ବିଧି ବିଭାଗ ପରିସରରେ ଇ-ଗ୍ରନ୍ଥାଳୟ ଉଦ୍ଘାଟିତ
ଭୁବନେଶ୍ୱର: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ୱାରା ବିଧି ବିଭାଗ ପରିସରରେ ଏକ ଇ-ଗ୍ରନ୍ଥାଳୟ ଉଦ୍ଘାଟିତ ହୋଇଯାଇଛି । ଏହି ଗ୍ରନ୍ଥାଳୟରେ ଆଇନଗତ ଗବେଷଣା ଓ ସରକାରୀସ୍ତରରେ ବିଭିନ୍ନ କାର୍ଯ୍ୟ ପାଇଁ ସହାୟକ ସର୍ବୋଚ୍ଚ ନ୍ୟାୟଳୟ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ତଥା ଅନ୍ୟ ଅଧସ୍ତନ ନ୍ୟାୟଳୟର ସମସ୍ତ ଆଦେଶ ଉପଲବ୍ଧ ହେବ । ତତ୍ସହିତ ଏହି ଗ୍ରନ୍ଥାଳୟରେ ସର୍ବଶେଷ ଅଦ୍ୟତନ ଆଇନ ମାମଲା, ଦିନପଞ୍ଜି, ଉଦ୍ଧୃତି, ବ୍ୟବସାୟ ନୀତି, ଅନ୍ତର୍ଜାତୀୟ ତଥ୍ୟ, ଇ-ପୁସ୍ତକ, କମିଟି ରିପୋର୍ଟ୍, ଇସ୍ତାହାର ଏବଂ ଅଧ୍ୟାଦେଶ ଆଦି ଅତ୍ୟନ୍ତ ସୁବୋଧ ଓ ସୁଗମ୍ୟ ଭାବେ ଉପଲବ୍ଧ ହେବ ।
ଏହି ଅବସରରେ ସମସ୍ତ ସରକାରୀ ବିଭାଗକୁ ମନୁପାତ୍ର ଅନଲାଇନ ଡାଟାବେସ୍, ଓଡ଼ିଶା ଲୋ ଟାଇମ୍ସ, ଇ-ଗ୍ରନ୍ଥାଳୟ ଓ ଏଲଏମ୍ଏସ୍ରେ ସୁଗମ ପ୍ରବେଶ ପାଇଁ ସୁବିଧା ଯୋଗାଇ ଦିଆଯିବ ଯାହା ସର୍ବସାଧାରଣଙ୍କୁ ତ୍ୱରିତ ନ୍ୟାୟ ଦେବା ପାଇଁ ସହାୟକ ହେବ । ଏହା ଆଇନ ବିଭଗ ଦ୍ୱାରା ଏକ ଅତ୍ୟନ୍ତ ଯୁଗାନ୍ତକାରୀ ଏବଂ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହି ଅବସରରେ ଆଇନ୍ ବିଭାଗର ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ବିଧି ଚେତକ ତଥା ସ୍ୱତନ୍ତ୍ର ଶାସନ ସଚିବ ପ୍ରଣବ କୁମାର ପାତ୍ର, ସ୍ୱତନ୍ତ୍ର ଶାସନ ସଚିବ ଭଗବାନ ସାହୁ, ଦ୍ୱିତୀୟ ଅତିରିକ୍ତ ବିଧି ଚେତକ ତଥା ଅତିରିକ୍ତ ଶାସନ ସଚିବ ବିଭୁ ପ୍ରସାଦ ପଣ୍ଡା ଓ ଅତିରିକ୍ତ ଶାସନ ସଚିବ (ନ୍ୟାୟିକ) ଶିବ ପ୍ରସାଦ ମହାପାତ୍ର, ବିଧି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ତଥା ସମସ୍ତ ବିଭାଗର ଏଡିଏଲ୍ ପ୍ରମୁଖ ଉପସ୍ଥିତ ଥିଲେ ।