ବିପଦ ପାଲଟିଛିି ମୋରମ ଖାଦାନ : ଅଘଟଣ ଘଟିଲେ ଦାୟୀ ହେବ କିଏ?
ଦାନଗଦୀ :ଲୁଚାଛପା ସହ ପ୍ରଶାସନ ଜାଣତରେ ଏକର ଏକର ଜମିରୁ ମୋରମ ଲୁଟିନେଲେ ଲୁଟେରା । ଆଉ ଛାଡ଼ି ଦେଇଗଲେ ଗାଡ଼ । ଲାଭ ଖାଇଲେ ଲୁଟେରା, ବିପର ସମ୍ମୁଖିନ ହେଉଛନ୍ତି ସାଧାରଣ ଜନତା । ଜନପ୍ରତିନିଧି, ପ୍ରଶାସନୀକ ଅଧିକାରୀ ଯେ ଅଜଣା ତାହା ନୁହେଁ, କିନ୍ତୁ ସବୁ ଜାଣି ସୁଦ୍ଧା ନିରବ ବସିଛନ୍ତି । ସତେ ଯେମିତି ନେତା ଏବଂ ପ୍ରଶାସନିକ ଅଧିକାରୀ କୈାଣସି ଅଘଟଣକୁ ଅପେକ୍ଷା କରିଛନ୍ତି । ଜୁଆଡ଼େ ଅନାଇବ ସିଆଡ଼େ ଗାଡ଼ ଆଉ ଗାଡ ଦେଖିଲା ପରେ ଏକଥା ଗାଁ ଗଣ୍ଡାରେ ଆଲୋଚନା ହେଉଛି । ମୋରମ ଗାଡ଼ ଦାନଗଦୀ ତହସିଲ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଦେଖିବାକୁ ମିଳିଛି । ତେବେ ଦାନଗଦୀ ବ୍ଲକ ଧୂଳିଗଡ଼ ପଞ୍ଚାୟତର ସବୁଆଡେ ବିରାଟ ବିରାଟ ମୋରମ ଖାଦାନ (ଗାଡ଼) ମାନ ଦେଖିବାକୁ ମିଳୁଛି । ଏହି ବିରାଟ ବିରାଟ ଗାଡ଼ ଗୁଡିକ ଜଙ୍ଗଲ ଜମିରେ ଲୁଟେରା କରି ଛୁ ମାରିଛନ୍ତି । ବର୍ଷା ଦିନେ ପାଣି ପୂର୍ଣ୍ଣ ହୋଇ ବିପଦସୃଷ୍ଟି କରୁଛି ଖରାଦିନେ ଶୁଖିଲା ଗାଡ଼ ମରଣାଜନ୍ତା ପରି ଅନାଇଛି । ଧୂଳିଗଡ଼ ପଞ୍ଚାୟତର ସୁଆଁଲ ଗାଁର ବେହେରା ସାହି ପାଖରେ, ବୈରାଗୀମୁଣ୍ଡା ସାହି ପଛପଟେ, ମଠସାହି ପଛପଟେ, ଧପଙ୍କି ଗାଁ ନିକଟ ବିଭିନ୍ନ ଖୋଲା ଓ ଜନବସତିକୁ ଲାଗି ଏକାଧିକ ମୋରମ ଗାଡ ରହିଛି । ମୋରମ ଗାଡ଼ ଗୁଡିକ ପାଖଦେଇ ଲୋକମାନେ ଯାତାୟାତ କରୁଛନ୍ତି । ଗୃହପାଳିତ ପଶୁ ଚରୁଛନ୍ତି ତାଳଗଛ ଗଭୀରର ଗାଡ଼ ନିକଟରେ । ଯାହା ମୁକୁଳା ପଡିଛି । ତା ଚାରିପାଖରେ କୌଣସି ହୁଡ଼ା କି ତାର ବାଡା ନାହିଁ, ସ୍ଥାନେ ସ୍ଥାନେ ତାହା ଚାରିପାଖରେ ଅତଡା ଖାଇ ଖସିବା ଆରମ୍ଭ କଲାଣି । ଛୋଟ ଛୋଟ ପିଲାମାନେ ଏହି ଗାଡ଼କୁ ଲାଗି ଥିବା ପଡିଆରେ ଖେଳୁଛନ୍ତି । କିନ୍ତୁ ଯେମିତି ପଞ୍ଚାୟତ କି ପ୍ରଶାସନ କାହାର ଏହି ବିପଦପୂର୍ଣ୍ଣ ଗାଡ଼ ଉପରେ ଦୃଷ୍ଟି ପଡ଼ୁନି । ବର୍ଷାଦିନେ ଗାଈ, ଗୋରୁ ପଡି ମୃତୁ୍ୟ ବରଣ କରିବାର ଆଶଙ୍କା ଥିବା ବେଳେ ଖରାଦିନେ ଶୁଖିଲା ଗାଡ଼ରେ ଯେ କେହି ଖସି ପଡିବ ଜୀବନ ଯିବା ଟା ସୁନିଶ୍ଚିତ । ଯିଏ ବି କଲା ହଜାର ହଜାର ଟ୍ରିପ ମୋରମ ବିକି ମାଲେମାଲ ହେଲା ପରେ ସର୍ବସାଧାରଣ ପାଇଁ ବିପଦପୂର୍ଣ୍ଣ ଗାଡ଼ ଛାଡି ଦେଇ ଚାଲିଯାଇଛନ୍ତି । ବର୍ଷା ଦିନ ଆସିବା ପୂର୍ବରୁ ଏହି ବିପଦପୂର୍ଣ୍ଣ ଗାଡ଼ ଗୁଡିକୁ ପୋତିବା କିମ୍ବା ଚାରିପାଖରେ ସୁରକ୍ଷାବାଡ଼ ଲଗାଇବା ପାଇଁ ସାଧାରଣରେ ଦାବୀ ହେଉଛି ।