ବିଜେଡି ଛାଡି ବିଜେପିରେ ମିଶିଲେ ଚିକଲପଦର ସମିତି ସଭ୍ୟ
ଉମରକୋଟ : ଝରିଗାଁ ବିଧାନସଭା ଆସନରୁ ଭୋଟ ଲଢ଼ି ନରସିଂହ ଭତରା ବିଧାୟକ ହେବା ପରେ ଝରିଗାଁ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପିର ଲୋକପ୍ରିୟତା ବଢୁଥିବା ଦେଖିବାକୁ ମିଳିଛି । ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଲୋକଙ୍କୁ ଆକୃଷ୍ଟ କରୁଛି । ଅନେକ ନେତା ଓ କର୍ମୀ ବିଭିନ୍ନ ଦଳ ଛାଡି ବିଜେପିରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ଆଜି ଚିକଲପଦର ପଞ୍ଚାୟତର ସମିତି ସଭ୍ୟ ସନତ ହାଲଦାର ଓ ସପନ ମିସ୍ତ୍ରୀ ବରିଷ୍ଠ କର୍ମୀ ମଧ୍ୟ ବିଜେଡି ଛାଡି ବିଜେପିରେ ମିଶିଥିବା ସୂଚନା ମିଳିଛି । ଆଗାମୀ ଦିନରେ ତାଙ୍କର ସମସ୍ତ କର୍ମୀ ଓ ସମର୍ଥକ ମଧ୍ୟ ବିଜେପିରେ ମିଶିବା ନେଇ ସମିତି ସଭ୍ୟ ସନତ ହାଲଦାର ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ପୂର୍ଲା ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ବୈଠକ କରି ବିଧାୟକ ନରସିଂହ ଭତରା ସମିତି ସଭ୍ୟଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣେଇବା ସହ ଜନ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ଅନ୍ୟ ଦଳୀୟ କର୍ମୀ ଓ କର୍ମକର୍ତ୍ତାମାନଙ୍କ ମଧ୍ୟରେ ସମିରଣ ରାୟ, ପାଞ୍ଚନନ ବାବଳୀ, ସାୟାମଲାଲ ବିଶ୍ୱାସ, ସୁଜନ ଭୋକ୍ତ, ବୋଲରମ ଗଣ୍ଡ, ମଣ୍ଡଳ ସଭାପତି ଉତ୍ତମ ହରିଜନ, ସନୁ ଗୌଡ଼ ସମେତ ଅନେକ କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ରହି ଦଳରେ ନୂତନ ଭାବେ ସାମିଲ ହୋଇଥିବା ସମିତି ସଭ୍ୟଙ୍କୁ ସ୍ୱାଗତ ଜଣେଇଛନ୍ତି ।