ବିଞ୍ଝାରପୁରରେ ଇଦ-ଉଜ-ଜୁହା ପାଳିତ


 ବିଞ୍ଝାରପୁର: ବିଞ୍ଝାରପୁର ବ୍ଲକର ବିଭିନ୍ନ ମୁସଲମାନ ବହୁଳ ଅଞ୍ଚଳରେ ଇଦ-ଉଜ-ଜୁହା ପର୍ବ ପାଳନ ହୋଇଯାଇଛି । ବ୍ଲକର ବିଞ୍ଝାରପୁର, ସାୟଦପୁର, ଅଳକୁଣ୍ଡ, ଶାସନ୍ଦା, କଏଣା, ନୂଆଗାଁ, ନଥିପୁର ସମେତ ବିଭନ୍ନ ବସ୍ତିରେ ବସବାସ କରୁଥିବା ଇସଲାମ ଧର୍ମାଲମ୍ବୀମାନେ ଇଦ-ଉଜ-ଜୋହା ପର୍ବ ପାଳନ କରିଛନ୍ତି । ବିଞ୍ଝାରପୁର ଓ ସୟଦପୁର ପଞ୍ଚାୟତର ମୁସଲମାନ ଶ୍ରଦ୍ଧାଳୁମାନେ ପୁରୁଣା ଇଦଗାହା ଓ ନୂଆଇଦଗାହା ଠାରେ ମୁଫତି ଗୁଫରାନ ଓ ମୌଲାନା ଖଲିଉର ରହେମାନ କସମୀ ନମାଜ ନମାଜପାଠ କରାଇଥିଲେ । ସେହିପରି ଅଳକୁଣ୍ଡ ଇଦଗାହାଠାରେ ହାଫିଜ ଓସୀମ ରଜା ନମାଜ ନମାଜପାଠ କରାଇଥିଲେ ଓ ଶାସନ୍ଦା ମସଜିଦ ପ୍ରାଙ୍ଗଣରେ ମୌଲାନା ରାହାତ ଅଲ୍ଲୀ ଖାନ ନମାଜ ନମାଜପାଠ କରାଇଥିଲେ । ସେହିପରି କଏଣା ମସଜିଦ ପ୍ରାଙ୍ଗଣରେ ମୌଲାନା ମୁଫତି ଓବେଦୁଲ୍ଲା ନମାଜପାଠ କରାଇଥିଲେ ।ନୂଆଗାଁଠାରେ ୨ଟି ଭିନ୍ନ ଗୋଷ୍ଠୀଙ୍କୁ ହାଫିଜ ଅଖତର ଅଲ୍ଲୀ ଓ ହାଫିଜÿ ଫଜଲେ ରହିମ ଅଲଗା ଅଲଗା ନମାଜପାଠ କରାଇଥିଲାବେଳେ ନଥିପୁର ଗାଁର ମୁସଲମାନମାନେ ବିଭିନ୍ନ ସ୍ଥାନରେ ନମାଜ ପଢିଥିଲେ । ଏହି ପର୍ବକୁ ଶାନ୍ତିଶୃଙ୍ଖଳାରେ ପାଳିବା ପାଇଁ ବିଞ୍ଝାରପୁର ଆଇଆଇସି ଅଂଶୁମାଳା ଦାସ ଓ ଅଳକୁଣ୍ଡ ଥାନାର ଭାରପ୍ରାପ୍ତ ଥାନଧିକାରୀ ପ୍ରଶାନ୍ତ କୁମାର ଦାଶଙ୍କ ପକ୍ଷରୁ ଶନିବାର ସଂଧ୍ୟାରେ ସମସ୍ତ ଗ୍ରାମର ହିନ୍ଦୁ ମୁସଲମାନ ମାନଙ୍କୁ ନେଇ ଶାନ୍ତି କମିଟି ଗଠନ କରିବାସହ ପର୍ବରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଉଭୟ ପକ୍ଷଙ୍କୁ ନିବେଦନ କରିଥିଲେ । 
 ବ୍ରହ୍ମବରଦା:  ଇସଲାମ ଧର୍ମର ପବିତ୍ର ପର୍ବ ତଥା ସେବା, ସମର୍ପଣ, ତ୍ୟାଗ ଓ ଭାଇଚାରାର ପ୍ରତୀକ ଇଦ୍-ଉଜ୍- ଜୁହା ବା ବକରିଦ ପର୍ବ ରସୁଲପୁର ବ୍ଲକ ଅଧିନ ବ୍ରହ୍ମବରଦା ପଞ୍ଚାୟତର ବିଭିନ୍ନ ସ୍ଥାନ ମାନଙ୍କରେ ବହୁ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି । ଏହି ଅବସରରେ ମଙ୍ଗଳବାର ସକାଳୁ ଗ୍ରାମର ସମସ୍ତ ଛୋଟରୁ ବଡ ମୁସଲମାନ ଭାଇ ମାନେ ନୂତନ ପୋଷାକ ପରିଧାନ କରି ବ୍ରହ୍ମବରଦା ପଞ୍ଚାୟତର ମୁଖ୍ୟ ପେଣ୍ଠସ୍ଥଳ ଇଦଗା ପଡିଆ ଠାରେ ଏକତ୍ରୀତ ହୋଇଥିଲେ । ସେଠାରେ ଧର୍ମଗୁରୁ ମୌଲାନା ଅବଦୁଲ ବାରି ସମସ୍ତ ମୁସଲମାନ ଭାଇ ମାନଙ୍କୁ ସମୂହ ନମାଜ ପାଠ କରାଇଥିଲେ । ତା ସହିତ ବକରିଦ ପର୍ବର ମୁଖ୍ୟ ଆଭିମୁଖ୍ୟ ଏହାର ଉଦେ୍ଦଶ୍ୟ ସମ୍ପର୍କରେ ଉପସ୍ଥିତ ଥିବା ସମସ୍ତ ମୁସଲମାନ ଭାଇ ମାନଙ୍କୁ ବୁଝାଇଥିଲେ । ସେହିପରି ଭାବେ ଆଜାଦ ନଗର ସ୍ଥିତ ଜାମା ମସଜିଦ, ମଦିନା ବାଗ ସ୍ଥିତ ଜାମା ମସଜିଦ ଓ ଆରାମ ବାଗ ମସଜିଦ ପରିସରରେ ମଧ୍ୟ ଇଦ୍-ଉଜ୍-ଜୁହା ପର୍ବ ବହୁ ଆନନ୍ଦ ଉଲ୍ଲାସରେ ପାଳନ ସହ ସମୂହ ନମାଜ ପାଠ କରାଯାଇଥିଲା । ବ୍ରହ୍ମବରଦା ଅଞ୍ଚଳରେ ଭାଇଚାରାର ନିଦର୍ଶନ ସ୍ୱରୂପ ଏହି ପର୍ବ ପାଳନ କରାଯାଉଥିବା ବେଳେ ଉଭୟ ହିନ୍ଦୁ ଓ ମୁସଲମାନ ଭାଇ ମାନେ ଏହି ପର୍ବରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ୩୬ ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ଭାରତୀ ବିଶ୍ୱାଳ ଉପସ୍ଥିତ ରହି ସମସ୍ତ ମୁସଲମାନ ଭାଇ ମାନଙ୍କୁ ଇଦ୍-ଉଜ୍-ଜୁହାର ଶୁଭେଚ୍ଛା ଜଣାଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ୨ସେକ୍ସନ ପୁଲିସ ଫୋର୍ସ ସମେତ ବ୍ରହ୍ମବରଦା ଥାନାର ସମସ୍ତ ଷ୍ଟାଫ୍ ଉପସ୍ଥିତ ଥିବା ବ୍ରହ୍ମବରଦା ଥାନାଧିକାରୀ ଶ୍ରୀ ଦେବାଶିଷ ସତପଥୀ ସୂଚନା ଦେଇଛନ୍ତି ।