ପାଲି ଓ ପ୍ରାକୃତ ଶିକ୍ଷା
ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର : ପ୍ରଫେସର ବେଣୀମାଧବ ପାଢୀଙ୍କ ଘର ଚିକିଟି ରାଜ୍ୟର ଲୋକନାଥପୁର । ସେ ପୁରୀ କଲେଜରେ ଓଡ଼ିଆ ଅଧ୍ୟାପକ ଥିବାବେଳେ ମୋ କକେୟୀ ନବକିଶୋର ମିଶ୍ର ସେଠାରେ ଇତିହାସ ଅଧ୍ୟାପକ ଥିଲେ । ମୁଁ ପୁରୀ ଯାଇ ପିଲାବେଳୁ ବେଣୀ ମଉସାଙ୍କ ସ୍ନେହାଷ୍ପଦ ହୋଇଥିଲି । ସେ ମୋତେ ପୁତ୍ରବତ୍ ସ୍ନେହ କରନ୍ତି । ସେ ଅନେକ ଗବେଷଣାତ୍ମକ ପୁସ୍ତକର ରଚୟିତା । ବିଶେଷତଃ ତାଙ୍କ ରଚିତ ଦାରୁଦେବତା, ଉଡ୍ରଜା ପ୍ରାକୃତ, ଓଡ଼ିଆ ଭାଷାର ରୂପତତ୍ତ୍ୱ ଓ ପ୍ରାଚୀନ କଳିଙ୍ଗର ସାମାଜିକ ଇତିବୃତ୍ତ ପ୍ରଭୃତି ଅଧ୍ୟୟନ କରି ମୁଁ ପ୍ରଭାବିତ ହୋଇଥିଲି । ଓଡିଆ ଭାଷାର ପ୍ରାଚୀନତା, ଇତିହାସ ଓ ଭାଷାବିଜ୍ଞାନ ପ୍ରତି ମୋର ଆଗ୍ରହ ଲକ୍ଷ୍ୟ କରି ସେ ମୋତେ କହିଲେ, ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷାର ପ୍ରଥମ ପର୍ଯ୍ୟାୟ ହେଉଛି ଆଦ୍ୟ ପ୍ରାକୃତ ବା ପାଲି ଭାଷା । ଏହାକୁ ଦେଶଭାଷା ମଧ୍ୟ କୁହାଯାଏ । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବୁଦ୍ଧଦେବ ପାଲିଭାଷାରେ ବୋ÷ଦ୍ଧଧର୍ମ ପ୍ରଚାର କରିଥିଲେ । ସେହି ସମୟରେ ବୋ÷ଦ୍ଧଶାସ୍ତ୍ର ପାଲିଭାଷାରେ ଲେଖା ହୋଇଥିଲା । ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷାର ଦ୍ୱିତୀୟ ପର୍ଯ୍ୟାୟ ହେଉଛି ପ୍ରାକୃତ ଭାଷା । ପ୍ରାକୃତ ବ୍ୟାକରଣରେ ମହାରାଷ୍ଟ୍ରୀ, ସୋ÷ରସେନୀ, ଅବନ୍ତୀ, ପାଞ୍ଚାଳୀ, ମାଗଧୀ ଓ ପୈଶାଚୀ ପ୍ରଭୃତି ପ୍ରାକୃତ ଭାଷାର ସୂଚନା ମିିଳିଥାଏ । ଆମ ଓଡ଼ିଆ ଭାଷା ପ୍ରାକୃତ ଭାଷାରୁ ଜନ୍ମନେଇଛି । ପ୍ରାକୃତ ଭାଷା ପରେ ଅପଭ୍ରଂଶ ଭାଷାର ସୃଷ୍ଟି । ଓଡିଆ ଭାଷାର ପ୍ରାଚୀନତା ଇତିହାସ ଓ ଭାଷାବିଜ୍ଞାନ ଅଧ୍ୟୟନ କରିବା ପୂର୍ବରୁ ପାଲି, ପ୍ରାକୃତ ଓ ଅପଭ୍ରଂଶ ଭାଷା ସଂପର୍କରେ ଜାଣିବା ଏକାନ୍ତ ଜରୁରି । ଏହା କହିବା ସହିତ ସେ ମୋତେ ପ୍ରଫେସର ପ୍ରହଲ୍ଲାଦ ପ୍ରଧାନଙ୍କ ନିକଟକୁ ନେଲେ ଏବଂ ତାଙ୍କୁ ମୋତେ ପାଲି ଓ ପ୍ରାକୃତ ଭାଷା ଶିକ୍ଷା ଦେବାକୁ ଅନୁରୋଧ କଲେ ।
ପ୍ରଫେସର ପହହ୍ଲାଦ ପ୍ରଧାନ ସଂସ୍କୃତ ପ୍ରଫେସର ହେଲେ ହେଁ ସଂସ୍କୃତ ଭାଷା ସାହିତ୍ୟ ସହିତ ପାଲି, ପ୍ରାକୃତ, ଅପଭ୍ରଂଶ ଭାଷାର ମଧ୍ୟ ପଣ୍ଡିତ ଥିଲେ । ବୋ÷ଦ୍ଧ ସଂସ୍କୃତିରେ ତାଙ୍କର ଅସୀମ ଜ୍ଞାନ ଥିଲା । ସେ ଚୀନ ଓ ଶ୍ରୀଲଙ୍କା ଦେଶରେ ମଧ୍ୟ ଅଧ୍ୟାପକ ଥିଲେ । ଏତଦ୍ଭିନ୍ନ ଶ୍ରୀଜଗନ୍ନାଥ ସଂସ୍କୃତିରେ ମଧ୍ୟ ତାଙ୍କର ପ୍ରବେଶ ରହିଥିଲା । ସେ ମୋତେ ପାଲି, ପ୍ରାକୃତ ଓ ଅପଭ୍ରଂଶ ଶିକ୍ଷା ଦେଇଥିଲେ । ଏଗୁଡିକ ହେଉଛି ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷା । ହେମଚନ୍ଦ୍ର, ମାର୍କଣ୍ଡେୟ ଓ ବାସୁଦେବ ପ୍ରଭୃତି ଏହାର ବ୍ୟାକରଣ ରଚନା କରିଛନ୍ତି । ଏହି ମଧ୍ୟ ଭାରତୀୟ ଆର୍ଯ୍ୟଭାଷାକୁ ପାଲି, ପ୍ରାକୃତ ଓ ଅପଭ୍ରଂଶ ତିନିଭାଗରେ ବିଭକ୍ତ କରାଯାଇଛି, କିନ୍ତୁ ସାହିତ୍ୟ ଦୃଷ୍ଟିରୁ ଏ ସମସ୍ତକୁ ‘ପ୍ରାକୃତ’ ନାମରେ ସୂଚିତ କରାଯାଏ । ତେଣୁ ମଧ୍ୟ ଭାରତୀୟ ଆର୍ଯ୍ୟଭାଷାକୁ ତିନିଭାଗରେ ବିଭକ୍ତ କରାଯାଏ, ଯଥା:- ଆଦ୍ୟ ପ୍ରାକୃତ ବା ପାଲି, ମଧ୍ୟ ପ୍ରାକୃତ ଓ ଅନ୍ତ୍ୟପ୍ରାକୃତ ବା ଅପଭ୍ରଂଶ ।
ଆଦ୍ୟ ପ୍ରାକୃତ ବା ପାଲିଭାଷା ହେଉଛି ଦେଶଭାଷା ବା ପଲ୍ଲୀର ଭାଷା । ଖ୍ରୀଷ୍ଟ ପୂର୍ବ ଷଷ୍ଠ ଶତାବ୍ଦୀ ପୂର୍ବରୁ ଖ୍ରୀଷ୍ଟାବ୍ଦ ପ୍ରଥମ- ଦ୍ୱିତୀୟ ଶତାବ୍ଦୀ ପର୍ଯ୍ୟନ୍ତ ଏହି ଭାଷାର ବ୍ୟାପ୍ତି । କେହି କେହି ଏହାର ସମୟକୁ ଆହୁରି ପୂର୍ବ ଓ ଆହୁରି ପରକୁ ନେଇଥାନ୍ତି । ଏହି ଭାଷାର ଉତ୍ପତ୍ତି ସଂପର୍କରେ ବିଭିନ୍ନ ମତ ଦେଖାଯାଏ । ବଙ୍ଗୀୟ ପଣ୍ଡିତ ବିଧୁଶେଖର ଭଟ୍ଟାଚାର୍ଯ୍ୟଙ୍କ ମତରେ ‘ପଂକ୍ତି’ ନାମକ ଶବ୍ଦରୁ ‘ପାଲି ଶବ୍ଦର ଉତ୍ପତ୍ତି ହୋଇଅଛି । ‘ପଙକ୍ତି’ ଶବ୍ଦର ଅର୍ଥ ହେଲା ‘ଶାସ୍ତ୍ରୀୟ ଭାଷା’ ସଂସ୍କୃତରେ ମଧ୍ୟ ଏହି ଅର୍ଥରେ ‘ପାଲି’ ଶବ୍ଦର ପ୍ରୟୋଗ ହୋଇଛି । ମାତ୍ର ଜର୍ମାନ ପଣ୍ଡିତ ମାକ୍ସମୁଲାରଙ୍କ ମତରେ ‘ପାଟଳି’ ନାମକ ଶବ୍ଦରୁ ‘ପାଲି’ ଶବ୍ଦର ସୃଷ୍ଟି । ଏକଦା ପାଟଳିପୁତ୍ରର ନାମ ଥିଲା “ପାଲି’ । ବୋ÷ଦ୍ଧ କିମ୍ବଦନ୍ତୀ ଅନୁସାରେ ପାଲି ହେଉଛି ମଗଧର ଭାଷା । ଏହି ଭାଷାରେ ସ୍ୱୟଂ ବୁଦ୍ଧଦେବ ଧର୍ମ ପ୍ରଚାର କରିଥିଲେ । ବୁଦ୍ଧଦେବଙ୍କର ପ୍ରଭାବ ଓ ପ୍ରତିଷ୍ଠା ପାଇଁ କାଳକ୍ରମେ ପାଲି ଭାଷା ଏକ ସାହିତି୍ୟକ ଭାଷାରେ ପରିଣତ ହେଲା ଓ ଏହି ଭାଷାରେ ବୋ÷ଦ୍ଧଧର୍ମଗ୍ରନ୍ଥ ରଚନା ହେଲା । ଅନ୍ୟ କେତେକଙ୍କ ମତରେ ‘ପଲ୍ଲୀ’ ଶବ୍ଦରୁ ‘ପାଲି’ ଶବ୍ଦର ସୃଷ୍ଟି । ଓଡ଼ିଆ ଭାଷାରେ ମଧ୍ୟ ପାଲି ଶବ୍ଦର ବହୁଳ ବ୍ୟବହାର ଅଛି । ଏହାର ଅର୍ଥ ଗାଁ । ଓଡ଼ିଶାରେ ବହୁଗ୍ରାମର ନାମରେ ପାଲି ବା ପଲ୍ଲୀ ସଂଯୁକ୍ତ, ଯଥା:- ବରପାଲି, ଅଇଣ୍ଠା ପାଲି, ଖଲିଆପାଲି, ବାଘପାଲି, ପଲ୍ଲୀସାହି, ପଲ୍ଲୀକାଟେଣୀ, ପଲ୍ଲୀସାମନ୍ତରାୟପୁର, ବୁଢାପାଲ, ଚମାପଲ ଇତ୍ୟାଦି ।
ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ମଗଧ ସମ୍ରାଟ୍ ଅଶୋକ ଧଉଳି ଓ ଜଉଗଡ଼ରେ ଯେଉଁ ରାଜାଦେଶ ଖୋଦନ କରାଇଛନ୍ତି ତାହାର ଭାଷା ପାଲି ବୋଲି ଭାଷାବିତ୍ ଓଲ୍ଡେନବର୍ଗ, ମ୍ୟାକସମୁଲାର ଓ ଐତିହାସିକ ନବୀନ କୁମାର ସାହୁ ମତବ୍ୟକ୍ତ କରିଛନ୍ତି । କିନ୍ତୁ ଡକ୍ଟର ବେଣୀମାଧବ ପାଢି ଏହି ଶିଳାଲେଖର ଭାଷା ‘ଉଡ୍ରମାଗଧୀ’ ବୋଲି କହିଛନ୍ତି । ରାମେଶ୍ୱରରୁ ସିଂହଳର ରାଜା ନିଶଂକମଲ୍ଲଙ୍କର ଗୋଟିଏ ଅଭିଲେଖ ମିଳିଛି, ତହିଁରେ ‘ଉଡ୍ରପ୍ରାକୃତ’ ଶବ୍ଦ ଉଲ୍ଲେଖ ଅଛି । ଓଲ୍ଡେନ୍ବର୍ଗଙ୍କ ମତରେ ସିଂହଳରେ ପ୍ରଚାରିତ ବୋ÷ଦ୍ଧଧର୍ମର ପାଲିଭାଷା ସହିତ କଳିଙ୍ଗ ଅଧିବାସୀଙ୍କ ଭାଷାର ସାମଞ୍ଜସ୍ୟ ରହିଛି ।
ଦ୍ରାବିଡ ଭାଷାରେ ମଧ୍ୟ ପଲ୍ଲୀରେ ଅର୍ଥ ଗ୍ରାମ । କେତେକ ଭାଷାବିତ୍ ‘ପା’ ଧାତୁରେ ‘ଲି’ ପ୍ରତ୍ୟୟ ଯୋଗ କରି ପାଲି ଶବ୍ଦର ବୁ୍ୟତ୍ପତ୍ତି ଦର୍ଶାଇଛନ୍ତି । ଅନ୍ୟ ଏକ ମତ ହେଉଛି ଯେ ଇରାନୀୟ ଆର୍ଯ୍ୟ ଶାଖାର ‘ପହ୍ଲବୀ’ ଶବ୍ଦରୁ ପାଲି ଶବ୍ଦ ଆସିଅଛି । ‘ପାଲି’ ଶବ୍ଦର ଉତ୍ପତ୍ତି ସଂପର୍କରେ ଭିନ୍ନ ଭିନ୍ନ ମତ ଥିବା ପରି ଏହାର ପ୍ରଚଳନ ସ୍ଥାନ ସଂପର୍କରେ ମଧ୍ୟ ଭିନ୍ନ ଭିନ୍ନ ମତ ରହିଅଛି । ୱେଷ୍ଟରଗାର୍ଡ ପାଲିର ଉତ୍ପତ୍ତି ସ୍ଥାନ ଭାବେ କୋଶଳକୁ ଗ୍ରହଣ କରିଥିବା ବେଳେ ମାକ୍ସମୁଲ୍ଲାର ଉଜ୍ଜୟିନୀକୁ ପାଲି ଭାଷାର ଉତ୍ପତ୍ତି ସ୍ଥାନ ବୋଲି ଗ୍ରହଣ କରିଛନ୍ତି । ପ୍ରଫେସର ପ୍ରହଲ୍ଲାଦ ପ୍ରଧାନଙ୍କ ମତରେ ମଗଧ ହିଁ ପାଲିଭାଷାର ଉତ୍ପତ୍ତି ସ୍ଥଳ । ମାଗଧୀ ପ୍ରାକୃତ ସହିତ ପାଲିର ସାମଞ୍ଜସ୍ୟ ରହିଛି । ପାଲିକୁ କେହି କେହି ଅର୍ଦ୍ଧମାଗଧୀ ବୋଲି କହନ୍ତି । ଏହି ଭାଷାରେ ବହୁ ରାଜା ମହାରାଜାଙ୍କର ଶିଳାଲେଖ ରହିଛି । ବିଶେଷତଃ ଅଶୋକଙ୍କ ଶିଳାଲେଖ ଏହି ଭାଷାର । ପ୍ରଫେସର ପ୍ରଧାନଙ୍କ ମତରେ ପାଲି ଭାଷାରେ କେତେକ ବିଶେଷତ୍ୱ ରହିଛି, ବୈଦିକ ସଂସ୍କୃତ ଓ ପାଲି ମଧ୍ୟରେ ଅନେକ ସାମ୍ୟ ପରିଦୃଷ୍ଟ ହୁଏ ତଥା ପାଲି ଓ ଲୋ÷କିକ ସଂସ୍କୃତି ମଧ୍ୟରେ ସାମ୍ୟ ପରିଲକ୍ଷିତ ହୁଏ ।
ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷାର ଦ୍ୱିତୀୟ ପର୍ଯ୍ୟାୟ ହେଉଛି ପ୍ରାକୃତ ଭାଷା । ଏହାର ସମୟ ପ୍ରଥମ ଶତାବ୍ଦୀରୁ ଷଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ । ମହାରାଷ୍ଟ୍ରୀ, ସୋ÷ରସେନୀ, ଅବନ୍ତୀ, ପାଞ୍ଚାଳୀ, ମାଗଧୀ ଓ ପୈଶାଚୀ ପ୍ରଭୃତି କେତେକ ପ୍ରକୃତର ନାମ ପ୍ରାକୃତ ବ୍ୟାକରଣରେ ଦେଖାଯାଏ । ବ୍ୟାକରଣକାରଗଣ ମୁଖ୍ୟ ପ୍ରାକୃତ ଭାବେ ମହାରାଷ୍ଟ୍ରୀ ପ୍ରାକୃତକୁ ଗ୍ରହଣ କରି ତାହାର ବିଷଦ ଆଲୋଚନା କଲାବେଳେ ଅନ୍ୟ ପ୍ରାକୃତ ଗୁଡିକୁ ମହାରାଷ୍ଟ୍ରୀବତ୍ ବୋଲି ଉଲ୍ଲେଖ କରିଛନ୍ତି । ସଂସ୍କୃତ ନାଟକରେ ଲିଖିତ ପ୍ରାକୃତ ରଚନା ଗୁଡିକୁ ମହାରାଷ୍ଟ୍ରୀ ପ୍ରାକୃତରେ ଲେଖାଯାଇଛି । ନାଟକରେ ଉଚ୍ଚକୂଳ ସମ୍ଭୂତାନାରୀ ଓ ବିଦୂଷକ ପ୍ରଭୃତିଙ୍କର ଭାଷାଥିଲା ସୋ÷ରସେନୀ । ନିତାନ୍ତ ଅଶିକ୍ଷିତ ଲୋକମାନଙ୍କର ଭାଷା ଥିଲା ମାଗଧୀ । ବିଭିନ୍ନ ଅଞ୍ଚଳର ପ୍ରାକୃତ ଭାଷା ଗୁଡିକର ବିକାଶ ସତ୍ତ୍ୱେ ଓ ତାହା ସାହିତ୍ୟର ମାଧ୍ୟମ ହେବା ସତ୍ତ୍ୱେ ସଂସ୍କୃତର ପ୍ରାଧାନ୍ୟ ବୃଦ୍ଧି ପାଇଲା । କାରଣ ବିଭିନ୍ନ ଅଞ୍ଚଳରେ ପ୍ରଚଳିତ ପ୍ରାକୃତ ଭାଷାର ପାର୍ଥକ୍ୟ ହେତୁ ଲେଖାପଢାରେ ସାମ୍ୟ ରକ୍ଷା କରିବା ନିମିତ୍ତ ଏକ ମାନକ ଭାଷା ଭାଷାର ଆବଶ୍ୟକତା ଅନୁଭୂତ ହେଲା । ସଂସ୍କୃତ ଓ ପ୍ରାକୃତ ଭାଷାର ସମନ୍ୱୟ ରକ୍ଷା ପାଇଁ ସଂସ୍କୃତ ନାଟକର ପ୍ରାକୃତ ଭାଷାର ସଂଳାପମାନ ବ୍ୟବହାର ହେଉଥିଲା । କ୍ରମେ ଏହି ପଦ୍ଧତି ଏତେ ପ୍ରଚଳିତ ହେଲା ଯେ ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷାର ସ୍ତର ଅତିକ୍ରମ କରି ନବୀନ ସ୍ତରରେ ପହଞ୍ଚôଲେ ମଧ୍ୟ ସଂସ୍କୃତକୁ ପ୍ରାକୃତରେ ପରିଣତ କରି କାବ୍ୟ କବିତା ଲେଖିବାର ଗତି ଅବ୍ୟାହତ ରହିଲା । ମହାରାଷ୍ଟ୍ରୀ, ସୋ÷ରସେନୀ ଓ ପୈଶାଚୀ ପ୍ରାକୃତ ପ୍ରଭୃତିରେ ଉନ୍ନତ ସାହିତ୍ୟକୃତି ରହିଛି । ହାଲ୍ଙ୍କର ‘ଗାଥାସପ୍ତସତ୍ତି’ (ମହାରାଷ୍ଟ୍ରୀ ପ୍ରାକୃତ) ଓ ଗୁଣାଢ୍ୟଙ୍କର ‘ବଡ୍ଡ଼କହା’ (ବୃହତ୍ କଥା-ପୈଶାଚୀ ପ୍ରାକୃତ) ପ୍ରଭୃତି ବେଶ୍ ଖ୍ୟାତି ଅର୍ଜନ କରିଥିଲା । ପ୍ରଫେସର ପ୍ରଧାନ ଏହି ଭାଷା ଗୁଡିକର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ଓ କେତେକ ସାଧାରଣ ଲକ୍ଷଣ କହିଥିଲେ । ସେ ମଧ୍ୟ ସୂଚନା ଦେଇଥିଲେ ଯେ, ପାଲି, ପ୍ରାକୃତ ଓ ଓଡ଼ିଆ ମଧ୍ୟରେ ବହୁ ସୋ÷ସାଦୃଶ୍ୟ ରହିଛି । ଓଡ଼ିଆ ଭାଷାର ଚର୍ଯ୍ୟାଗୀତି, ଚଣ୍ଡୀପୁରାଣ ଓ ସାରଳା ମହାଭାରତରେ ବହୁ ପ୍ରାକୃତ ଓ ଅପଭ୍ରଂଶର ଅବିକୃତ ରୂପ ପରିଦୃଷ୍ଟ ହୋଇଥାଏ । ଓଡ଼ିଶା ନିବାସୀ ମାର୍କଣ୍ଡେୟ ପ୍ରାକୃତ ରାଜ୍ୟର ବ୍ୟାକରଣ ରଚନା କରିଥିଲେ ଏବଂ ସେହି ବ୍ୟାକରଣରେ ପ୍ରାକୃତ ଭାଷାକୁ ଚାରିଭାଗରେ ବିଭକ୍ତ କରି ‘ଔଡ୍ରୀ’କୁ ତନ୍ମଧ୍ୟରେ ଅନ୍ତର୍ଭୁକ୍ତ କରିଥିଲେ । ଏପରିକି ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନା କରିବା ବେଳକୁ ଓଡ଼ିଆ ଭାଷା ବିକଶିତ ହୋଇ ସାରିଥିଲା । ତାଙ୍କ ରଚିତ ଭାଗବତର ଭାଷା ମାନକ ଓଡ଼ିଆ ଭାବରେ ସ୍ୱୀକୃତ । ପ୍ରାଚୀନ ଓଡ଼ିଆ ଭାଷାରେ ଲେଖି ମଧ୍ୟ ସେ ‘ପ୍ରାକୃତବକ୍ଷେ ଭାଗବତ’ ବୋଲି ଲେଖିଛନ୍ତି । ଗବେଷକ ଡକ୍ଟର ବେଣୀ ମାଧବ ପାଢୀ ଅଶୋକଙ୍କ ଧଉଳି ଓ ଜଉଗଡର ଅନୁଶାସନର ଭାଷାକୁ ‘ରୁଦ୍ରମାଗଧୀ’ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେ ମଧ୍ୟ ‘ଉଡ୍ରଜାପ୍ରାକୃତ’ ନାମରେ ଗବେଷଣାତ୍ମକ ଗ୍ରନ୍ଥ ରଚନା କରିଛନ୍ତି ।
ପ୍ରଫେସର ପ୍ରଧାନ କହିଥିଲେ ଯେ ପ୍ରାକୃତ ଭାଷା ପରେ ଅପଭ୍ରଂଶ ଭାଷାର ସୃଷ୍ଟି । ପ୍ରାକୃତ ଭାଷାଠାରୁ ଏହି ଭାଷା ବ୍ୟତିକ୍ରମ ଆଣିଥିଲା ବୋଲି ଏହାକୁ ଅପଭ୍ରଷ୍ଟ ବା ଅପଭ୍ରଂଶ ଭାଷା କୁହାଯାଇଛି । ଏହାର ଅନ୍ୟ ନାମ ଦେଶୀ ଭାଷା, ଗ୍ରାମୀଣ ଭାଷା, ଆଭୀରୋକ୍ତି ଭାଷା, ଅବିହଂଶ ଭାଷା ଓ ଅବହଟ୍ଟ ଭାଷା । ଅପଭ୍ରଂଶ ଭାଷାର ସମୟ ସୀମା ସ୍ଥୂଳତଃ ପଞ୍ଚମ ଶତାବ୍ଦୀ ଠାରୁ ଦଶମ ଶତାବ୍ଦୀ । କେହି କେହି ଷଷ୍ଠ ଶତାବ୍ଦୀ ଠାରୁ ଦ୍ୱାଦଶୀ ଶତାବ୍ଦୀ ମଧ୍ୟରେ ଏହି ଭାଷାର ସମୟ ନିର୍ଣ୍ଣୟ କରିଛନ୍ତି । ପ୍ରତ୍ୟେକ ଆଞ୍ଚଳିକ ପ୍ରାକୃତ ଏକ ବା ଏକାଧିକ ଅପଭ୍ରଂଶରେ ପରିଣତ ହୋଇଛି । ଅପଭ୍ରଂଶ ଭାଷାରେ ମଧ୍ୟ କେତେକ ସାହିତି୍ୟକ କୃତି ରହିଅଛି । ବ୍ୟାକରଣକାରମାନେ ଗୁଜୁରାଟ ଅଞ୍ଚଳର ଅପଭ୍ରଂଶକୁ ମୁଖ୍ୟ ରୂପେ ଗ୍ରହଣ କରି ତା’ର ଆଲୋଚନା କରିଛନ୍ତି । ଅପଭ୍ରଂଶ ଭାଷା ଗୁଡିକ ମଧ୍ୟରେ ଯେଉଁ ଗୁଡିକ ପ୍ରଧାନ, ସେଗୁଡିକ ହେଲା ଉପନାଗର, ଦ୍ରାବିଡ଼, ବୈବର୍ତ୍ତୀ, ଗୋ÷ଡୀ, ପାଞ୍ଚାଳୀ, ଧୈତ୍ରୀ, ଲାଟୀ, ଅବନ୍ତୀ ଓ ସିଂହଳୀ ପ୍ରଭୃତି । ମହାକବି କାଳିଦାସଙ୍କ ଚତୁର୍ଥ ଶତାବ୍ଦୀରେ ରଚିତ ‘ବିକ୍ରମୋବଂଶୀୟ’ ନାଟକରୁ ଅପଭ୍ରଂଶ ଭାଷାରେ କେତେକ ସଂଳାପରୁ ସେହି ସମୟର କଥିତ ଅପଭ୍ରଂଶ ଭାଷାର ସୂଚନା ମିଳିଥାଏ । ଏହାକୁ ଅପଭ୍ରଂଶର ପ୍ରାଚୀନତମ ନମୁନା ବୋଲି ଗ୍ରହଣ କରାଯାଇପାରେ । ପଉମ ଚରିହ (ପଦ୍ମଚରିତ୍ର), ଯଶହର ଚରିହ (ଯଶୋଧର ଚରିତ୍ର), ଏବଂ ଚର୍ଯ୍ୟଗୀତିକା ବା ବୋ÷ଦ୍ଧମାଳ ଓ ଦୋହା ଅପଭ୍ରଂଶ ସାହିତ୍ୟର ଶ୍ରେଷ୍ଠ ନିଦର୍ଶନ । ଚର୍ଯ୍ୟାଗୀତିକାର ଭାଷା ବିଭିନ୍ନ ଆଧୁନିକ ଭାରତୀୟ ଭାଷା ସହିତ ଏପରି ଘନିଷ୍ଠ ସଂପର୍କିତ ଯେ ଏହାର ଭାଷାକୁ ଓଡ଼ିଆ, ବଙ୍ଗଳା, ଆସାମୀ, ମୈଥିଳୀ ଓ ହିନ୍ଦୀଭାଷୀମାନେ ନିଜ ନିଜ ଭାଷାର ସୃଷ୍ଟି ବୋଲି ଯୁକ୍ତି କରିଥାନ୍ତି ।
ଅପଭ୍ରଂଶ ଭାଷାର ବିଭିନ୍ନ ରୂପରୁ ହିଁ ଆଧୁନିକ ଭାରତୀୟ ଆର୍ଯ୍ୟ ଭାଷାର ଉତ୍ପତ୍ତି ହୋଇଛି । ଆମ ଓଡ଼ିଆ ଭାଷା ମଧ୍ୟ ଅପଭ୍ରଂଶ ଭାଷାରୁ ସୃଷ୍ଟି ହୋଇଛି । ଓଡ଼ିଆ ଭାଷା ଯେଉଁ ସମୟରେ ଅପଭ୍ରଂଶ ଭାଷାରୁ ସୃଷ୍ଟି ହେଉଥିଲା ସେହି ସମୟରେ ଚୀନ ପରିବ୍ରାଜକ ହୁଏନ୍ସାଂ ଓଡ଼ିଶା ପରିଭ୍ରମଣ କରିଥିଲେ । ସେହି ସମୟ ହେଉଛି ସପ୍ତମ ଶତାବ୍ଦୀ । ହୁଏନ୍ସାଂ ଓଡ଼ିଆ ଭାଷାର ସ୍ୱତନ୍ତ୍ରତା ଅନୁଭବ କରିଥିଲେ ଏବଂ ସେହି ଭାଷାରେ କେତେକ ବୋ÷ଦ୍ଧଗ୍ରନ୍ଥ ରଚନା ହୋଇଥିଲା ବୋଲି ଭ୍ରମଣ କାହାଣୀରେ ଉଲ୍ଲେଖ କରି ଯାଇଛନ୍ତି । ସେହି ବୋ÷ଦ୍ଧଗ୍ରନ୍ଥ ହେଉଛି ଓଡ଼ିଆ ସିଦ୍ଧାଚାର୍ଯ୍ୟଙ୍କ ଦ୍ୱାରା ରଚିତ ଚର୍ଯ୍ୟାଗୀତିକା ବା ବୌଦ୍ଧଗାନ ଓ ଦୋହା, ଭାଷାବିତ୍ଙ୍କ ମତରେ ଏହି ଭାଷା ହେଉଛି ପ୍ରାକୃତରୁ ଜାତ ଔଡ଼୍ରୀ ଅପଭ୍ରଂଶ । ଅର୍ଥାତ୍ ସପ୍ତମ ଶତାବ୍ଦୀ ବେଳକୁ ଅପଭ୍ରଂଶ ଭାଷା ଅବହଟ୍ଟ ଭାଷାରେ ପରିଣତ ହୋଇଥିଲା । ଡକ୍ଟର ସୁନୀତି କୁମାର ଚାଟ୍ଟାର୍ଜୀ ପରୋକ୍ଷ ମତ ପ୍ରଦାନ କରି କହିଛନ୍ତି, ‘ଅବହଟ୍ଟ ଭାଷାରୁ ସର୍ବପ୍ରଥମେ ଓଡ଼ିଆ ଭାଷାର ସୃଷ୍ଟି । ଭାଷାବିତ୍ମାନେ ଅପଭ୍ରଂଶରୁ ଓଡ଼ିଆ ଭାଷାର ସୃଷ୍ଟି ସପ୍ତମ ଶତାବ୍ଦୀରେ ହୋଇଥିବା ମତ ପ୍ରଦାନ କରିଥିଲେ ହେଁ ଏହା ପୂର୍ବରୁ ନାଟ୍ୟଶାସ୍ତ୍ର ଓ ଅନ୍ୟାନ୍ୟ ପ୍ରାଚୀନ ଶାସ୍ତ୍ରରୁ ଉପଲବ୍ଧ ହୋଇଥାଏ ଯେ ପାଲି ଓ ପ୍ରାକୃତ ଭାଷାରୁ ଅପଭ୍ରଂଶର ରୂପ ନେଇ ଓଡ଼ିଆ ଭାଷା ଆତ୍ମପ୍ରକାଶ କରିଥିଲା । ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଠାରୁ ଭାଷା ଉପରେ ବହୁଜ୍ଞାନ ମୁଁ ଲାଭ କରିଛି । କେବଳ ଭାଷା ନୁହେଁ, ବୋ÷ଦ୍ଧ ସଂସ୍କୃତି ଓ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ତାଙ୍କର ଅଗାଧ ପାଣ୍ଡିତ୍ୟ ରହିଥିଲା । ତାଙ୍କ ସମକକ୍ଷ ଜ୍ଞାନୀ ପୁରୁଷ ମୁଁ ଦେଖି ନାହିଁ । ମୋର ଯାହା କିଛି ସନେ୍ଦହ ଥାଏ, ସେ ସବୁର ସରଳ ସମାଧାନ ସେ ତତକ୍ଷଣାତ୍ କରିଦିଅନ୍ତି । ମୋର ଭାଷାଗୁରୁ ପ୍ରଫେସର ଗୋଲୋକବିହାରୀ ଧଳ ଅକାଳରେ ଚାଲିଗଲେ, ଦ୍ୱିତୀୟ ଗୁରୁ ପ୍ରଫେସର ବିଜୟ ପ୍ରସାଦ ମହାପାତ୍ର କଲିକତାରେ ରହିଲେ । ତେଣୁ ପ୍ରଫେସର ପ୍ରଧାନ ମୋର ଭରସା ପାଲଟିଗଲେ । ଉକ୍ରଳ ବିଶ୍ୱବିଦ୍ୟାଳୟଠାରେ ସେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ପ୍ରଥମ କୁଳପତି ରହିଲେ । ତାଙ୍କ ଠାରୁ ଜ୍ଞାନ ଆହରଣ ନିମିତ୍ତ ମୁଁ ମାସ ମାସ ଧରି ପୁରୀରେ ରହେ । ତାଙ୍କ ଆଶୀର୍ବାଦରୁ ମୁଁ ସାଧନାର ସଫଳ ପାବଚ୍ଛ ସମୂହ ଅଚିରେ ଅତିକ୍ରମ କରିଛି । ସେ ମୋ ନିମିତ୍ତ ଚିରସ୍ମରଣୀୟ ।
ଆନନ୍ଦନଗର, କାଠଗଡା,
ଢେଙ୍କାନାଳ
ମୋ ୮୮୯୫୨୩୦୭୨୨