ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ
ପଟ୍ଟାମୁଣ୍ଡାଇ: ବିବେକାନନ୍ଦଙ୍କ ଦର୍ଶନ ଓ ଆଦର୍ଶକୁ ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ଭାରତ ସରକାର ୧୯୮୪ରେ ତାଙ୍କ ଜନ୍ମଦିନ ଜାନୁଆରୀ ୧୨କୁ ‘ଜାତୀୟ ଯୁବ ଦିବସ' ଭାବେ ପାଳନ କରିବା ପାଇଁ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ । ୧୯୮୫ରୁ ପ୍ରତିବର୍ଷ ଏହି ଦିବସକୁ ଯୁବ ଦିବସ ଭାବେ ପାଳନ କରାଯାଉଛି । ପଟ୍ଟାମୁଣ୍ଡାଇ ମନ୍ମଥନାଥ ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋତିଲଷ୍ମୀ ବେହେରାଙ୍କ ସଭାପତିତ୍ୱରେ ଜାତୀୟ ଯୁବ ଦିବସ ପାଳନ ହୋଇଯାଇଛି । ସଭାରେ ମୁଖ୍ୟଅତିଥି ସ୍କୁଲ ପରିଚାଳନା ସମିତି ସଭାପତି ତପନ ଦାସ, ମୁଖ୍ୟବକ୍ତା ପୁରାତନ ଛାତ୍ର ସଂସଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ, ଅନ୍ୟତମ ମୁଖ୍ୟବକ୍ତା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଜିଲ୍ଲା କାର୍ଯ୍ୟକର୍ତା ପ୍ରଦୀପ ଭାଇ, ସମ୍ମାନୀତଅତିଥି ଶିକ୍ଷକ ଅଶୋକ ଦାସ ଓ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣମୟୀ ନାୟକଙ୍କୁ ଏନ୍ସିସି କାଡେଟ୍ସ ସ୍ୱତନ୍ତ୍ର ଭାବେ ମାର୍ଚିଂ କରି ସଭାସ୍ଥଳକୁ ସ୍ୱାଗତ କରିଥିଲେ । ଏନସିସି ଅଫିସର ସରୋଜ ସ୍ୱାଇଁ ସଭାରରେ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଶିକ୍ଷୟିତ୍ରୀ ଅନିତା ଧଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ପିଲାଙ୍କ ଦ୍ୱାରା ଅତିଥିଙ୍କ ପାଇଁ ଏକ ଦେଶାତ୍ମବୋଧକ ସ୍ୱାଗତ ସଙ୍ଗୀତ ଗାନ କରାଯାଇ ସଭାରେ ଏକ ଦେଶ ପ୍ରୀତି ସୃଷ୍ଟି କରିଥିଲା । ଇକୋ କ୍ଲବ୍ ଶିକ୍ଷକ ତାପସ ବେହେରା ଓ ୟୁଥ ଆଣ୍ଡ ଇକୋ କ୍ଲବ୍ ଶିକ୍ଷକ ଅନି ଦାସଙ୍କ ମର୍ମସ୍ପର୍ଶୀ ଭାଷଣ ପିଲାଙ୍କ ମନରେ ଜାତୀୟତା ଭରି ଦେଇଥିଲା । ଶେଷରେ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଉପରେ ଏକ କୁଇଜ୍ ପ୍ରତିଯୋଗିତା ହୋଇଥିଲା । ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଶ୍ରୀମଦ ଭାଗବତ ଗୀତା ପ୍ରଦାନ କରାଯାଇଥିଲା । ଶେଷରେ ସଭା ସଭାପତି ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।