‘ବିକଶିତ ଗାଁ, ବିକଶିତ ଓଡ଼ିଶା’ର ସ୍ୱତନ୍ତ୍ର ବୈଠକ
ନୀଳଗିରି: ରାଜ୍ୟକୁ ବିକାଶପଥରେ ଅଗ୍ରସର କରି ଏକ ସମୃଦ୍ଧ, ବିକଶିତ ରାଜ୍ୟରେ ପରିଣତ କରିବାପାଇଁ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ସାରା ରାଜ୍ୟରେ ପ୍ରଚଳନ କରାଯାଇଛି । ପ୍ରତି ଗ୍ରାମର ବହୁମୁଖୀ ବିକାଶ ସହିତ ଅଭିବୃଦ୍ଧି, ଗ୍ରାମୀଣ ଭିତ୍ତିଭୂମିର ବିକାଶ ହେଲେ ସମଗ୍ର ରାଜ୍ୟ ଏବଂ ରାଜ୍ୟବାସୀଙ୍କ କଲ୍ୟାଣ ହେବ । ଏହି ଯୋଜନା କିପରି ତୃଣମୂଳସ୍ତରରେ ପହଞ୍ଚି ଏହାର ତ୍ୱରିତ କ୍ରିୟାନ୍ୱୟନ ହୋଇପାରିବ ସେହି ଉଦେ୍ଦଶ୍ୟରେ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ଯୋଜନାର ସଫଳ ରୂପାୟନ ପାଇଁ ନୀଳଗିରି ପଞ୍ଚାୟତସମିତି ସଭାଗୃହରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ ସମିତି ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଥାନୀୟ ବିଧାୟକ ସନ୍ତୋଷ କୁମାର ଖଟୁଆ, ଉପାଧ୍ୟକ୍ଷ ଜନ୍ମେଜୟ ପୋଥାଳ, ସାଂସଦ ପ୍ରତିନିଧି କରୁଣାକର ପଣ୍ଡା, ଜିଲ୍ଲାପରିଷଦ ସଦସ୍ୟ/ସଦସ୍ୟା ଗତିକୃଷ୍ଣ ନନ୍ଦ, ରଞ୍ଜିତା ସିଂ, ସୁବର୍ଣ୍ଣା ମଞ୍ଜରୀ ସିଂ, ବ୍ଲକ ସହକାରୀ ନିର୍ବାହୀଯନ୍ତ୍ରୀ ସରୋଜ କୁମାର ଉପାଧ୍ୟାୟ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଯୋଜନାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ୧୪ଗୋଟି ବୈଶିଷ୍ଟ୍ୟକୁ ଆଧାର କରି କାର୍ଯ୍ୟକାରୀ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବିଧାୟକ ଶ୍ରୀଯୁକ୍ତ ଖଟୁଆ ନିଜ ମନ୍ତବ୍ୟରେ ପ୍ରକାଶ କରିଥିଲେ । ମୁଖ୍ୟତଃ ଗ୍ରାମାଞ୍ଚଳରେ ନଳା ପୋଲ, ଫେବର୍, ଅନ୍ତ ସଂଯୋଗୀକରଣ, ଜଙ୍ଗଲରେ ଅବସ୍ଥିତ ଜନବସତି ମାନଙ୍କରେ ରାସ୍ତାକୁ ମେଟଲିଂ, ଡ୍ରେନେଜ, କମୁ୍ୟନିଟି ସେଣ୍ଟର, କଲ୍ୟାଣମଣ୍ଡପ, ପାଠାଗାର, ଖେଳ ପଡିଆ ଠାରୁ ଶ୍ରେଣୀଗୃହ, ଧର୍ମପୀଠ, ଭୋଗମଣ୍ଡପ, ଶୌଚାଳୟ, ଜଳ ଯୋଗାଣ ଆଦି ବହୁମୁଖୀ ବିକାଶ ସହିତ ଉନ୍ନତି ନିମନ୍ତେ ଯୋଜନା ରହିଛି । ଏଥିସହିତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଇଣ୍ଟରନେଟ ସୁବିଧା, ପର୍ଯ୍ୟଟନ ବିକାଶ ଉପରେ ସରକାର ଗୁରୁତ୍ୱାରୋପ କରିଥିବା ଆଲୋଚନା ହୋଇଥିଲା ।