ବାରିକପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କାୟାକଳ୍ପ ବିଜେତା

  ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ବାରିକପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କାୟାକଳ୍ପ ବିଜେତା ହୋଇଛି । ୨୦୨୪ ବର୍ଷର ଅନୁଧ୍ୟାନ ଆଧାରରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଜିଲ୍ଲାସ୍ତରରେ ଶିର୍ଷସ୍ଥାନ ହାସଲ କରିଛି । ସ୍ୱଚ୍ଛତା, ପରିମଳ ବ୍ୟବସ୍ଥା, ବର୍ଜ୍ୟବସ୍ତୁ ପରିଚାଳନା, ସ୍ୱାସ୍ଥ୍ୟସେବା, ସଂକ୍ରମଣ ପ୍ରତିରୋଧକ ପରିବେଶ ସୃଷ୍ଟି, ସକାରାତ୍ମକ ରୋଗୀସେବା ସୁଯୋଗ ପ୍ରଦାନ, ରୋଗୀମାନଙ୍କ ପାଇଁ ପଥପ୍ରଦର୍ଶକକାରୀ ସୂଚନା ଫଳକ ଉପଲବ୍ଧ, ନଥିପତ୍ର ସୁପରିଚାଳନା ଭଳି ବିଭିନ୍ନ ମାନଦଣ୍ଡ ପୂରଣ କରି ଏହି ସ୍ୱାସ୍ଥ୍ୟକେନ୍ଦ୍ର ଜିଲ୍ଲାସ୍ତରରେ ବିଜେତା ହୋଇଛି । ଡାକ୍ତର ଦେବଦତ୍ତ ବିଶ୍ୱାଳ ଓ ଡାକ୍ତର ମଳୟରଞ୍ଜନ ସେନାପତିଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର(ପି.ଏଚ.ସି.) ଏହି ସଫଳତା ହାସଲ କରିଛି । ସେହିପରି ରହଣିଆ, ମଞ୍ଜୁରୀରୋଡ, ଜଗନ୍ନାଥପ୍ରସାଦ, ମଞ୍ଜୁରୀ ଓ ବିରୋଳି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର(ପି.ଏଚ.ସି.)ଗୁଡିକୁ ପ୍ରଶଂସା ମିଳିଛି । ଏହି କ୍ରମରେ ଭଣ୍ଡାରିପୋଖରୀ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ମଧ୍ୟ କାୟାକଳ୍ପ ମାନ୍ୟତା ପ୍ରଦାନ କରାଯାଇଥିବା ଜଣାଯାଇଛି । ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ତଥା ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କମଳାକାନ୍ତ ସ୍ୱାଇଁ ଓ ବି.ପି.ଏଚ.ଓ. ତଥା ଶଲ୍ୟଚିକିସôା ବିଶେଷଜ୍ଞ ଡାକ୍ତର ସରୋଜ କୁମାର ରାଉଳଙ୍କ ପରିଚାଳନା ଯୋଗୁଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏହି ମାନ୍ୟତା ହାସଲ କରିଛି ବୋଲି କର୍ମଚାରୀମାନଙ୍କ ପକ୍ଷରୁ ମତପ୍ରକାଶ ପାଇଛି ।