ବାଲି ଟ୍ରାକ୍ଟର ଜବତ, ୨ କୋର୍ଟ ଚାଲାଣ

 ବାଲିକୁଦା/ ପାଣିକୋଇଲି: ବେଆଇନ ବାଲି ପରିବହନ କରୁଥିବା ୨ ଟ୍ରାକ୍ଟରକୁ ବାଲିଚନ୍ଦ୍ରପୁର ପୁଲିସ ପଟ୍ଟାମୁଣ୍ଡାଇ କେନାଲ ବନ୍ଦ କଳାଶ୍ରୀ ନିକଟରୁ ଜବତ କରିଛି । ଏହାସହ ଦୁଇ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ରବିବାର ୨ଟି ବାଲି ବୋଝେଇ ଟ୍ରାକ୍ଟର ପଟ୍ଟାମୁଣ୍ଡାଇ କେନାଲ ରାସ୍ତାରେ ଯାଉଥିବା ସମୟରେ ପୁଲିସ ପାଟ୍ରୋଲିଂ ଭ୍ୟାନ ଉକ୍ତ ଗାଡ଼ି ଦୁଇଟିକୁ ଥାନାକୁ ନେଇଥିଲେ । ସେଠାରେ ଆବଶ୍ୟକୀୟ କାଗଜପତ୍ର ଦେଖାଇ ପାରି ନଥିଲେ । ନମ୍ବର ନଥିବା ଦୁଇ ଗାଡ଼ି ଜବତ କରିବା ସହ ଡ୍ରାଇଭର ବଡ଼ ବାଲିକୁଦାର ମନୋଜ ଦଳେଇ ଓ କଳାଶ୍ରୀ ଗୋପାଳପୁରର ଚନ୍ଦନ ମଲ୍ଲିକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ସମରଜିତ୍ ନାୟକ ସୂଚନା ଦେଇଛନ୍ତି । ଅପରପକ୍ଷେ ସୋମବାର ଖଣି ବିଭାଗ ପକ୍ଷରୁ ପାଣିକୋଇଲି ଆଙ୍କୁଲା ରାସ୍ତାର ନମିଟିକରିରେ ଚଢ଼ଉ କରାଯାଇ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି । ଚଢ଼ଉ ସମୟରେ ବାଲିର କୌଣସି ଟିପି ନଥିବାରୁ ବେଆଇନ ଚାଲାଣ ହେଉଥିବା ଜଣାପଡିଥିଲା । ଜୁନିଅର ଖଣି ଅଧିକାରୀ ଦିପ୍ତା ସୁନ୍ଦର ସେଠୀ, ଛାୟାକାନ୍ତ ମହନ୍ତ ଓ ପୁଲିସ ପ୍ରମୁଖ ଏହି ଚଢ଼ଉରେ ସାମିଲ ଥିଲେ ।