ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ

 ରାୟଗଡ/ଗୁଣପୁର :  ଗୁଣପୁର ପୌର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବାଲ୍ୟବିବାହ ରୋକିବା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଓ "ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି ।  କିଶୋରୀ ବାଳିକାମାନେ ଭଲ ପାଇବାର ସଂଜ୍ଞା ଜାଣି ନ ଥିବା ବେଳେ କୁଚକ୍ରାନ୍ତକାରୀଙ୍କ କଥାରେ ବିମୋହିତ ହୋଇ ବିବାହ କରି  ମାତୃତ୍ୱ ଲାଭ କରିବା ଦେଖିବାକୁ ମିଳୁଥିବାରୁ ଏହାକୁ ରୋକିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ବାଲ୍ୟ ବିବାହ ରୋକିବା, ବାଲ୍ୟ ବିବାହ ଜନିତ କୁପ୍ରଭାବ ଯୋଗୁଁ ମା’ ଓ ଶିଶୁ ଜୀବନ ପ୍ରତି ବିପଦ ଥିବା ଆଦି ବିଷୟରେ ଗ୍ରାମାଞ୍ଚଳର ସମସ୍ତ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ନିମନ୍ତେ ଆହ୍ୱାନ ଦିଆଯାଇଥିଲା । ଗୁଣପୁର ଶିଶୁ ବିକାଶ ଯୋଜନା ଅଧିକାରୀ ସୁଷମା ପ୍ରସାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ମୁଖ୍ୟଅତିଥି, ଉପଖଣ୍ଡ ପ୍ରୋଗ୍ରାମ ଅଧିକାରୀ କଳ୍ପନା ମହାଙ୍କୁଡ଼, ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ, ଓକିଲ ସଂଘ ଉପସଭାପତି ରମେଶ ଚନ୍ଦ୍ର ଲିମା  ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବାଲ୍ୟ ବିବାହ ରୋକିବା ନିମନ୍ତେ  ଉଚ୍ଚତମ ନ୍ୟାୟାଳୟ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରିଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେବା ସମାଜ ସମ୍ପାଦିକା ରାଜେଶ୍ୱରୀ ଦଳେଇ, ବାଳ ନିକେତନ ଆବାହକ ଅଜିତ ମହାନ୍ତି, ସିଓ ସଂଗୀତା ପଟ୍ଟନାୟକ, ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଶିକ୍ଷୟିତ୍ରୀ ଓ ଅଧ୍ୟକ୍ଷଅଧ୍ୟକ୍ଷା, ଛାତ୍ରୀନିବାସର ମେଟ୍ରୋନ, ଅଙ୍ଗନବାଡି କର୍ମୀ, ଆଶା ଓ ସ୍ୱାସ୍ଥ୍ୟ କର୍ମୀ ପ୍ରମୁଖ ଯୋଗ ଦେଇଥିଲେ ।