ବିନା ସୂଚନା ଫଳକରେ ଗଣ୍ଡାନାଳ ପାହାଚ ଓ ୱାଲ୍ କାମ

ଦାନଗଦୀ : ଦାନଗଦୀ ବ୍ଲକ ଓଲ୍ଲଳ ପଞ୍ଚାୟତର ରାମ୍ପିଲୋ ଗାଁ ନିକଟ ଗଣ୍ଡା ନାଳ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି । 
ଦାନଗଦୀରୁ ବାଙ୍ଗରକୋଟା ନିର୍ମାଣ ବିଭାଗ ଯିବା ରାସ୍ତାର ରାମ୍ପିଲୋ ଗାଁ ଦେଇ ଯାଇଥିବା ଗଣ୍ଡା ନାଳରେ ପାହାଚ ଏବଂ ପ୍ରୋଟେକ୍ସନ ୱାଲ କାର୍ଯ୍ୟ ଚାଲିଥିଲେ ହେଁ ସଂପୃକ୍ତ ପ୍ରକଳ୍ପ ସମ୍ପର୍କରେ କୌଣସି ସୂଚନା ଫଳକ ସ୍ଥାପନ କରାଯାଇନି । ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ଲଗାଇ ବିସ୍ତୃତ ବିବରଣୀ ଦେବାର ନିୟମ ଥିଲେ ସୁଦ୍ଧା ଏଠି ଠିକାସଂସ୍ଥା ପକ୍ଷରୁ ନିୟମକୁ ଉଲଘନ କରାଯାଇଛି । ଦାୟୀତ୍ୱରେ ଥିବା କୈାଣସି ଅଧିକାରୀ କାର୍ଯ୍ୟ ସ୍ଥଳରେ ପାଦ ପକାଉ ନଥିବାରୁ ଠିକାଦାର ମନଇଚ୍ଛାରେ କାର୍ଯ୍ୟ କରିଚାଲିଥିବାର ଅଭିଯୋଗ ହେଉଛି । ସଂପୃକ୍ତ ଅଂଚଳଟି ପଲ୍ଲୀ ଅଂଚଳ ହୋଇଥିବାରୁ ଠିକାଦାର ଭୁତେଇବାକୁ ସମକ୍ଷ ହୋଇଥିବା ବେଳେ ବିଭାଗୀୟ ଅଧିକାରୀ ମଧ୍ୟ ଏଥିରେ ସାଥ୍ ଦେଇଛନ୍ତି । ଏହି କାରଣରୁ ପ୍ରକଳ୍ପର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ହେଉଛି । ରାମ୍ପିଲୋ ଗାଁ ଦେଇ ଯାଇଥିବା ଗଣ୍ଡା ନାଳଟି ଜଟାଧାରୀ ପାହାଡ଼ରୁ ଉତ୍ପପ୍ତି ହୋଇ ନଡ଼ିଆଭଙ୍ଗା, ଦକ୍ଷିଣପଶି, ଗୋଡ଼ିଗଠ, ରାମ୍ପିଲୋ, ମୂଳସାର କୁମ୍ଭୀରଝର, ଗଳିଆଛନ୍ଦା ଦେଇ କୁସୁନପୁର ଗଣ୍ଡା ନାଳରେ ପଡି ବ୍ରାହ୍ମଣୀ ନଦୀକୁ ଯାଇଛି । ଏହି ଗଣ୍ଡାନାଳ ଉପରେ ୬ଟି ପଞ୍ଚାୟତର ଶହ ଶହ ଚାଷୀ ନିର୍ଭର କରି ଚଳିଥାନ୍ତି । ଗଣ୍ଡା ନାଳ କୂଳରେ ଥିବା ଗ୍ରାମବାସୀ ଗାଧୁଆ ପାଧୁଆଠୁ ଆରମ୍ଭ କରି ଚାଷ ବାସ ସବୁ କିଛି କରିଥାନ୍ତି । ନୂଆ ସରକାର ଆସିଲା ପରେ ଜଳସଂପଦ ବିଭାଗ ଯେଉଁ କାମ ଗୁଡିକ ଆରମ୍ଭ କରିଛି କୌଣସି ଠିକାଦାର ସୂଚନା ଫଳକ ଲଗାଉ ନାହାନ୍ତି । ଯାହା ଫଳରେ କି କାମ ହେଉଛି, ବ୍ୟୟ ଅଟକଳ କେତେ ତାହା ଜଣା ପଡୁନାହିଁ । ରାମ୍ପିଲୋ ଗାଁ ଗଣ୍ଡା ପୋଲ ପାଖରେ ଗଣ୍ଡା ନାଳର ଦୁଇ ପାର୍ଶ୍ୱରେ ପାହାଚ ନିର୍ମାଣ ହେଉଛି । ନାଳ କୂଳରେ ଖୋଳାଯାଇ ୱାଲ ନିର୍ମାଣ ହେଉଛି । ଶୁଣିବାକୁ ମିଳୁଛି ଏହି ପୋଲଟି ଟିକେ ବଡକରି ହେବ ଓ ପୋଲ ଦୁଇ ପାର୍ଶ୍ୱରେ ସୁରକ୍ଷିତ ଯାତାୟାତ ପାଇଁ ବାଡା ନିର୍ମାଣ ହେବ । ଦାନଗଦୀରୁ ଏହି ପୂର୍ତ ବିଭାଗ ରାସ୍ତା ଦେଇ ବାରଖାଇ, ଶାଳୀଜଙ୍ଗା, ଚିତ୍ରୀ, ବାଙ୍ଗରକୋଟା, ରଣାଗୁଣ୍ଡି, ଏପରିକି କୋଳିପାଳ ଦେଇ ପଡୋଶୀ କେନ୍ଦୁଝର ଜିଲ୍ଲାକୁ ଦୈନିକ ହଜାର ହଜାର ଲୋକ ଯାତାୟାତ କରନ୍ତି । 
କଳିଙ୍ଗନଗର ଶିଳ୍ପାଂଚଳକୁ ରାତିଦିନ ଏହି ରାସ୍ତା ଦେଇ ଶହ ଶହ ଲୋକ ଯାତାୟାତ କରୁଥିବା ବେଳେ ଏହି ପୋଲ ପାଖରେ ଏକ ବୁଲାଣି ରାସ୍ତା ଅଛି । ହଟାତ ଦୁଇ ପାର୍ଶ୍ୱରୁ ଆସୁଥିବା ଗାଡି କି ବାଇକ ଚାଳକ କାହାକୁ କେହି ଦେଖି ପାରନ୍ତି ନାହିଁ । ହେଲେ ଦୁର୍ଘଟଣା ପ୍ରବଲ ରାସ୍ତାରେ କଞ୍ଚାମାଲ ପକାଇ କାମ କରାଯାଉଛି । ବିନା ସୂଚନାରେ କାମ ହେଉଥିବା ଉପରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।