ସମ୍ବଲପୁରରେ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଆହତ
ସମ୍ବଲପୁର/କୁଚିଣ୍ଡା : ସମ୍ବଲପୁରରେ ପୁଣି ଏକ ପୋଲିସ ଏନକାଉଣ୍ଟର ଘଟଣା ସାମ୍ନାକୁ ଆସିଛି । ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ରଙ୍ଗିଆଟିକରା ଗ୍ରାମର ରାଜରାସ୍ତା ଉପରେ ହୋଇଛି ଏହି ବଡ଼ ଏନକାଉଣ୍ଟର। ପୋଲିସ ଏନକାଉଣ୍ଟରରେ ଗୋବିନ୍ଦପୁର ଥାନା ବାମରା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ସାର୍ଗିଡିହୀ ଗ୍ରାମର ସୀତାରାମ ଷଡଙ୍ଗୀ(୩୪) ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ସେ ବୁର୍ଲା ଭିମସାରରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ବାମଗୋଡ଼ ଆଣ୍ଠୁତଳକୁ ଗୁଳିବଦ୍ଧ ହୋଇଥିବାବେଳେ ଭିମସାରରେ ତାଙ୍କର ଚିକିତ୍ସା ଚାଲିଛି ।
ସୂଚନା ଅନୁଯାୟୀ, ଏକାଧିକ ଅପରାଧିକ ମାମଲାର ଜଡିତ ଅଭିଯୁକ୍ତ ସୀତାରାମ ସନ୍ଧାନରେ ପୋଲିସ ରହିଥିଲା। ତେବେ ତାଙ୍କ ବିରୋଧରେ ଗୋବିନ୍ଦପୁର ଥାନା କେସ ନମ୍ବର ୪୬/୨୫ରେ ଭାରତୀୟ ନ୍ୟାୟ ସଂହିତା ଦଫା ୩୧୦(୨) ଓ ଅସ୍ତ୍ରଶସ୍ତ୍ର ଆଇନରେ ରୁଜୁ ମାମଲାରେ ପୋଲିସ ତାଙ୍କ ଧରିବା ପାଇଁ ଯାଇଥିଲା। ଘଟଣା ଏମିତି ଥିଲା କି, ଭୋର ସାଢେ ୫ଟାରେ ବାଇକ୍ରେ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ଉପରକୁ ଗୁଳି ଚଲାଇ ଥିଲେ। ତେବେ ପୋଲିସର ପାଲଟା ଗୁଳି ଚାଳନାରେ ସେ ଗୁରୁତର ଆହତ ହୋଇ ବାଇକରୁ ପଡ଼ିଯାଇଥିଲେ। ପୋଲିସର ତାଙ୍କୁ ଗୁଳିବିଦ୍ଧ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କୁଚିଣ୍ଡା ଉପଖଣ୍ଡ ଚିତ୍ସାଳୟରେ ଚିକିତ୍ସା କରାଇଥିଲା। ଏହାବାଦ ତାଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି। ତାଙ୍କ ନାମରେ ସମ୍ବଲପୁର ସହିତ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲାର ବିଭିନ୍ନ ଥାନାରେ ଡକାୟତି, ଲୁଟ, ହତ୍ୟା ଉଦ୍ୟମ ଭଳି ୨୫ ରୁ ଅଧିକ ସଙ୍ଗୀନ ମାମଲା ରହିଛି ବୋଲି ପୋଲିସ କହିଛି। ତାଙ୍କ ନିକଟରୁ ପୋଲିସ ଏକ ୭.୬୫ ମିମି ଦେଶୀ ପିସ୍ତଲ, ୧ ରାଉଣ୍ଡ ଜୀବନ୍ତ ଗୁଳି, ୨ଟି ଖାଲି କାର୍ତୁସ (ପୋଲିସ ଉପରକୁ ଚଲାଇଥିବା ଗୁଳି),ନମ୍ବର ବିହୀନ ହିରୋ ସୁପର ସ୍ପେଣ୍ଡର ବାଇକ ଓ ନଗଦ ୧ ଲକ୍ଷ ଟଙ୍କାକୁ ଜବତ କରିଛି। ଅପରପକ୍ଷରେ ପୋଲିସ ସାଇଣ୍ଟିଫିକ ଦଳ ଘଟଣାସ୍ଥଳ ପରିଦର୍ଶନ କରି ଯାଞ୍ଚ କରିବା ସହିତ ତଦନ୍ତ ଜାରି ରଖିଛି।