ବାପା ଆଗରେ ଝିଅକୁ ଉଠାଇ ନେଲେ : ବଜାରରୁ ଟେକିନେଲେ ମାସ୍କ ପିନ୍ଧା ୪ ଯୁବକ
କପ୍ତିପଦା: ବଜାରକୁ ବାପା ଏବଂ ମାଆଙ୍କ ସହିତ ଆସିଥିଲେ ଷ୍ଟେସନାରୀ ସାମଗ୍ରୀ କିଣିବାକୁ । ଏହି ସମୟରେ ଦୋକାନ ବାହାରେ ଯୁବତୀ ଜଣକ ଛିଡା ହୋଇଥିବା ସମୟରେ ମାସ୍କ ପିନ୍ଧି ଆସିଥିବା ୪ ଜଣ ଯୁବକ ଯୁବତୀଙ୍କୁ ଉଠାଇ ନେଲେ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା କପ୍ତିପଦା ବଜାରରେ । ଘଟଣାଟି ଶୁକ୍ରବାର ଘଟିଥିବାବେଳେ ଆଜି ଏହା ଲୋକଲୋଚନକୁ ଆସିଛି ।
ଅଭିଯୋଗ ଅନୁଯାୟୀ, କପ୍ତିପଦା ଥାନା ସୁଡସୁଡିଆ ଗ୍ରାମର ଜଣେ ଯୁବତୀ ନିଜର ବାପାମାଆଙ୍କ ସହିତ ଶୁକ୍ରବାର ଦିନ ବଜାରକୁ ଷ୍ଟେସନାରୀ ସାମଗ୍ରୀ କିଣିବାକୁ ଯାଇଥିଲେ । ଦୋକାନରେ ବାପମାଆ ସାମଗ୍ରୀ କିଣୁଥିବା ସମୟରେ ଯୁବତୀ ଜଣକ ଦୋକାନ ବାହାରକୁ ଆସିଥିଲେ । ଏହି ସମୟରେ ୪ ଜଣ ଯୁବକ ମୁହଁରେ ମାସ୍କ ପିନ୍ଧି ଆସି ଯୁବତୀଙ୍କୁ ଜୋର୍ ଜବରଦସ୍ତ ଉଠାଇ ନେଇଥିଲେ । ଯାହା ଦେଖିପାରି ଯୁବତୀଙ୍କ ବାପା ପାଟି କରିବାରୁ ଯୁବକମାନେ ଜୀବନରୁ ମାରିଦେବାକୁ ଯୁବତୀର ବାପାକୁ ଧମକ ଦେଇଥିଲେ । ଏନେଇ ପରିବାର ଲୋକେ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ୍ କେଶ ନଂ - ୩୫/୨୫ରେ ଏକ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ପରିବାର ଲୋକେ ଅପହରଣ ନେଇ ଅଭିଯୋଗ କରିଥିବା ବେଳେ କପ୍ତିପଦା ପୋଲିସ୍ ନିଖୋଜ ନେଇ ମାମଲା ରୁଜୁ କରିବାକୁ ନେଇ ପରିବାର ଲୋକେ ଅସନ୍ତୋଷ ବାଢିଛନ୍ତି । ପୋଲିସ୍ ଅପହରଣ ମାମଲା ରୁଜୁ କରି ତଦନ୍ତ କରିବା ବଦଳରେ ନିଖୋଜ ମାମଲା ରୁଜୁ କରି ଚୁପ୍ ହୋଇ ବସିଥିବା ଅଭିଯୋଗ କରିଛନ୍ତି ଯୁବତୀଙ୍କ ବାପା । ସେପଟେ ଘଟଣା ବାବଦରେ କପ୍ତିପଦା ଉପଖଣ୍ଡ ପୋଲିସ୍ ଅଧିକାରୀ ହୃଷିକେଶ ନାୟକଙ୍କୁ ପଚାରିବାରୁ ଅପହରଣ ହୋଇଥିବା ଯୁବତୀ ଜଣଙ୍କ ବୟସ ୨୦ ବର୍ଷ ହୋଇଥିବାରୁ ନିଖୋଜ ମାମଲା ରୁଜୁ ହୋଇଥିବା କହିଛନ୍ତି । ଖୁବଶୀଘ୍ର ଯୁବତୀଙ୍କୁ ଉଦ୍ଧାର କରାଯିବ ବୋଲି କହିଛନ୍ତି ଉପଖଣ୍ଡ ପୋଲିସ୍ ଅଧିକାରୀ ।