ଅଜଣା ଜଗତର ଡାକ
ଅଶୋକ ବିଶ୍ୱାଳ : ଶୋଭନାଙ୍କ ସେଥିରୁ ବହୁତ କିଛି ବୁଝିବାର ନଥିଲା । ଏତିକି ହେଲା ଯେ ଏମିତିଆ ଗଛ ପାଇଁ ଗୋଟାଏ ନାଁ ତ ମିଳିଗଲା । ଏମିତି ବର୍ଚ୍ଛା ଭଳି ବାହାରି ଆସିଥିବା ମୂଳ ଥିବା ଗଛର ନାଁ ହେଉଛି ଆଭିସେନିଆ । ଯେମିତିକି ଓଡିଆ କହୁଥିବା ଲୋକଟିକୁ ଓଡିଆ କୁହାଯାଏ, ବଙ୍ଗାଳୀ କହୁଥିବା ଲୋକଟିକୁ ବଙ୍ଗାଳୀ, ତେଲୁଗୁ କହୁଥିବା ଲୋକଟକୁି ତେଲେଙ୍ଗା କୁହାଯାଏ । ପରେ ସେମାନଙ୍କର ପ୍ରକୃତ ପରିଚୟ ଗାଁ, ସହର, ବା ଘର ଠିକଣାରୁଖୋଜାଯାଇପାରିବ । କିନ୍ତୁ ଏକ ଓଡିଆ ଶବ୍ଦରୁ ଅତି କମରେ କେଉଁଠିକାର ଲୋକ ତାହା ଜଣା ପଡିଯିବ । ତେଣୁ ଶୋଭନା ଏମିତି ବଡ ବଡ ନାମକୁ ସହଜିଆ ଭାବରେ ମନେରଖିବାକୁ ଚେଷ୍ଟା କରୁଥିଲେ । ସେମିତିଆ ମୂଳ ପାଖରେ ଛୋଟ ଛୋଟ ଆଭିସିନିଆ ଗଛ ମଧ୍ୟ ଖୁନ୍ଦି ହୋଇଥିଲା ।
କେଉଁଠି ପଛର ଜଙ୍ଗଲ ସ୍ପଷ୍ଟ ଦେଖାଯାଉଥିଲା ।ଗଛରେ ଭରି ଯାଇଛି । ମଝିରେ ମଝିରେ ଗଛର ଗଣ୍ଡି ଧଳା ଦେଖାଯାଉଥିଲା । ଅନ୍ୟଥା ପତ୍ର ସବୁ ଥିଲା ଗାଢ ସବୁଜ । ଗଛର ସମାହାର ଏକ ପର୍ବତ ଉପରେ ଅତି ସୁନ୍ଦର ଲାଗେ । ଯେମିତି ସବୁଜ ସବୁଜ ବିନ୍ଦୁମାନ କିଏ ପାହାଡ ସାରା ଥାପି ଦେଇଛି । କେଉଁଠି ବେଶି ଗାଢା ତ କେଉଁଠି କମ ଗାଢା । କିନ୍ତୁ ପାହାଡ ଭରିଯାଇଛି ସବୁଜ ବିନ୍ଦୁରେ । ସବୁ ପ୍ରକାର ଗଛ ନିଜର ମୁଣ୍ଡ ଟେକିଛନ୍ତି, ସୂର୍ଯ୍ୟ କିରଣକୁ ସମସ୍ତେ ଟିକେ ଟିକେ ହାତେଇ ନେବେ ।
ନଦୀର ପାଣି ସମୁଦ୍ର ପାଣି ଭଳି ନୀଳ ନୁହେଁ, କିନ୍ତୁ ପରିଷ୍କାର ପାଣି । ସେଥିରେ ଆକାଶ ମଝିରେ ମଝିରେ ଯାହା ନୀଳ ଦିଶୁଥିଲା । ପାଣି ଚହଲି ଯିବାରୁ ସବୁ ପ୍ରତଫଳନ ଚହଲି ଯାଉଥିଲା କିନ୍ତୁ ପରମୁହୁର୍ତ୍ତରେ ପାଣି ସ୍ଥିର ହୋଇଯାଉଥିଲା ଆଉ ଏକ ଦର୍ପଣ ଭଳି ପରିଷ୍କାର ଛବି ପ୍ରତିଫଳିତ ହେଉଥିଲା । ବେଳେବେଳେ ସେମାନଙ୍କ ବୋଟରେ ଆହୁଲାକୁ ରଖିଦେଉଥିଲେ ଆଉ ପ୍ରତିଫଳନକୁ ଦେଖୁଥିଲେ । ନଚହଲିଲେ ପାଣି ଏକ ପରିଷ୍କାର ଦର୍ପଣ ତ ଅଟେ ।ଦୁଇପାଖେ ଗଛସବୁ ପ୍ରତିଫଳନରେ ସବୁଜିଆ କଳା ଦେଖାଯାଉଥିଲାି ଆଉ ମଝିରେ ଥିଲା ଉଜ୍ଜ୍ୱଳ ନୀଳ ଆକାଶ । କିଛି ଧଳା ସୁନେଲୀ ବାଦଲ ପ୍ରତଫଳନରେ ଚମକୁଥିଲା । ଗୋଟାଏ ଯାଗାରେ ଏକ ଲୁଣା ଗଛର ବଙ୍କା ଡାଳ ନଦୀର ଏକଦମ ଅଧା ପର୍ଯ୍ୟନ୍ତ ମାଡ଼ିଆସିଥିଲା । ସେଥିରେ ଥିଲା ଛୋଟ ଲମ୍ବା ପତ୍ର । ସେମାନଙ୍କୁ ସାବଧାନରେ ଯିବାକୁ ପଡୁଥିଲା । ଗଛ ଲତା ସବୁ ଜାଗା ଜାଗାରେ ପାଣି ଉପରକୁ ନଇଁ ଆସିଥିଲା । ବେତ ଗଛମାନ କେଉଁଠି କେଉଁଠି ପାଣି ଉପରକୁ ଝୁଲିଆସିଥିଲା । ମଝିରେ ମଝିରେ ବଡଗଛମାନ ଉପୁଡି ପଡିଛି । ମୋଟା ଡାଳ ସ୍ପଷ୍ଟ ଦେଖାଯାଉଛି ବା ଅଗ କେଉଁଠି କେଉଁଠି ଦେଖାଯାଉଛି । ଏମିତି ପାଣିରେ ଡିଙ୍ଗି ସିନା ବାହି ହୋଇଯିବ, କିନ୍ତୁ ଇଂଜିନ ଚାଳିତ ବୋଟ ଯିବା କଷ୍ଟ । ଜାଗାଏ ଜାଗାଏ ଧାରରେ ପାଣ୍ଡାନାସ ଗଛମାନ ଥିଲା । ଜଙ୍ଗଲ ଭିତରେ ଏ ଗଛ ତ ଶୋମ୍ପେନମାନଙ୍କୁ ଖାଇବା ଯୋଗାଏ । ଜଙ୍ଗଲର ଫଳମୂଳ ଖାଇ ତ ଏହି ଅତି ଆଦିମ ଅଧିବାସୀମାନେ ଜୀବନ ଧାରଣ କରିଛନ୍ତି । ଏକ କୂଳରେ ନିପା ପାମଗଛମାନ ଏକ ଛୋଟ କଲୋନୀ କରିଥିଲା । ନିପା ପାମର ମୋଟ ମୂଳ ଆଉ ତା’ପରେ ଡାଳ ସବୁ ନଡିଆ ଗଛର ଲମ୍ବା ପତ୍ର ଭଳି ଲାଗୁଥିଲା । କିନ୍ତୁ ଏଠି ପତ୍ରଟି ପତ୍ର ବେଶି ଚଉଡା । ସେ ଭିତରେ କେଉଁ କେଉଁ ଗଛର ସାମାନ୍ୟ କଳା ପଡିଯାଇଥିବା ସପୁରୀ ଭଳି ବଡ ଫଳ ମଧ୍ୟ ଥିଲା । ସେହି ନିପା ବୁଦାମାନଙ୍କ ଭିତରେ ସରୁଆ ନାଳମାନ ଭିତରକୁ ଯାଇଥିଲା । ବୋଧହୁଏ କେଉଁ ଛୋଟ ନାଳା । ବର୍ଷାରେ ପାଣି ନଦୀ ଭିତରକୁ ବୋହିଆସୁଥିବ, ଜୁଆରରେ ପାଣି ସେ ଭିତରକୁ ଚାଲିଯାଉଥିବ । ଠିକ ନଦୀକୂଳଆ ଗଛମାନ ଏଠି କିଛି ଭାବରେ ପ୍ରକୃତ ଲୁଣା ଜଙ୍ଗଲ ବା ମ୍ୟାନଗ୍ରୁଭ ଫରେଷ୍ଟ ।
“ନାମକରଣ କ’ଣ ବୁଝିହେଲା ଭଳି ହୋଇଥିବ?”-ଶୋଭନା ବହୁ ସମୟପରେ ବେଶି କିଛି ବୁଝିନପାରିପାରି ଶେଷରେ ଅସୀମଙ୍କୁ କହିଲେ । ଏ ଜଙ୍ଗଲରେ ଗଛ ଲତାକୁ ବୁଝିବା ବା ନାମ ମନେ ରଖିବା କଷ୍ଟ । ଆଣ୍ଡାମାନରେ କାଳେ ଲୋକେ ନିଜ ହିସାବରେ ନାଁ ସବୁ ରଖିଦେଇଛନ୍ତି ଆଉ ସେଥିରୁ ସହଜରେ ଗଛର ନାଁ ମନେ ରହିଯାଉଛି । ଶୋଭନାଙ୍କ ଭଳି ଉଦ୍ଭିଦ ବିଜ୍ଞାନ ଜାଣିନଥିବା ବ୍ୟକ୍ତିଙ୍କପାଇଁ ସହଜ ନାମକରଣ ଦରକାର ।
“କିଛି ତ ହୋଇଛି ।”- ଅସୀମ କହିଲେ । ତାଙ୍କୁ ଜୁଲୋଜିକାଲ ବା ବୋଟାନିକାଲ ନାମମାନ ମନେ ରହେନି । କିନ୍ତୁ ସାଧାରଣ ନାମମାନେ ମନେ ରହିଯାଏ ।
ବୋଟାନିକାଲ ନାମମାନ ଗଛକୁ ଭଲଭାବେ ଚିହ୍ନିବାପାଇଁ ଦରକାର । ସେମିତି ଜୁଲୋଜିକାଲ ନାମମାନ ଅଛି ପ୍ରାଣୀ ଜଗତକୁ ଭଲଭାବରେ ଜାଣିବାପାଇଁଦରକାର । କେଉଁ ନା କେଉଁ ସୂତ୍ର ବାହାରକରି ପ୍ରକୃତ ଗଛ ବା ପ୍ରାଣୀକୁ ଠିକ ଭାବେ ଚିହ୍ନିି ହୁଏ । ସେ ନାଁରୁ ବାପ ନାଁ, ମାମୁଁ ନା, ଗ୍ରାମ, ସହର ଆଦି ଜାଣିହୁଏ ଯେମିତିକି ଏକ ଦକ୍ଷିଣ ଭାରତୀୟ ନାଁରୁ ଗାଁ ନାଁରୁ ଆରମ୍ଭ କରି, ପିତାର ନାମ ପର୍ଯ୍ୟନ୍ତ ଜଣାଯାଏ, ସେମିତି ଏହି ବୈଜ୍ଞାନିକ ନାମଗୁଡାକ । ଅସୀମ ଏତେ ମନେ ରଖିପାରନ୍ତିନାହିଁ । କିନ୍ତୁ କିଛି ସାଧାରଣ ନାଁ ମନେ ରଖିପାରନ୍ତି ।
“ନାଁ ଗୁଡା ତୁମକୁ ମଜାଦାର ଲାଗିବ । ତା’ପରେ ତୁମକୁ ଏ ପାଣିରେ ଗଛ ଦେଖିବାକୁ ମଜା ଲାଗିବ ।”- ଅସୀମ ଶୋଭନାଙ୍କୁ ପୁଣି କହିଲେ । ସତ କହିବାକୁ ଗଲେ ଶୋଭନାଙ୍କୁ ଗଛ ପତ୍ରର ବିବିଧତା ଏତେ ଆକର୍ଷଣ କରେନା । ମୁଖ୍ୟ କଥା ହେଉଛି ସେ ଗଛ ସମ୍ବନ୍ଧୀୟ ବହୁ କଥା ବୁଝିପାରନ୍ତିନି । ଏବେ କିନ୍ତୁ ଜାଣିବାକୁ ଚେଷ୍ଟା କଲେଣି । ତାଙ୍କ ହିସାବରେ ଗଛର ଅର୍ଥ ହେଉଛି ଗଛରେ ଏକ ଗଣ୍ଡିଥିବ ଆଉ ତା’ର ଚେର ଥିବ, ଉପରେ ଶାଖା ପ୍ରଶାଖା ଥିବ, ଡାଳରେ ପତ୍ରମାନ ଥିବ,ଫୁଲ ଫୁଟୁଥିବ, ଫଳ ଝୁଲୁଥିବ, ପକ୍ଷୀମାନେ ଲୁଚି ବସି ଗୀତ ବୋଲୁଥିବେ । ପବନରେ ପତ୍ରମାନ ଥରୁଥିବ, ଶୀତ ଦିନରେ ପତ୍ର ଶୁଖି ଝଡି ପଡୁଥିବ । ବସନ୍ତରେ ନବ ପତ୍ର ଆସୁଥିବ । ଫଳ ପୂର୍ବରୁ ଗଛରେ ବଉଳ ଆସୁଥିବ,ସେ ସମୟରେ କେତେ ମହୁମାଛି ଆସୁଥିବେ । ଫଳହେଲେ ପକ୍ଷୀ, ବାଦୁଡିମାନେ ଖାଇ ଖଣ୍ଡିଆ କରିଦେଉଥିବେ । ଫଳକୁ ଲୋକେ ପାରିନେଉଥିବେ ବା ତଳେ ପଡୁଥିବା ସେଥିରୁ ନୂଆ ଗଜା ହେଉଥିବ । ତେଣୁ ଆଉ ବେଶି ବିବିଧତା କଥା ଶୋଭନା ଭାବନ୍ତିନି । ଆଉ ଏ ଖାଡି ଜଙ୍ଗଲ ତାଙ୍କ ବାପ ଘରର ଆଖପାଖରେ ନାହିଁ କି ସେ ଜଙ୍ଗଲ ବିଷୟରେ କେହି ଆଲୋଚନା କରନ୍ତିନି । ନୂଆ କଥାଟା ଯେ, କ୍ୟାମ୍ପବେଲ ବେରେ କେତେ ନୂଆ, ଅଜଣା କଥା ଶୁଣିଲେଣି । ତେଣୁ ଆଉ କିଛି କଥା ଶୁଣିନେବେ । “ଗଛ ନାଁ ଗୁଡା ଅଦ୍ଭୂତ । ସଜନା ଖାଡି, କାହିଁକି ନା ଏହାର ଫଳ ବା ଚେର ସଜାନା ଛୁଇଁ ଭଳି ଲାଗେ ।”-ଅସୀମ କହିଲେ ।
“କିଛି ପରିବା ପତ୍ର ଅଛି ନା କ’ଣ?”
ଭିଣ୍ଡି ଖାଡି, ଟମାଟର ଖାଡି ।”-ଅସୀମ କହିଲେ ଓ ଟିକେ ହସିଲେ । “ଭେଣ୍ଡି ଭଳିଆ ଲୁଣା ବା ଖାଡି ଗଛର କିଛି ଫଳ ଦେଖାଯାଏ, ତେଣୁ ଭିଣ୍ଡି ଖାଡି । ଗଛରେ ଟମାଟର ଭଳିଆ ଫଳ ଝୁଲୁଥାଏ, ତେଣୁ ଟମାଟର ଖାଡି ।”-ଅସୀମ ପୁଣି କହିଲେ । “ଆଉ ବହୁ ପରିବା ଛାଡିଗଲ । ନିଶ୍ଚିତ ଭାବେ ଆଉ କିଛି ଗଛ ଥିବ । ଏଇ ଯେମିତି ଲାଉ, କଖାରୁ, ଅମୃତଭଣ୍ଡା, କଲରା । ସବୁ ପରିବା ପରେ ଏକ ଏକ ଖାଡି ଲଗାଇଦିଅ । ଅଟକି ଗଲ ଯେ ।”-ଶୋଭନା ଏବେ ହସି ହସି କହିଲେ ।
(କ୍ରମଶଃ) ଭୁବନେଶ୍ୱର