ବାଇକ୍ ମୁହାମୁହିଁ ଧକ୍କା ୨ ମୃତ, ଜଣେ ଗୁରୁତର

ନୀଳଗିରି : ଶେରଗଡ଼ - ଝରଣାଘାଟି ୧୯ନମ୍ବର ରାଜ୍ୟ ରାଜପଥ ସିମୁଳିଆ ଛକ ନିକଟରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହେବା ଫଳରେ ରେମୁଣା ଥାନା ଅନ୍ତର୍ଗତ ବଢ଼ୁଆ ଗଞ୍ଜ ଗ୍ରାମର ଅକ୍ଷୟ ଜେନାଙ୍କ ଘଟଣା ସ୍ଥଳରେ ମୃତୁ୍ୟ ଘଟିଥିଲା । ସେହିପରି କାହାଳୀଆ ଗ୍ରାମର ରମେଶ ପାତ୍ରଙ୍କ ପୁଅ ଚନ୍ଦ୍ରଶେଖର ପାତ୍ର ନୀଳଗିରି ମେଡିକାଲରେ ମୃତୁ୍ୟ ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣାରେ ବାପାର ମୃତୁ୍ୟ ଘଟିଥିବା ବେଳେ ବାଇକରେ ବସିଥିବା ୧୧ବର୍ଷର ପୁଅ ଗୁରୁତର ଅବସ୍ଥାରେ ପ୍ରଥମେ ନୀଳଗିରି ମେଡିକାଲ ପରେ ବାଲେଶ୍ୱର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସୂଚନା ଅନୁସାରେ କାହାଳିଆ ଗ୍ରାମର ରମେଶ ପାତ୍ର ପଞ୍ଚଲିଙ୍ଗେଶ୍ୱର କଲେଜରେ ଅଧ୍ୟୟନ କରୁଥିବା ବେଳେ ଥାନା ପଡ଼ିଆରେ କ୍ରିକେଟ ମ୍ୟାଚ୍ ଦେଖି ଘରକୁ ଖାଇବାକୁ ଯାଇ ଫେରୁଥିବା ବେଳେ ଗଂଜ ଗ୍ରାମର ଅକ୍ଷୟ କୁମାର ଜେନା ନିଜ ୧୧ବର୍ଷର ପୁଅକୁ ବସାଇ ଘରକୁ ଫେରୁଥିବା ବେଳେ ସିମୁଳିଆ ଛକ ନିକଟରେ ଉଭୟ ବାଇକ୍ ଧକ୍କା ମାରିବା ଯୋଗୁ ଘଟଣା ସ୍ଥଳରେ ବାପାର ମୃତୁ୍ୟ ଘଟିଥିଲା । କିନ୍ତୁ ତା'ପୁଅ ଗୁରୁତର ଅବସ୍ଥାରେ ପ୍ରଥମେ ନୀଳଗିରି ମେଡିକାଲ ପରେ ବାଲେଶ୍ୱର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ନୀଳଗିରି ଥାନାର ଆଇଆଇସି ଗୋପାଳ କର୍ଣ୍ଣ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ନୀଳଗିରି ମେଡିକାଲ ପଠାଇ ଦୁଇ ବାଇକ୍କୁ ଥାନାକୁ ଆଣିଥିଲେ । ଘଟଣା ପରେ ମେଡିକାଲ ପରିସର ଲୋକାରଣ୍ୟ ହୋଇପଡ଼ିଥିଲା । ନାବାଳକ ପୁଅ ଆଗରେ ବାପାର ମୃତୁ୍ୟ ଘଟିଥିଲା ବେଳେ ପୁଅ ଏବେ ଜୀବନ ସହିତ ମେଡିକାଲରେ ସଂଗ୍ରାମ କରୁଛି । ଉକ୍ତ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।