦେଶ ମଧ୍ୟ ଶୁଣାଇଛନ୍ତି ।