ବାପାଙ୍କ ଦୋକାନରୁ ପୁଅକୁ ଉଠାଇ ନେଲା ବିଭାଗ
କୁଆଖିଆ : ଶିଶୁ ଶ୍ରମିକ ଆଇନ ପାଳନ ଆଳରେ ଯାଜପୁର ଶିଶୁ ସୁରକ୍ଷା ବିଭାଗ କିପରି ବାପ ପାଖରୁ ପୁଅକୁ ଉଠାଇ ବାହାବା ନେଉଛି ତାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି କୁଆଖିଆ ଥାନା ଅପ୍ସଚଳର ବଡ଼କଇଁଚି ପଞ୍ଚାୟତ ଗୋରଧା ଗ୍ରାମରେ ଘଟି ଯାଇଥିବା ଏକ ଶିଶୁ ଶ୍ରମିକ ଉଦ୍ଧାର ଘଟଣାରୁ । ସୂଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ନ ୩ଘଟିକା ସମୟରେ ରୁଚିକା ନାମକ ଏନ୍ଜିଓ ଟିମ୍ କୁଆଖିଆ ଥାନା ପୁଲିସ୍କୁ ନେଇ ଗୋରଧା ଗ୍ରାମର ଉଦୟନାଥ ବେହେରାଙ୍କ ଜୋତା ଦୋକାନ ରେ ଅଚାନକ ପହଞ୍ଚô ଥିଲେ । ଦୋକାନକୁ ଖାଦ୍ୟ ନେଇ ଆସିଥିବା ଉଦୟନାଥଙ୍କ ୧୩ ବର୍ଷର ପାଠ ପଢୁଆ ପୁଅକୁ ଦେଖି କୁଆଖିଆ ଥାନାକୁ ଯିବାକୁ କହି ଗାଡିରେ ବସାଇ ନେଇଯାଇଥିଲେ । ବାପା ଉଦୟନାଥ ସେମାନଙ୍କ ନିକଟରେ ନିଜର ପୁଅ ବୋଲି ପରିଚୟ ଦେଇ ଦୋକାନକୁ ଖାଦ୍ୟ ନେଇ ଆସିଥିଲା ବୋଲି ଆପତି କରିଥିଲେ ମଧ୍ୟ ସେମାନେ କିଛି ନଶୁଣି ଥାନାକୁ ଆଣି ରିପୋର୍ଟ କରିବା ସହିତ ଯାଜପୁର ବାଳାଶ୍ରମରେ ଛାଡି ଦେଇ ଚାଲି ଯାଇଥିଲେ । ଘଟଣା ସମ୍ପର୍କରେ ବାପା ଉଦୟନାଥ ପୂର୍ବତନ ଅଧ୍ୟକ୍ଷ ଶଶୀଭୂଷଣ ସାହୁଙ୍କ ହସ୍ତକ୍ଷେପ ଫଳରେ ଶିଶୁ ସୁରକ୍ଷା ବିଭାଗ ଉଦୟନାଥଙ୍କ ପୁଅକୁ ଛାଡି ଦେଇଥିବା ଜଣାପଡିଛି । ତେବେ ଘରୋଇ ଭାବରେ ପିଲାମାନେ ଅଭିଭାବକ ମାନଙ୍କୁ ଘରର ବିଭିନ୍ନ ହାଲୁକା କାର୍ଯ୍ୟରେ ସହଯୋଗ କରୁଥିବା ବେଳେ ସେ ସମ୍ପର୍କରେ ବିଭାଗ ତଥ୍ୟ ନ ନେବା ଏବଂ ଶିଶୁ ଶ୍ରମିକ ଭାବରେ ଉଠାଉଥିବା କୋମଳମତି ଶିଶୁ ମାନଙ୍କ ଅଭିଭାବକ ମାନଙ୍କ ମତାମତ ଗ୍ରହଣ ନକରିବା କେଉଁ ଆଇନର ପରିସରଭୁକ୍ତ ବୋଲି ଉଦୟନାଥ ବିଭାଗକୁ ପ୍ରଶ୍ନ କରିଛନ୍ତି ।