ବିଜେପିର ମଣ୍ଡଳସ୍ତରୀୟ କର୍ମଶାଳା
ଢେଙ୍କାନାଳ : କେନ୍ଦ୍ର ସରକାରଙ୍କ ୧୧ବର୍ଷ ଓ ରାଜ୍ୟ ସରକାରଙ୍କ ୧ବର୍ଷ ପୂର୍ତ୍ତି ଅବସରରେ ସ୍ଥାନୀୟ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଢେଙ୍କାନାଳ ନଗର ମଣ୍ଡଳ ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ବିକାଶ କୁମାର ସାହୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ଢେଙ୍କାନାଳ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ମୁଖ୍ୟଅତିଥି ଓ ରାଜ୍ୟ ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ଅକ୍ଷୟ କୁମାର ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ୧୧ବର୍ଷର ସଫଳତା ବାବଦରେ କହିବା ସହ କେନ୍ଦ୍ର ସରକାର ଦେଶକୁ ସବୁ କ୍ଷେତ୍ରରେ ଶୀର୍ଷ ସ୍ଥାନରେ ପହଞ୍ଚାଇ ଏକ ବିକାଶଶୀଳ ରାଷ୍ଟ୍ରଭାବେ ପରିଣତ କରିବାକୁ ଯାଉଛି ବୋଲି କହିଥିଲେ । ସେହିପରି ରାଜ୍ୟରେ ବିଜେପି ସରକାର ଏକ ବର୍ଷ ଭିତରେ ଜନସାଧାରଣଙ୍କୁ ଦେଇଥିବା ପ୍ରାୟ ସମସ୍ତ ପ୍ରତିଶ୍ରୁତି ପୂରଣ କରିବାରେ ସଫଳ ହୋଇଛି । ସେଥିମଧ୍ୟରୁ ଶ୍ରୀ ମନ୍ଦିରର ଚାରିଦ୍ୱାର ଖୋଲିବା, ଧାନର କ୍ୱିଂଟାଲ୍ ପିଛା ୩୧୦୦ଟଙ୍କାକୁ ବୃଦ୍ଧି, ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫ବର୍ଷରେ ୫୦ ହଜାର ଟଙ୍କା ସହାୟତା, ଆୟୁଷ୍ମାନ୍ ଭାରତ ଯୋଜନା ରାଜ୍ୟରେ ଲାଗୁ କରିବା ଓ ଓବିସିଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ପ୍ରମୁଖ ଯୁଗାନ୍ତକାରୀ ପଦକ୍ଷେପ ଉପରେ ଆଲୋକପାତ କରିବା ସହ ଢେଙ୍କାନାଳରେ ସରକାରଙ୍କ ଦ୍ୱାରା ମେଡିକାଲ୍ କଲେଜ୍ ଘୋଷଣା, ମହିମାଗାଦିର ଉନ୍ନତିକରଣ ଓ ଶୂନ୍ୟ ମନ୍ଦିର ନିର୍ମାଣ ପାଇଁ ୧୭୧ କୋଟ ଟଙ୍କା ଅନୁଦାନ ତଥା ଅନେକ ଗୁଡିଏ ଶିଳ୍ପ ପ୍ରତିଷ୍ଠା ଓ ବିକାଶମୂଳକ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ନିର୍ବାଚନ ମଣ୍ଡଳୀ ସଂଯୋଜକ ବିଷ୍ଣୁ ପ୍ରସାଦ ଲେଙ୍କା ଓ ସହ ସଂଯୋଜକ ଧୃବଚରଣ ସ୍ୱାଇଁ ମଞ୍ଚାସୀନ ଥିଲେ । କର୍ମଶାଳାରେ ଜିଲ୍ଲା ଉପସଭାନେତ୍ରୀ ଭାରତୀ ସ୍ୱାଇଁ, ବରିଷ୍ଠ ନେତା ସନ୍ତୋଷ ରାଉତ, ବିଭୁତି ଷେଣ୍ଢ, ପ୍ରତାପ ନାଏକ, ଉଲ୍ଲି ନାଏକ, ସୁଚିତ୍ର ବେହେରା, ନିଲମ୍ ବେହେରା, କନିଷ୍କ ଷଣ୍ଢ, ସଚ୍ଚିଦାନନ୍ଦ ଷଣ୍ଢ, ଦୀପକ ପଟ୍ଟନାୟକ, ସମରେନ୍ଦ୍ର ପଟ୍ଟନାୟକ, ଜିତେନ୍ଦ୍ର ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ହୋତା, ସଚ୍ଚିଦାନନ୍ଦ ବେହେରା, ବିକଳ ବେହେରା, ସଂଜୟ ରାଉତଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ସାଂସଦଙ୍କ ପ୍ରତିନିଧି ରୁଦ୍ର ନାରାୟଣ ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ ।