ତିନୋଟି ପ୍ରସଙ୍ଗରେ ଭୋଟରଙ୍କ ବିଚାର ମାଗିଲେ ସ୍ୱାଧୀନ ପ୍ରାର୍ଥୀ ସତୀଶ

 ଯାଜପୁର: ବିଭିନ୍ନ ନିର୍ବାଚନ ସମୟରେ ପରିବାରବାଦ, ଦୁର୍ନୀତି ପ୍ରସଙ୍ଗ ଉଠାଇ ଧର୍ମଶାଳାରୁ ନିର୍ବାଚନ ଲଢିବାକୁ ଘୋଷଣା କରିଥାନ୍ତି । କିନ୍ତୁ ବ୍ୟୟବହୁଳ ନିର୍ବାଚନ ତାଙ୍କୁ ବିଚାର କରିବାକୁ ବାଧ୍ୟ କରିଥାଏ । କିନ୍ତୁ ଚଳିତ ନିର୍ବାଚନରେ ଲଢିବାର ପଣ କରି ସ୍ୱାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ସତୀଶ ବିଶ୍ୱାଳ । ଦଳବଳ ନେଇ ନାମାଙ୍କନ ପତ୍ର ଦାଖଲ କରିବା ପରେ ଭୋଟରଙ୍କ ନିକଟତର ହେବାରେ ଲଗିଛନ୍ତି । ପ୍ରସଙ୍ଗ ଭିତ୍ତିକ ରାଜନୀତି ଓ ସାଲିସ ବିହୀନ ସଂଗ୍ରାମ ପାଇଁ ଚର୍ଚ୍ଚାରେ ଥିବା ସତୀଶ ତିନୋଟି ପ୍ରସଙ୍ଗରେ ଭୋଟରଙ୍କୁ ଭେଟି ବିଚାର ମାଗୁଛନ୍ତି । ସତୀଶ କୁହନ୍ତି ଧର୍ମଶାଳାରେ୧୯୯୫ ମସିହାରୁ ଅଦ୍ୟାବଧି ବଂଶବାଦର ଭ୍ରଷ୍ଟାଚାର ଶାସନ ଚଲାଇଥିବା କ୍ଷମତାସୀନ ନେତାଙ୍କ କାର୍ଯ୍ୟଧାରା ଯଦି କାହାକୁ ଭଲ ଲାଗୁଛି ତେବେ ସେମାନେ ତାଙ୍କୁ ଭୋଟ ଦିଅନ୍ତୁ । ନଚେତ ଯେଉଁ ନେତୃତ୍ୱ ଏହି ବଂଶବାଦ ଭ୍ରଷ୍ଟାଚାର ଶାସନକୁ ଦୀର୍ଘବର୍ଷ ହେଲା ଲଢିଛି ସେହି ନେତାଙ୍କୁ ଭୋଟ ଦିଅନ୍ତୁ । ସାରା ଧର୍ମଶାଳା କାହିଁକି ରାଜ୍ୟବାସୀ ଜାଣିଛନ୍ତି ସତୀଶ ବିଶ୍ୱାଳ ଧର୍ମଶାଳାର ଏକମାତ୍ର ନେତା ଲାଙ୍ଗୁଡି ଠାରୁ ଡଙ୍କାରୀ ପାହାଡ ପର୍ଯ୍ୟନ୍ତ, ଘଙ୍ଗାପାଟଣା, ଇଛାଧୀନ କୋଟା ଦୁର୍ନୀତି, ରାଜ୍ୟସଭା ନିର୍ବାଚନରେ କ୍ରସଭୋଟ, ଚିଟଫଣ୍ଡରେ ସିବିଆଇ ଜେରା ଏବଂ ଡି-ବ୍ରଦର୍ସ ଲିଙ୍କରେ ଇଡି ଜେରା ପର୍ଯ୍ୟନ୍ତ ସମସ୍ତ ଭ୍ରଷ୍ଟାଚାର ପ୍ରସଙ୍ଗରେ କେବଳ ମୁଁ ଲଢିଛି । ଏବେ କ୍ଷମତାସୀନ ନେତାଙ୍କ ପ୍ରତିଦ୍ୱନ୍ଦୀ ହୋଇଥିବା ସମସ୍ତ ନେତା ଚୁପ କିମ୍ବା ସାଲିସରେ ଥିବା ସହ କ୍ଷମତାସୀନ ନେତାଙ୍କ ସହ ଥିବା ବେଳେ କେବଳ ମୁଁ ହିଁ ନିରନ୍ତର ଲଢେଇ ଜାରି ରଖିଛି । ଦ୍ୱତୀୟ ପ୍ରସଙ୍ଗ ହେଉଛି ଏବେ ଭୋଟ ସମୟ ବୋଲି କିଏ କେମିତି କିଛି ଟଙ୍କା କିମ୍ବା ପ୍ରଲୋଭନ ଦେଖାଇ ପାରେ । ହେଲେ ବାସ୍ତବ ସେବା କରି ରାଜନୀତିକୁ ଆସିଥିବା ନେତା ଟଙ୍କା କିମ୍ବା ହିରୋଇନଙ୍କ ବଳରେ ରାଜନୀତି କରିବା ଚିନ୍ତା କରିପାରିବ ନାହିଁ । ଏହାଦ୍ୱାରା ବେକାରଙ୍କୁ ଚାକିରି, ଚାଷୀଙ୍କ ଜମିକୁ ଜଳ, ଗରୀବଙ୍କ ଦଃୁଖ ଦୂର ହେବନାହିଁ । ରାଜନୀତି କଦାପି ଗୋଟିଏ ବେପାର ନୁହେଁ ଯେ ଜନମତକୁ କିଣାଯିବ ଏବଂ ଏହା ବଳରେ ବେପାର କରାଯିବ । ମୁଁ ଜାତିର ପିତା ମହାତ୍ମା ଗାନ୍ଧି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରି ନେତାଙ୍କ ଜୀବନକୁ ଅନୁକରଣ କରି ରାଜନୀତିକୁ ଆସିଛି । ଯିଏ କ୍ଷମତାରେ ନରହି ମଧ୍ୟ ଆପଣଙ୍କ ସମସ୍ୟାକୁ ଠିକରେ ଉଠାଇ ପାରିବ ଏବଂ ଏହାର ସମାଧାନ କରିପାରିବ ସେଭଳି ନେତାଙ୍କୁ ଭୋଟ ଦିଅନ୍ତୁ । କାରଣ ଭୋଟ ତ ମାତ୍ର କିଛିଦିନ ପରେ ସରିଯିବ । ହେଲେ ଆପଣଙ୍କ ସମସ୍ୟା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବୁଝିବାର ଦକ୍ଷତା ଏବଂ କ୍ଷମତା ଥିବା ନେତାଙ୍କୁ ବାଛନ୍ତୁ । ତୃତୀୟରେ ଧର୍ମଶାଳାର ବାପାର ପୁଅ, ଧର୍ମଶାଳା ମାଟିର ପୁଅ ହୋଇ ଯିଏ ଧର୍ମଶାଳାର ସ୍ୱାଭିମାନ ପାଇଁ ଜୀବନବ୍ୟାପୀ ଲଢେଇ କରୁଥିବ ସେଭଳି ନେତାଙ୍କୁ ଭୋଟ ଦିଅନ୍ତୁ । ଗଣତନ୍ତ୍ରରେ ଭୋଟର ମୂଲ୍ୟ କେହି ଦେଇ ପାରିବ ନାହିଁ । ଏହାକୁ କିଣୁଥିବା ନେତା ଭୋଟରଙ୍କୁ ଦିନରେ ବୋକା ବନାଉଛନ୍ତି । ଧର୍ମଶାଳା ଭୋଟର ଏଥର ବୋକା ହେବେ ନାହିଁ ବରଂ ଟଙ୍କା ଓ ଟିକେଟ ବଳରେ ରାଜନୀତି କରୁଥିବା ନେତାଙ୍କୁ ବୋକା ବନାଇ ଧର୍ମଶାଳା ସ୍ୱାଭିମାନର ବିଜୟ କରିବେ ବୋଲି ସତୀଶ କହିଛନ୍ତି । ବଂଶବାଦ ଭ୍ରଷ୍ଟାଚାର ବିରୋଧରେ ଧର୍ମଶାଳା ଲୋକେ ଏଥର ଠିକାଦାରୀ ନୁହେଁ କେବଳ ରାଜନୀତି କରିବାକୁ ରାଜନୀତିକୁ ଆସିଥିବା ଭଲଲୋକକୁ ଭୋଟ ଦେବେ ବୋଲି ସ୍ଥିର କରିଛନ୍ତି ବୋଲି କୁହନ୍ତି ସତୀଶ । ତିନୋଟି ପ୍ରସଙ୍ଗରେ ଭୋଟରଙ୍କ ବିଚାର ମାଗୁଥିବା ସତୀଶ ପ୍ରାର୍ଥୀପତ୍ର ଦାଖଲ ପରେ ପ୍ରସଙ୍ଗ ସାଧାରଣରେ ବେଶ ଆଲୋଡନ ସୃଷ୍ଟି କରିଛି ।