ବାଉଁଶ ଚାରାରେ ଲାଖିଥିବା ଷଣ୍ଢ ଉଦ୍ଧାର
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ତିଖିଲିଆ ଗେଙ୍ଗୁଟି ବାଉଁଶ ଚାରାରେ ଗୋଡ ଗଳିପଡି ଲାଖି ରହିଥିବା ଷଣ୍ଢକୁ ଦମକଳକେନ୍ଦ୍ର କର୍ମଚାରୀମାନେ ଶନିବାର ଉଦ୍ଧାର କରିଥିବା ଜଣାଯାଇଛି । ବୈତରଣୀ ଶାଖା ନଦୀ ଗେଙ୍ଗୁଟି ବନ୍ୟା ସ୍ରୋତରେ ଭାସିଯାଇଥିବା ଷୋଳମପୁର ପଞ୍ଚାୟତ ତିଖିଲିଆ ସେତୁର ଅଦେ୍ର୍ଧକ ଅଂଶକୁ ଗାଁ ଲୋକେ ବାଉଁଶ ଚାରା ବାନ୍ଧି ଯାତାୟତ କରୁଥିଲେ । ଗ୍ରାମରୁ ବାହାରକୁ ଯିବା ପାଇଁ ଏହି ସେତୁ ଏକମାତ୍ର ଯୋଗାଯୋଗକାରୀ ସାଧନ ଥିଲା । ପିଲାମାନେ ସ୍କୁଲ ଯିବା ସହ ଗ୍ରାମବାସୀମାନେ ବିଭିନ୍ନ କାର୍ଯ୍ୟ ପାଇଁ ବଜାରଘାଟକୁ ଯାଇଥିଲେ । ପ୍ରଶାସନ ପକ୍ଷରୁ ଅସ୍ଥାୟୀ ମରାମତି ପାଇଁ କୌଣସି ପଦକ୍ଷେପ ନିଆନଯିବାରୁ ଗ୍ରାମବାସୀ ବାଉଁଶ ଚାରା ନିର୍ମାଣ କରିଥିଲେ । ଶନିବାର ଗୋଟିଏ ଷଣ୍ଢ ବାଉଁଶ ଚାରା ଉପରେ ଯାଇ ଗୋଡ ଗଳି ମଝିରେ ଅଟକି ଯାଇଥିଲା । ଖବର ପାଇ ଦମକଳକେନ୍ଦ୍ର କର୍ମଚାରୀମାନେ ଅଟକି ଥିବା ଷଣ୍ଢକୁ ଉଦ୍ଧାର କରିଥିବା ଜଣାଯାଇଛି ।