ବିଜେପିକୁ ଅଡୁଆ ଗୋଷ୍ଠୀବାଦ ; ସମାଧାନ କରିବାରେ ବିଫଳ ଗୌତମ

ଯାଜପୁର : ଓଡ଼ିଶାବାସୀ ଚାହିଁଲେନି ବୋଲି ମେଣ୍ଟ ହେଲାନି । ଏଣୁ ଓଡ଼ିଶାରେ ବିଜେଡ଼ି ସହ ବିଜେପିର ମୁହାଁମୁହିଁ ଲଢେଇ ହେବ । ଏକଥା ବିଜେପିର ଚାଣକ୍ୟ ବୋଲି କୁହାଯାଉଥିବା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ସାକ୍ଷାତକାରରେ ମତ ରଖିଛନ୍ତି । ବିଜେପି ରଣନୀତିକାର ଶାହାଙ୍କ ଏକଥାକୁ କୌଣସି ମତେ ହାଲକା ଭାବେ ନିଆଯାଇନପାରେ । ବିଜେପି-ବିଜେଡ଼ି ମେଣ୍ଟକୁ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିବା ପରେ ଶାହାଙ୍କ ପକ୍ଷରୁ ଆସିଥିବା ମତ ଗୋଟିଏ କଥା ସ୍ପଷ୍ଟ କରୁଛି କି ବିଜେପି ଓଡ଼ିଶାରେ ବିଜେଡ଼ି ସହ ଲଢେଇ କରିବାକୁ ସମସ୍ତ ପ୍ରକାର ରଣନୀତି ପ୍ରସ୍ତୁତି କରିଛି । ଯେଉଁ ଦଳର ରଣନୀତି ଭୋଟରଙ୍କ ମନକୁ ପାଇଲା, ସେହିଦଳକୁ ସଫଳତା ମିଳିବ । କିନ୍ତୁ ବିଜେଡ଼ି ସହ ମୁହାଁମୁହିଁ ଲଢିବାକୁ ପଣ କରିଥିବା ବିଜେପି ଯାଜପୁରରେ ଗୋଷ୍ଠୀବାଦରେ ଛନ୍ଦି ହୋଇପଡ଼ିଛି । ନିର୍ବାଚନ ତାରିଖ ପାଖେଇ ଆସୁଥିଲେ ହେଁ ବିଜେପି ନେତୃତ୍ୱ ଗୋଷ୍ଠୀବାଦ୍ର ସମାଧାନ କରିବାକୁ ସକ୍ଷମ ହୋଇପାରିନାହାନ୍ତି । ରାଜ୍ୟ ନେତୃତ୍ୱ ଟିକେଟ ଚୟନ କାର୍ଯ୍ୟରେ ବ୍ୟସ୍ତ ଥିବା ବାହାନାରେ ଗୋଷ୍ଠୀବାଦକୁ ନଜରଅନ୍ଦାଜ କରି ଚାଲିଥିବା ବେଳେ ଜିଲା ମଙ୍ଗୁଆଳ ତଥା ସଭାପତି ଗୌତମ ରାୟ ମଧ୍ୟ ଏହାର ସମାଧାନ କରିବାରେ ବିଫଳ ହୋଇଛନ୍ତି । ଚଳିତ ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ବିଜେପିରେ ଗୋଷ୍ଠୀବାଦ୍ ଉପୁଜିଛି । ଦଳ ବରୀକୁ ଛାଡ଼ି ଦେଲେ ସବୁ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଘୋଷଣା କରିସାରିଛି । ପ୍ରାର୍ଥୀ ଘୋଷଣା ପରେ ଧର୍ମଶାଳା, କୋରେଇ, ଯାଜପୁରର ନିରାଶ ଆଶାୟୀ ଦଳର ନିଷ୍ପତ୍ତି ବିରୁଦ୍ଧରେ ସ୍ୱର ଉଠାଇଛନ୍ତି । ଧର୍ମଶାଳାର ପ୍ରମୁଖ ଦାବିଦାର ଥିବା ହିମାଂଶୁ ଶେଖର ସାହୁ ଦଳ ନିଷ୍ପତ୍ତି ପରିବର୍ତ୍ତନ ନକଲେ ସେ ସ୍ୱାଧୀନ ଭାବେ ଲଢିବାକୁ ଖୋଲା ଖୋଲି ଭାବେ ଘୋଷଣା କରିସାରିଛନ୍ତି । ଯଦିଓ କୋରେଇରୁ ନିରାଶ ହୋଇଥିବା ବିଶ୍ୱଜିତ ନାୟକ କି ଆଲେକ୍ଜାଣ୍ଡାର ଦାସ ଦଳର ନିଷ୍ପତ୍ତି ବିରୁଦ୍ଧରେ ଖୋଲା ବିଦ୍ରୋହ କରି ନାହାନ୍ତି କିନ୍ତୁ ପ୍ରାର୍ଥୀ ଆକାଶ ଦାସନାୟକଙ୍କୁ ସହଜରେ ହଜମ କରିପାରି ନାହାନ୍ତି । ଯେଉଁ କାରଣରୁ ପ୍ରାର୍ଥୀ ଏବଂ ନିରାଶ ଆଶାୟୀ ଏଯାବଦ ଏକାଠି ହୋଇପାରି ନାହାନ୍ତି । ରାଜ୍ୟ ସଭାପତି ଥରୁଟିଏ ପ୍ରାର୍ଥୀ ଆକାଶ ଏବଂ ନିରାଶ ଆଶାୟୀଙ୍କୁ ଏକାଠି କରିଥିଲେ ହେଁ ପରବର୍ତ୍ତି ସମୟରେ ତିନିନେତା ଏକାଠି ସାମ୍ନାକୁ ଆସିନାହାନ୍ତି । ସମାଧାନ ସୂତ୍ର ବାହାର କରି ଜିଲା ସଭାପତି ଗୋଷ୍ଠୀବାଦର ପରିସମାପ୍ତି କରିବା ଦିଗରେ ଯେଭଳି ତତ୍ପରତା ଦେଖାଇବା କଥା ଦେଖାଇପାରିନାହାନ୍ତି । ଗୋଷ୍ଠୀବାଦ ଯୋଗୁ ବିଜେପି ଧର୍ମଶାଳାରେ ବଡ଼ ସଙ୍କଟର ସମ୍ମୁଖିନ ହେବାକୁ ଯାଉଥିବା ବେଳେ କୋରେଇରେ ମଧ୍ୟ ଦଳକୁ ଗୋଷ୍ଠୀବାଦ ଅଡ଼ୁଆ କରିବାର ଆଶଙ୍କା ରହିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଜିଲା ମଙ୍ଗୁଆଳ ଗୌତମ ରାୟ ଗୋଷ୍ଠୀବାଦ ସ୍ଥାୟୀ ସମାଧାନ କରିବା ବଦଳରେ ନିଜ ନିର୍ବାଚନ ମଣ୍ଡଳୀ ଯାଜପୁରରେ ବାନ୍ଧି ହୋଇଯାଇଛନ୍ତି । ୨୦୦୯, ୨୦୧୯ରେ ବିଜେପିରୁ ଲଢି ବିଜେଡ଼ିର ପ୍ରଣବପ୍ରକାଶ ଦାସଙ୍କ ଠାରୁ ହାରିଥିବା ଗୌତମଙ୍କୁ ୨୪ରେ ଦଳ ପ୍ରାର୍ଥୀ କରିଛି । ହ୍ୟାଟି୍ରକ ବିଜୟ ହାସଲ କରିଥିବା ପ୍ରଣବ ପ୍ରକାଶ ସମ୍ବଲପୁର ଲୋକସଭା ଆସନରୁ ଲଢିବାକୁ ଯାଇ ଯାଜପୁରକୁ ଛାଡ଼ି ଯାଇଥିବାରୁ ଗୌତମ ଏଇ ମୋଉକାରେ ଚୋଉକା ମାରିବା ଆଶାରେ ନିର୍ବାଚନ ମଣ୍ଡଳୀରେ ପଡ଼ିରହିଛନ୍ତି । ନିଜର ସଫଳତାପାଇଁ ଗୌତମ ଜିଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଉପୁଜିଥିବା ଗୋଷ୍ଠୀବାଦର ସମାଧାନକୁ ଗୋଟେ ପଟେ ନଜରଅନ୍ଦାଜ କରିଚାଲିଥିବା ନିଜ ନିର୍ବାଚନ ମଣ୍ଡଳୀରେ ଉପୁଜିଥିବା ଗୋଷ୍ଠୀବାଦର ମଧ୍ୟ ସମାଧାନ କରିବାକୁ ସମର୍ଥ ହୋଇପାରୁନାହାନ୍ତି । ଗୌତମଙ୍କୁ ଦଳ ପ୍ରାର୍ଥୀ କରିବା ପରେ ଯାଜପୁରରୁ ଲଢିବାକୁ ଆଶାୟୀ ରହିଥିବା ସଂଗ୍ରାମ ମହାପାତ୍ର ତାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛନ୍ତି । ସଂଗ୍ରାମ ଗୌତମଙ୍କ ପାଇଁ ସଂଗ୍ରାମ କରିବା ମୁଡ଼ରେ ନଥିବା ବେଳେ ସେମଧ୍ୟ ତାଙ୍କୁ ମନାଇବାରେ ସମର୍ଥ ହୋଇପାରି ନାହାନ୍ତି । ବିଞ୍ଝାରପୁରରେ ଗୋଷ୍ଠୀବାଦ ହାଟପରେ ପଡ଼ି ଦାଣ୍ଡରେ ଗଡ଼ିନି ସତ ହେଲେ ବବିତା ମଲିକଙ୍କୁ ଦଳ ପ୍ରାର୍ଥୀ କରିବାପରେ ଅନ୍ୟତମ ଆଶାୟୀ ଅମୀୟ ମଲିକଙ୍କ ନିରବତାକୁ ଗୌତମ ଭାଙ୍ଗି ଦଳୀୟ କାର୍ଯ୍ୟରେ ସାମିଲ କରିବାକୁ ଆଗ୍ରହ ଦେଖାଇ ନାହାନ୍ତି । ବିଜେପି କେନ୍ଦ୍ରୀୟ ଏବଂ ରାଜ୍ୟ ନେତୃତ୍ୱ ବିଜେଡ଼ି ସହ ମୁକାବିଲା ମୁୁଡ଼ରେ ରହିଥିବା ବେଳେ ଯାଜପୁର ଜିଲା ସଭାପତି ଗୌତମ ଯାଜପୁର ଜିଲାରେ ଗୋଷ୍ଠୀବାଦର ପରିସମାପ୍ତି କରିବାରେ ବିଫଳ ହେବା ବିଜେପିକୁ ଅଡ଼ୁଆ କରିଛି । ଯାହାର ଫାଇଦା ବିଜେଡ଼ି ଉଠାଇବା ଲକ୍ଷ୍ୟରେ ରହିଛି । ଯଦି ଦେଖିବା ତେବେ ଗୋଷ୍ଟିବାଦ ଏବର ସମୟର ନୁହେଁ । ବିଜେପିରେ ଗୋଷ୍ଠୀବାଦ ୨୦୧୯ରେ ବି ଦେଖିବାକୁ ମିଳିଥିଲା । ପଞ୍ଚାୟତ ନିର୍ବାଚନରେ ସଫଳତା ପାଇବା ପରେ ବିଜେପିକୁ ବିଭିନ୍ନ ଦଳର ନେତୃତ୍ୱ ଏବଂ ସମର୍ଥକଙ୍କ ପ୍ରବେଶ ଘଟିିଥିଲା । ଅନ୍ୟଦଳରୁ ଆସିଥିବା ନେତୃତ୍ୱଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ବିସ୍ଫୋରକ ପରିସ୍ଥିତ ସୃଷ୍ଟି ହୋଇଥିଲା । ନୂଆ-ପୁରୁଣାର ବିଭେଦ ଦେଖିବାକୁ ମିଳିଥିଲା । ଯାହାର ଫଳ ସ୍ୱରୂପ ଉକ୍ତ ନିର୍ବାଚନରେ ବିଜେପି ଗୋଟିଏ ବି ବିଧାନସଭା ଆସନ ଦଖଲ କରିବାକୁ ସମର୍ଥ ହୋଇ ପାରିନଥିଲା । ୨୪ନିର୍ବାଚନରେ ସେଭଳି କିଛି ଘଟିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ତେବେ ଗୌତମଙ୍କ ଯେ ସଂଗଠନ ଦକ୍ଷତା ନାହିଁ ତାହା କୁହାଯାଇପାରିବନି । ଜଣେ ଦୃଢ ସଂଗଠକ ଯୋଗୁ ବିଜେପି ତାଙ୍କୁ ଯାଜପୁର ଭଳି ବିଜେଡ଼ି ଗଡ଼ରେ ସଭାପତି ଆସନରେ ବସାଇଚାଲିଛି । ଛାତ୍ର ରାଜନୀତିରୁ ରାଜନୈତିକ ଜୀବନ ଆରମ୍ଭ କରି ଏକଦା ବ୍ଲକ, ଜିଲାପରିଷଦ ଅଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଧିଷ୍ଟ ହୋଇପାରିଥିବା ଗୌତମ ଏସବୁ ପଦପଦବୀରେ ବିଜେଡ଼ିରେ ଥିବା ସମୟରେ ହାସଲ କରିଛନ୍ତି । ଜଣେ ଅଣକଂଗ୍ରେସ ରାଜନେତା ଭାବେ ପରିଚିତ ଗୌତମ ୨୦୦୯ ସାଧାରଣ ନିର୍ବାଚନରେ ବିଜେଡ଼ି ଦଳରୁ ମନପସନ୍ଦର ବା ନିଜ ନିର୍ବାଚନ ମଣ୍ଡଳୀ ‘ଯାଜପୁର’ରୁ ପ୍ରତିଦ୍ୱନ୍ଦିତା ପାଇ ସୁଯୋଗ ନପାଇବାରୁ ଦଳ ଛାଡ଼ି ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ହାରିଯାଇଥିଲେ ହେଁ ଗୌତମ ନିଜସ୍ୱ ସାଂଗଠନିକ ଦକ୍ଷତାର ପ୍ରମାଣ ଦେଖାଇଥିଲେ । ସୂଚନା ଥାଉକି ସାଧୁଗୌରେଶ୍ୱର ମହାବିଦ୍ୟାଳୟରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଗୌତମ ୧୯୮୬ ମସିହାରେ ଜନତା ଦଳର ସେକ୍ରେଟାରୀ ହୋଇ ଦାଇତ୍ୱ ସୂଚାରୁରୂପେ ତୁଲାଇଥିଲେ । ଜଣେ ଭଲ ସଂଗଠକ କାରଣରୁ ୧୯୯୨ମସିହାରେ ଦଶରଥପୁର ବ୍ଲକ ଅଧ୍ୟକ୍ଷ ଓ ପରେ ୨୦୦୨ରେ ଯାଜପୁର ଜିଲ୍ଲାପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏପରିକି ବିଜେଡ଼ି ଗଠନ ପରେ ଗୌତମ ଜିଲା ସଭାପତି ଭାବେ ଅବସ୍ଥାପିତ ହୋଇ ନିଜର ସାଂଗଠନିକ ଦକ୍ଷତାର ପରିଚୟ ଦେଇଥିଲେ । ଯେଉଁ କାରଣ ପାଇଁ ୨୦୦୪ ରେ ଯାଜପୁର ବଦଳରେ ବଡ଼ଚଣାରୁ ଲଢିବାକୁ ସୁଯୋଗ ଦିଆଯାଇଥିଲା । ନିଜସ୍ୱ ସଂଗଠନ ନଥିବା ବଡ଼ଚଣାରୁ ପ୍ରତିଦ୍ୱନ୍ଦିତା କରି ଗୌତମ କଂଗ୍ରେସର ସୀତାକାନ୍ତ ମହାପାତ୍ରଙ୍କ ଠାରୁ ମାତ୍ର ୪୬୭୯ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ତେବେ୨୦୦୯ରେ ଯାଜପୁରରୁ ଲଢିବାକୁ ବିଜେଡ଼ି ସୁଯୋଗ ନଦେବାରୁ ସେ ବିଜେପିରୁ ନିର୍ବାଚନ ଲଢିଥିଲେ । ୨୦୦୯ରୁ ଏଯାବଦ ଦଳକୁ ସଂଚାଳନ କରି ଆସୁଥିବା ଗୌତମ ବିଜେପି ଗୋଷ୍ଠୀବାଦର ସମାଧାନ କରିବାରେ ସଫଳ ନହେବା ଚିନ୍ତାର ବିଷୟ ହୋଇଥିବା ବେଳେ ଏହାର ସିଧା ପ୍ରଭାବ ନିର୍ବାଚନରେ ପଡ଼ିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।