ଥାଇଲାଣ୍ଡ ଯିବେ ପ୍ରତାପ
ମାଲକାନଗିରି : ସତ୍ୟନାରାୟଣ କଲେଜର ପୂର୍ବତନ ଛାତ୍ର ପ୍ରତାପ ମିସ୍ତ୍ରୀ ଓଡ଼ିଶା ପକ୍ଷରୁ ଥାଇଲାଣ୍ଡ ଯିବେ । ୨୦୨୨ ଶିକ୍ଷା ବର୍ଷର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଜ୍ଞାନ ଫଳାଫଳରେ ସତ୍ୟନାରାୟଣ କଲେଜର ଛାତ୍ର ପ୍ରତାପ ମିସ୍ତ୍ରୀ ୯୫ % ରଖି କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଟପ୍ପର ହୋଇଥିଲେ । ଓଡ଼ିଶା ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଦ୍ୱାରା ପୁରସ୍କୃତ ହେବା ସହ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ମଧ୍ୟ ସମ୍ମାନିତ ହୋଇଥିଲେ । ଏହା ପରେ ସେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନରେ ସ୍ନାତକ ହାସଲ କରିଛନ୍ତି ଏବଂ ଆଇଆଇଟି ଦିଲ୍ଲୀରେ ସ୍ଥାନ ପାଇପାରିଛନ୍ତି । ଆଗାମୀ ୩୧ ଜୁଲାଇରୁ ୬ ଅଗଷ୍ଟ ପର୍ଯ୍ୟନ୍ତ ସେ ଥାଇଲାଣ୍ଡରେ ହେବାକୁ ଥିବା ଏସିଆନ ସାଇନ୍ସ କ୍ୟାମ୍ପରେ ଯୋଗଦେବାକୁ ମନୋନୀତ ହୋଇଛନ୍ତି । ଏଥିପାଇଁ ସମଗ୍ର ଭାରତରୁ ୨୦ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା ବେଳେ ଓଡ଼ିଶାରୁ ପ୍ରତାପଙ୍କୁ ମନୋନୀତ କରାଯାଇଛି । ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧିତ ପ୍ରସଙ୍ଗରେ ଜାଣିହେବ ଏବଂ ନୋବେଲ ପୁରଷ୍କାର ବିଜେତାଙ୍କ ସହ ଆଲୋଚନାର ସୁଯୋଗ ମିଳିପାରିବ ବୋଲି ପ୍ରତାପ କହିଛନ୍ତି । ମାଲକାନଗିରି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଗୁଣାତ୍ମକ ଉଚ୍ଚଶିକ୍ଷା ଓ ବୃତ୍ତିଗତ ଶିକ୍ଷା ପ୍ରଦାନ କରିବାରେ ସତ୍ୟନାରାୟଣ ଶିକ୍ଷାନୁଷ୍ଠାନ ଏକ ଜ୍ୱଳନ୍ତ ଉଦାହରଣ ବୋଲି ସେ କହିଛନ୍ତି ।