ସମନ୍ୱିତ ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀ : ଡିଆରଡ଼ିଓର ସଫଳ ପରୀକ୍ଷଣ 

 ଭୁବନେଶ୍ୱର :  ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ସମନ୍ୱିତ ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀ (ଆଇଏଡିଡବ୍ଲୁ୍ୟଏସ)ର ପ୍ରଥମ ସଫଳ ପରୀକ୍ଷଣ ସମ୍ପନ୍ନ କରିଛି । ଶନିବାର ଓଡିଶା ଉପକୂଳରୁ ଏହି ପରୀକ୍ଷଣ କରାଯାଇଥିଲା । ଆଇଏଡିଡବ୍ଲୁ୍ୟଏସ ଏକ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯେଉଁଥିରେ ସମସ୍ତ ସ୍ୱଦେଶୀ ତ୍ୱରିତ ମୁକାବିଲା କ୍ଷମତା ସମ୍ପନ୍ନ ଭୂପୃଷ୍ଠରୁ ଆକାଶମାର୍ଗକୁ ଲକ୍ଷ୍ୟ ଭେଦ କରିପାରୁଥିବା କ୍ଷେପଣାସ୍ତ୍ର ସଂଯୋଗ କରାଯାଇଛି । ଏହାଛଡା ଏଥିରେ ଉନ୍ନତ ଅତି ସ୍ୱଳ୍ପ ଦୂରଗାମୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ର ଓ ଉଚ୍ଚ କ୍ଷମତାସମ୍ପନ୍ନ ଲେଜର ଆଧାରିତ ଲକ୍ଷ୍ୟଭେଦକାରୀ ଶକ୍ତିଶାଳୀ ଯୁଦ୍ଧାସ୍ତ୍ର (ଡିଇଡବ୍ଲୁ୍ୟ) ମଧ୍ୟ ଖଞ୍ଜା ହୋଇଛି । 
ଏହି କାର୍ଯ୍ୟକ୍ରମର ଅଗ୍ରଣୀ ପ୍ରୟୋଗଶାଳା ରୂପେ ମାନ୍ୟତା ଲାଭ କରିଥିବା ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରୟୋଗଶାଳା ଦ୍ୱାରା ବିକଶିତ ଏକ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ଦ୍ୱାରା ଅସ୍ତ୍ର ପ୍ରଣାଳୀର ସବୁ ଉପକରଣକୁ ସମନ୍ୱିତ ପରିଚାଳନା ଓ ନିୟନ୍ତ୍ରିତ କରାଯାଇଥାଏ । ଭିଏସଏଚଓଆରଏଡିଏସକୁ ରିସର୍ଚ୍ଚ ସେଣ୍ଟର ଇମାରତ ଦ୍ୱାରା ବିକଶିତ କରାଯାଇଥିବା ବେଳେ ଡିଇଡବ୍ଲୁ୍ୟକୁ ସେଣ୍ଟର ଫର୍ ହାଇ ଏନର୍ଜି ସିଷ୍ଟମ୍ସ ଆଣ୍ଡ ସାଇନ୍ସେସ୍ ଦ୍ୱାର ବିକଶିତ କରାଯାଇଛି ।
 ଆକାଶମାର୍ଗ ପରୀକ୍ଷଣ ସମୟରେ ଦୁଇଟି ଉଚ୍ଚ ଗତିଶୀଳ ଫିକ୍ସଡ ୱିଙ୍ଗ ମାନବବିହୀନ ଆକାଶମାର୍ଗର ଲକ୍ଷ୍ୟ ଏବଂ ଗୋଟିଏ ମଲ୍ଟି କ୍ୟାପ୍ଟର ଡ୍ରୋନ ସମେତ ତିନୋଟି ଭିନ୍ନ ଭିନ୍ନ ଲକ୍ଷ୍ୟକୁ ଏକ ସଙ୍ଗେ ଟାର୍ଗେଟ୍ କରାଯାଇଥିଲା । କୁ୍ୟଆରଏସଏଏମ, ଭିଏସଏଚଓଆରଏଡିଏସ ଏବଂ ଉଚ୍ଚÿ କ୍ଷମତାସମ୍ପନ୍ନ ଲେଜର ଅସ୍ତ୍ର ପ୍ରଣାଳୀ ଦ୍ୱାରା ଭିନ୍ନ ଭିନ୍ନ ଦୂରତା ଓ ଉଚ୍ଚÿତାରେ ଏକ ସମୟରେ ଏଗୁଡିକୁ ଟାର୍ଗେଟ୍ କରାଯାଇ ଧ୍ୱଂସ କରି ଦିଆଯାଇଥିଲା ।  କ୍ଷେପଣାସ୍ତ୍ର ପ୍ରଣାଳୀ ଏବଂ ଡ୍ରୋନ ଚିହ୍ନଟ ଓ ଧ୍ୱଂସ ପ୍ରଣାଳୀ, ଅସ୍ତ୍ର ପ୍ରଣାଳୀର କମାଣ୍ଡ ଏବଂ ନିୟନ୍ତ୍ରଣ ସମେତ ଯୋଗାଯୋଗ ଓ ରାଡାର ଆଦିକୁ ନେଇ ସମ୍ପୂର୍ଣ୍ଣ ଅସ୍ତ୍ର ପ୍ରଣାଳୀ ଉପକରଣ ତ୍ରୁଟିଶୂନ୍ୟ ପ୍ରଦର୍ଶନ କରିଥିଲା । ଫ୍ଲାଇଟ୍ ତଥ୍ୟ ନିରୀକ୍ଷଣ ଲାଗି ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟି ଦ୍ୱାରା ନିୟୋଜିତ କରାଯାଇଥିବା ରେଞ୍ଜ ଉପକରଣଗୁଡିକ ଅସ୍ତ୍ର ପ୍ରଣାଳୀର ସଠିକ୍ ପ୍ରଦର୍ଶନକୁ ପ୍ରମାଣିତ କରିଥିଲା । ଡିଆରଡିଓର ବରିଷ୍ଠ ବୈଜ୍ଞାନିକ ଏବଂ ସେନାବାହିନୀର ପ୍ରତିନିଧିମାନେ ଏହି ପରୀକ୍ଷଣ ସମୟରେ ଉପସ୍ଥିତ ରହିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଆଇଏଡିଡବ୍ଲୁ୍ୟଏସର ସଫଳ ବିକାଶ ପାଇଁ ଡିଆରଡିଓ, ସେନାବାହିନୀ ଏବଂ ଶିଳ୍ପ ଅଂଶୀଦାରମାନଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଏହି ଅଭିନବ ଉଡ଼ାଣ-ପରୀକ୍ଷଣ ଦେଶର ବହୁସ୍ତରୀୟ ବାୟୁ-ପ୍ରତିରକ୍ଷା କ୍ଷମତାକୁ ସୁଦୃଢ କରିଛି  । ଏହା ଆକାଶମାର୍ଗରୁ ଆସୁଥିବା ଶତ୍ରୁ ପକ୍ଷର ଆକ୍ରମଣକୁ ନିରସ୍ତ୍ର କରିବାରେ ଦେଶର ପ୍ରତିରକ୍ଷା କ୍ଷମତାକୁ ମଜଭୁତ କରିବ । ପ୍ରତିରକ୍ଷା ବିଭାଗ ଗବେଷଣା ଏବଂ ବିକାଶ ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ସମୀର ଭି କାମତ ସଫଳ ଉଡ଼ାଣ-ପରୀକ୍ଷଣରେ ସାମିଲ ସମସ୍ତ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।