ବିବାହ ନ କରି ପରିବାର ପାଇଁ ଉତ୍ସର୍ଗୀକୃତ ଦିବ୍ୟାଙ୍ଗ ସଂଯୁକ୍ତା
ବ୍ରହ୍ମବରଦା: ଦିବ୍ୟାଙ୍ଗ ହୋଇ ମଧ୍ୟ ସକ୍ଷମଙ୍କ ଠାରୁ କୈାଣସି ଗୁଣରେ କମ ନୁହନ୍ତି ସେ । ଯେଉଁ କାର୍ଯ୍ୟକୁ ପୁରୁଷ ମାନେ କରିବାକୁ ଡରୁଛନ୍ତି ସେ କାର୍ଯ୍ୟକୁ ଜଣେ ଦିବ୍ୟାଙ୍ଗ ମହିଳା କରି ଆଜି ସାରା ଅଂଚଳରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଏପରି ଏକ ସାମାଜିକ ବାର୍ତା ପ୍ରଦାନ କରୁଥିବା ଦୃଶ୍ୟ ଯାଜପୁର ଜିଲା ରସୁଲପୁର ବ୍ଲକ ବନ୍ଧଢିହ ପଂଚାୟତ ମଠସାହି ଗ୍ରାମ ୧୫ନମ୍ବର ୱାର୍ଡରରେ ଦେଖିବାକୁ ମିଳିଛି । ଗ୍ରାମର ବିଶ୍ୱମ୍ବର ସାହୁଙ୍କ ଝିଅ ସଂଯୁକ୍ତା ସାହୁ(୫୮) ଜନ୍ମରୁ ଦିବ୍ୟାଙ୍ଗ । ଅନ୍ୟ ମନୁଷ୍ୟଙ୍କ ଭଳି ଶରୀର ତୁଳନାରେ ତାଙ୍କ ହାତ ଦୁଇଟି ଛୋଟ ଛୋଟ ହୋଇଥିବାରୁ କୌଣସି କାର୍ଯ୍ୟ କରିବା ତାଙ୍କ ପାଇଁ କଷ୍ଟକର ହୋଇଥାଏ । ସରକାର ତାଙ୍କୁ ୫୦ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇଛନ୍ତି । ହେଲେ ସେ କେବେ ହାରି ଯାଇ ନାହାନ୍ତି । ବାପାଙ୍କ ଅନ୍ତେ ବଡ ଭଉଣୀ ଭାବେ ନିଜେ ବିବାହ ନକରି ୫ପ୍ରାଣୀ କୁଟୁମ୍ବଙ୍କୁ ବାପାଙ୍କ ଅଭାବର ପ୍ରଭାବ ପକାଇବାକୁ ଦେଇ ନାହାନ୍ତି । ନିଜେ କଠିନ ପରିଶ୍ରମ କରି ୫ପ୍ରାଣୀ କୁଟୁମ୍ବଙ୍କୁ ୪୦ବର୍ଷ ହେଲା ଚଳାଇ ଆସୁଛନ୍ତି । ୧୯୮୫ମସିହାରେ ହଠାତ ତାଙ୍କ ବାପାଙ୍କ ମୃତୁ୍ୟ ହୋଇଯାଇଥିଲା । ମୃତୁ୍ୟ ବେଳକୁ ବଡ ଝିଅ ସଂଯୁକ୍ତା ୧୫ବର୍ଷ ହୋଇଥିବା ବେଳେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ଦଶମ ପାସ କରି ସଂଯୁକ୍ତା ଆଉ ପାଠ ନପଢି ସାନ ଭାଇ ଭଉଣୀ ମାନଙ୍କୁ ପାଠ ପଢାଇବା ଓ ୫ ପ୍ରାଣୀ କୁଟୁମ୍ବକୁ ଚଳାଇବା ପାଇଁ ନିଜ ପାଠ ପଢା ଛାଡି ଟିଉସନ କରି ବହୁ କଷ୍ଠରେ ପରିବାର ଚଳାଉଥିଲେ । ପରେ ବାପାଙ୍କ ନାମରେ ଥିବା ୧୮ଗୁଣ୍ଠ ସମ୍ପତିକୁ ନେଇ ଚାଷ କରିବାକୁ ମନ ବଳାଇଥିଲେ । ୧୯୯୦ମସିହାରୁ ସେ ନିଜ ଜମିରେ ଚାଷ କରିବା ସହିତ ଟିଉସନ୍ କରି ଘର ଚଳାଇ ଆସୁଥିଲେ । ୨୦୧୦ମସିହାରୁ ଆଉ କିଛି ଜମି ଲିଜରେ ଆଣି ଦେଢ ଏକର ଚାଷ ଜମିରେ ଧାନ, ବିରି, ମୁଗ, ଭଳି ପନିପରିବା ଚାଷ କାର୍ଯ୍ୟ କରି ଆସୁଛନ୍ତି । ଏଥିରୁ ଘର ଖର୍ଚ୍ଚ କରିବା ସହିତ ଯାହା କିଛି କିଛି ସଞ୍ଚୟ କରି ସେଥିରେ ଦୁଇ ଭଉଣୀ ଓ ସାନ ଭାଇଙ୍କ ବିବାହ କରିବା ସହିତ ୪ ବଖରା କୋଠା ଘର କରିପାରିଛନ୍ତି । ଚଳିତବର୍ଷ ଦେଢ ଏକର ଚାଷ ଜମିରେ ଚିନାବାଦାମ ଚାଷ କରିଛନ୍ତି । ଏକ କୁ୍ୟଣ୍ଟାଲ ୩୫ ଜେଜି ଚିନାବାଦାମ ବିହନ ସହିତ ଚାଷ, ସାର, ମସଲା, କୋଡାଖୁସା ଓ ଅମଳ ପର୍ଯ୍ୟନ୍ତ ମୋଟ ୪୦ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ବେଳେ, ୧୫ କୁ୍ୟଣ୍ଟାଲରୁ ଉର୍ଦ୍ଧ ଚିନାବାଦାମ ଫସଲ ଅମଳ କରିବେ ବୋଲି ଆଶା ରଖିଛନ୍ତ । ଯଦି ସରକାର ରିହାତି ଦରରେ ସରକାରୀ ବିହନ, ସାର, ମସଲା, ଜଳସେଚନ ସୁବିଧା, ବିକ୍ରିର ଉଚିତ ମୂଲ୍ୟ ଯୋଗାଇ ଦିଅନ୍ତେ ତେବେ ଆସନ୍ତା ଦିନରେ ସେ ଆହୁରି ଅଧିକ ଚାଷ କରି ଭଲ ରୋଜଗାର କରିପାରନ୍ତେ ବୋଲି ସଂଯୁକ୍ତା କହିଛନ୍ତି ।