ବିଜେଡ଼ି ହାତରୁ ଗଲା ବଡ଼ଚଣା ବ୍ଲକ  : ପଦ୍ମଧରିଲେ ଅଧ୍ୟକ୍ଷାଙ୍କ ସହ ଅଧା ପଞ୍ଚାୟତ ପ୍ରତିନିଧି

 ଯାଜପୁର : ରବିବାର ଯାଜପୁର ବିଜେଡ଼ିକୁ ଲାଗିଛି ଆଉ ଏକ ଝଟକା । ଧର୍ମଶାଳା ବ୍ଲକ ବିଜେଡ଼ି ହାତରୁ ଯିବାର ସପ୍ତାହେ ଯାଇନି ବଡ଼ଚଣା ବ୍ଲକ ବି ହାତରୁ ଚାଲିଗଲା । ଆଜି ବଡ଼ଚଣା ବ୍ଲକ ଅଧ୍ୟକ୍ଷା ସମେତ ଉପାଧ୍ୟକ୍ଷ, ଜିଲା ପରିଷଦ ଏବଂ ୨୨ରୁ ଅଧିକ ପଞ୍ଚାୟତ ପ୍ରତିନିଧି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଧରିଛନ୍ତି ପଦ୍ମ । ବିଜେଡ଼ି ସମର୍ଥନରେ ବିଜୟଲାଭ କରିଥିବା ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ୧୯ନଂ ଜୋନ ଜିଲ୍ଲା ପରିଷଦ ଅରବିନ୍ଦ ସାମଲ, ଯଚିନ୍ଦ୍ର ନାୟକ, ଆତ୍ମା ଅଧ୍ୟକ୍ଷ ବିପିନ ବିହାରୀ ଜେନା, ସରପଞ୍ଚ ରଞ୍ଜନ କୁମାର ଦାସ, ଯଯାତି କେଶରୀ ରାଉତ, ନବଦ୍ୱିପ ନାୟକ, ଅକ୍ଷୟ ରାଉତ, ଦେବଜାନି ମହାପାତ୍ର, ତନୁଶ୍ରୀ ଦାସ, ପ୍ରଭାସିନୀ ମ୍ଲଲିକ, ସୁଶ୍ରୀ ମିଶ୍ର, ସେକ ଅବଦୁଲ ଗନି, ବିଭୂତି ସାମଲ, ସମିତିସଭ୍ୟ ମଧ୍ୁସୁଦନ ବଳ, ମିନତୀ ଦଳାଇ, ଦୁର୍ଗାବତୀ  ସାମଲ, କାମିନୀ  ନାୟକ, ସ୍ମରଣୀକା ବ. ରଶ୍ମିତା ସ୍ୱାଇଁ, ଚନ୍ଦ୍ରକଳା ଜେନାଙ୍କ ସମେତ ୨୨ପଞ୍ଚାୟତ ପ୍ରତିନିଧି, ପଞ୍ଚାୟତ ସଭାପତି ଓ ଆଗଧାଡିର କର୍ମୀ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସାମିଲ ହୋଇଥିଲେ । ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଏବଂ ପଞ୍ଚାୟତ ପ୍ରତିନିଧି ବିଜେଡ଼ିକୁ ବାଏବଏ କରି ବିଜେପିରେ ସାମିଲ ହେବା ପରେ ସ୍ୱତଃ ବଡ଼ଚଣା ବ୍ଲକ ବିଜେପି ହାତକୁ ଚାଲିଯାଇଛି । ଗଲା ବିଧାନସଭା ନିର୍ବାଚନରେ ବିଜେପି ବିଜେଡ଼ି ଗଡ଼ରେ ପଦ୍ମ ଫୁଟାଇବାକୁ ସମର୍ଥ ହେବା ପୂର୍ବକ ବଡ଼ଚଣା, କୋରେଇ ଏବଂ ସୁକିନ୍ଦାରେ ଗେରୁଆ ବାନା ଉଡ଼ାଇବାକୁ ସମର୍ଥ ହୋଇଥିବା ବେଳେ ଧର୍ମଶାଳାରୁ ବିଜେଡ଼ିକୁ ବିଦାୟ ଦେଇଥିଲେ ସ୍ୱାଧୀନ ବିଧାୟକ । ରାଜ୍ୟରେ ସରକାର ପରିବର୍ତନର ବର୍ଷ ଦେଢବର୍ଷରେ ପ୍ରଥମ ଝଟକା ପୂର୍ବକ ଧର୍ମଶାଳା ଏବଂ ଦ୍ୱିତୀୟ ଝଟକା ପୂର୍ବକ ବଡ଼ଚଣା ବ୍ଲକ ବିଜେଡ଼ି ହାତରୁ ଯିବା ପରେ ଯାଜପୁର ବିଜେଡ଼ି ଭୁଷୂଡ଼ିବାରେ ଲାଗିଛି ବୋଲି କୁହାଯାଉଛି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ  ଉପସ୍ଥିତିରେ  ଅନୁଷ୍ଠିତ ମିଶ୍ରଣ ପର୍ବରେ ବଡଚଣା ବିଧାୟକ ଅମର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବିଞ୍ଝାରପୁର ବିଜେପି ନେତ୍ରୀ ବବିତା ମଲ୍ଲିକ, ଜିଲ୍ଲା ବିଜେପି ସଭାପତି ଦେବଜାନୀ ପ୍ରଧାନଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ତେବେ ଆଜିର ମିଶ୍ରଣକୁ ନେଇ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ ନିଆଁରେ ଘିଅ ଢାଳିଛନ୍ତି । ସେ ଏହି ଘଟଣାକୁ ନେଇ ବିଜେଡିର ଶୀର୍ଷ ନେତୃତ୍ୱଙ୍କୁ ଟାର୍ଗେଟ କରିଛନ୍ତି । ବଡଚଣାରେ ବିଜେଡିକୁ ଭାଙ୍ଗିବାର ପ୍ରକ୍ରିୟା ସାଧାରଣ ନିର୍ବାଚନ ସମୟରୁ ଭୁବନେଶ୍ୱରରୁ ହୋଇଥିଲା । କର୍ମୀମାନେ ସେତେ ବେଳେ ଦଳ ଛାଡନ୍ତି ଯେତେ ବେଳେ ନେତୃତ୍ୱ ଉପରେ ଆସ୍ଥା ତୁଟିଯାଏ । ଦଳର ପରିସ୍ଥିତି ପାଇଁ ଖୋଦ ବିଜେଡି ହିଁ ଦାୟି । କେବଳ ବଡଚଣା ନୁହେଁ ରାଜ୍ୟର ଅନେକ ସ୍ଥାନରେ ବିଜେଡି ବିଜେଡି ସଙ୍ଗଠନ ଭୁଷୂଡି ଗଲାଣି ବୋଲି ସେ କହିଛନ୍ତି । ଅପରପକ୍ଷରେ ବିଜେଡ଼ି ନେତା ରାଜନାରାୟଣ ମହାପାତ୍ର କହିଛନ୍ତି କି ଯେଉଁମାନେ ବିଜେଡି ବିରୋଧରେ ଷଡଯନ୍ତ୍ର କରୁଥିଲେ ସେମାନେ ଚାଲିଯିବା ଦ୍ୱାରା ଦଳ ଆହୁରି ମଜବୁତ ହେବ ବୋଲି  କହିଛନ୍ତି । ହେଲେ ବଡଚଣା ବିଧାୟକ ଅମର କହିଛନ୍ତି ଆଜିର ମିଶ୍ରଣ ପର୍ବ ବିଜେପିକୁ ଆହୁରି ମଜବୁଦ କରିବ । ତେବେ ଗୋଟିଏ କଥା ସ୍ପଷ୍ଟ ଦୁର୍ବଳ ସଂଗଠନ ବିଜେଡ଼ିକୁ ଯାଜପୁର ଜିଲାରେ ଦୁର୍ବଳ କରିବାରେ ଲାଗିଛି ।