ବିଭିନ୍ନ ପଞ୍ଚାୟତ ବୁଲିଲେ ଆକାଶ

 ବୈତରଣୀ ରୋଡ଼ : କୋରେଇ ବିଧାୟକ ଆକାଶ ଦାସନାୟକ  କୋରେଇ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଂଚାୟତ ବୁଲି ଲୋକଙ୍କ ସହ ଆଲୋଚନା କରି ସମସ୍ୟା ସଂପର୍କରେ ଅବଗତ ହୋଇଛନ୍ତି । ବିଧାୟକ ଆକାଶ କନ୍ତୋର, ଅସନଝର, ରଣପୁର, ବରୁଣ୍ଡେଇ, ମୂଳାପାଳ ପଂଚାୟତ ପରିଦର୍ଶନ କରିଥିଲେ । କନ୍ତୋର ପଂଚାୟତରେ ପହଁଚି ସରପଞ୍ଚ, ଜଳୀୟ କର୍ମୀ ଓ ବୁଦ୍ଧିଜୀବୀ ମାନଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ପୂର୍ବକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ସମସ୍ୟା ଗୁଡିକ କୋରେଇ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ପଂଚାୟତର ରାସ୍ତା, ଡ୍ରେନ୍ ବୁଲି ଦେଖିଥିଲେ । ପରେ ଅସନଝର ପଂଚାୟତରେ ପହଁଚି ପଂଚାୟତର ଉନ୍ନତି ଓ ପ୍ରାଥମିକ ବିଦ୍ୟାଳୟ, ଆଖଣ୍ଡଳମଣି ଉଚ୍ଚ ବିଦ୍ୟାପୀଠ, ଗୋପୀନାଥ ହିଙ୍ଗୁଳା ଉଚ୍ଚ ବିଦ୍ୟାପୀଠ ପରିଦର୍ଶନ କରି ପିଲାମାନଙ୍କ ସମସ୍ୟା, ସ୍କୁଲର ସମସ୍ୟା ବିଷୟରେ ଆଲୋଚନା କରି ସମାଧାନ ପ୍ରତିଶ୍ରୁତି ଦେଇଥିଲେ ।  ଡ୍ରେନେଜ୍ ବିଭାଗ ଦ୍ୱାରା କୃଷକ ମାନଙ୍କ ପାଇଁ ପାଦଚଲା ବ୍ରିଜ୍ ନିର୍ମାଣ ନିମନ୍ତେ ପୋଡାତେନ୍ତୁଲୀ ନାଳ ବୁଲି ଦେଖିଥିଲେ ବିଧାୟକ । ଅସନଝର ପଂଚାୟତର ପଂଚାୟତ ରାଜ ବିଭାଗ ରାସ୍ତାଗୁଡିକ ଦେଖି ତୁରନ୍ତ ପକ୍କା ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ପରେ ରଣପୁର ପଂଚାୟତରେ ପହଁଚି ସରପଂଚ, ଦଳୀୟ କର୍ମୀ ଓ ବୁଦ୍ଧିଜୀବୀଙ୍କ ସହିତ ସମସ୍ୟା ବିଷୟରେ ଆଲୋଚନା କରି ତା’ର କିପରି ସମାଧାନ ହୋଇପାରିବ ତୁରନ୍ତ ବିଭାଗୀୟ ଅଫିସର ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ପ୍ରଥମେ ବିସିଉଚ୍ଚ ବିଦ୍ୟାଳୟରେ ପରିଦର୍ଶନ କରିଥିଲେ । ପିଲାମାନଙ୍କ ସହିତ ମିଶି ସେମାନଙ୍କର ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ରଣପୁର ପଂଚାୟତରେ ହେବାକୁ ଥିବା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିମନ୍ତେ ସ୍ଥାନ ନିରୁପଣ କରାଯାଇଥିଲ । ତା’ପରେ ଗୋପାଳପୁର ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ପଂଚାୟତ ରାଜ ବିଭାଗ ଅର୍ନ୍ତଭୁକ୍ତ ରାସ୍ତା ଗୁଡିକ ପରିଦର୍ଶନ କରିଥିଲେ । ବରୁଣ୍ଡେଇ ପଂଚାୟତର ସରପଂଚ, ଦଳୀୟ କର୍ମୀ ଓ ସେହି ଅଂଚଳର ବୁଦ୍ଧିଜୀବୀଙ୍କ ସହିତ ପଂଚାୟତର ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ବରୁଣ୍ଡେଇ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ପିଲାମାନଙ୍କ ସହିତ କିଛି ସମୟ କାଟିଥିଲେ । ବରୁଣ୍ଡେଇ ମକୁନ୍ଦପୁର ପୂର୍ତବିଭାଗ ରାସ୍ତାଟି ବରୁଣ୍ଡେଇ ବଜାର ଦେଇଯାଇଛି । ବର୍ଷାଦିନେ ଜଳ ନିଷ୍କାସନର ବହୁତ ସମସ୍ୟା ବଜାର ଭିତରେ ଥିବାରୁ ସେଠାରେ ନୂତନ ଡ୍ରେନ୍ ନିର୍ମାଣ ନିମନ୍ତେ ଆଲୋଚନା ହୋଇଥିଲା । ପରେ ମୂଳାପାଳ ପଂଚାୟତ ସରସଦା ନଦୀବନ୍ଧରେ ଉପସ୍ଥିତ ପଂଚାୟତର ସମସ୍ତ କର୍ମୀ ମାନଙ୍କ ସହିତ ବନ୍ୟା ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ବନ୍ଧରୁ ଗ୍ରାମ ଗୁଡିକୁ ଯିବା ଆସିବା ପାଇଁ ନିର୍ମାଣ ହେଉଥିବା ଗୋଡା ଗୁଡିକୁ ବିଧାୟକ ବୁଲି ଦେଖିଥିଲେ ।  ଏହି  ସମୟରେ ଶିକ୍ଷା ବିଭାଗର ଅଧିକାରୀ ବ୍ଲକ୍ ଶିକ୍ଷା ଅଧିକାରୀ, ପଂଚାୟତ ଯନ୍ତ୍ରୀ, ପଂଚାୟତ ଓ ନିର୍ବାହୀ ଅଧିକାରୀ, ରାଜସ୍ୱ ବିଭାଗ ଅତିରିକ୍ତ ତହସିଲଦାର, ରାଜସ୍ୱ ନିରୀକ୍ଷକ, ରାଜସ୍ୱ ସୁପରଭାଇଜର, ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ, ଏସ୍ଡିଓ, ପୂର୍ତ୍ତ ବିଭାଗର ଯନ୍ତ୍ରୀ, ଡ୍ରେନେଜ୍ ବିଭାଗର ଯନ୍ତ୍ରୀ, ଏସ୍ଡି. ଇରିଗେସନ୍ ବିଭାଗର ଯନ୍ତ୍ରୀ ଉପସ୍ଥିତ ଥିଲେ ।