ମନରେଗାରେ ମନଇଚ୍ଛା ଦୁର୍ନୀତି : ଗୋଟିଏ ରାସ୍ତାକୁ ଦୁଇ ଥର ବିଲ ଅଭିଯୋଗ
ବ୍ରହ୍ମବରଦା : ଶ୍ରମିକ ମାନଙ୍କୁ ରୋଜଗାର ଯୋଗାଇ ଦେବାକୁ ସରକାର ମନରେଗା ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ବିକାଶ ପାଇଁ ବୃକ୍ଷରୋପଣ, ମାଟି କାମ ଭଳି ବିଭିନ୍ନ କାର୍ଯ୍ୟ କରୁଛନ୍ତି । ହେଲେ କିଛି ଅସାଧୁ କର୍ମଚାରୀ, ବିଭାଗୀୟ ଅଧିକାରୀମାନଙ୍କ ମିଲିଭଗତରେ ଗଡିଆ, ପଡିଆ ଫୋଖରୀ ଓ ଠାଏଠାଏ ନଦୀ ବାଲିରେ ରାସ୍ତା ନିର୍ମାଣ ନାଁରେ ସରକାରୀ ଯୋଜନାର ଅର୍ଥକୁ ଆତ୍ମସାତ୍ କରୁଥିବା ଅଭିଯୋଗ ଆସିଛି । ଯାଜପୁର ବ୍ଲକ ଝାଲପଡା ପଂଚାୟତ କାକୁଡିକୁଦ ଗ୍ରାମରେ ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି । ଗୋଟିଏ ପଟେ ସରକାର ଲୋକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାସ୍ତା ନିର୍ମାଣ ହେଉ କି ନଦୀ କୂଳରେ ପଥର ପ୍ୟାକିଂ ତଥା ଘେରୀବନ୍ଧ କାର୍ଯ୍ୟ କରିବାକୁ ନିଷ୍ଟତି ନେଇଥାନ୍ତି କିନ୍ତୁ ଏଠାରେ ନା ଅଛି ଗାଁ ନା ଅଛି ଘର ଆଖପାଖ ଅଂଚଳରେ ଖାଲି ବାଲି ଏହି ସ୍ଥାନକୁ ଲୋକମାନେ ଯାତାୟାତ କରିନଥାନ୍ତି କି ଯାତାୟାତ କରିବା ପାଇଁ ପାଇଁ ରାସ୍ତାର ଆବଶ୍ୟକ ନାହିଁ । ହେଲେ ବ୍ରାହ୍ମଣୀ ନଦୀ କୂଳର ଠାଏ ଠାଏ ବାଲିଟାରେ ନିର୍ମାଣ ହୋଇଛି ୧୦ଲକ୍ଷ ଟଙ୍କାର ମାଟି ଓ ମହରମ ରାସ୍ତା । ତା ପୁଣି ଗୋଟିଏ ସ୍ଥାନକୁ ଭିନ୍ନ ଭିନ୍ନ ନାମରେ ୨ଟି ପ୍ରକଳ୍ପ ଦର୍ଶାଇ ଲକ୍ଷାଧିକ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ଆସିଛି । ରାସ୍ତ ମନରେଗା ଯୋଜନାରେ ମଣିଷ ବଦଳରେ ମେସିନରେ କାମ ହୋଇଛି । ନଦୀ ବାଲିକୁ ଡ୍ରୋଜରରେ ବାଲି ଟାଣି ଆଣି ରାସ୍ତା ନିର୍ମାଣ କରାଯାଇଛି । ବର୍ଷାରେ ନଦୀ ବାଲି ନଦୀକୁ ବୋହି ଯାଇଥିବା ବେଳେ ସରକାରଙ୍କ ଲକ୍ଷଲକ୍ଷ ଟଙ୍କା ପାଣିରେ ପଡିଛି । ସୂଚନାଥାଉକି ଚଳିତ ବର୍ଷ ଫେବୃୟାରୀ ମାସ ୨୫ତାରିଖରେ କାକୁଡିକୁଦ ବାଲିଘାଟ ଠାରୁ ନଦୀବନ୍ଧ ପର୍ଯ୍ୟନ୍ତ ମାଟି ମହରମ ରାସ୍ତା ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା ଯାହାର ମଞ୍ଜୁର ନମ୍ବର ୨୪୨୦୦୦୭/୨୦୨୪-୨୫/୨୪୬୪୪ଏଏସ ନାମରେ ବ୍ୟୟବରାଦ ହୋଇଥିଲା । ଠିକାଦାର ମେସିନରେ ବାଲି ପକାଇ କାର୍ଯ୍ୟ ଶେଷ କରିଥିବା ବେଳେ ଏନେଇ ୧୨୨ ଜଣ ଶ୍ରମିକ ୮୧୨ ଦିନ ଶ୍ରମିକ ପାଉଣା ବାବଦରେ ୨ଲକ୍ଷ ୨୧ହଜାର ୬୭୬ ଟଙ୍କା ବିଲ କରି ନେଇଥିବା ବେଳେ ପୁଣି ସେହି କାମକୁ ଚଳିତ ବର୍ଷ ମେ ମାସ ୫ ତାରିଖରେ ମଂଜୁର ନମ୍ବର ୨୪୨୦୦୭/୨୦୨୫-୨୬/୬୦୮୫୧ଏଏସରେ ଏହି ରାସ୍ତାର ନାମ ବଦଳାଇ ବାଲିଘାଟ ଠାରୁ ପ୍ଲାଂଟେସନ ଫିଲ୍ଡ ପର୍ଯ୍ୟନ୍ତ ମାଟି ମହରମ ରାସ୍ତା ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ବ୍ୟୟବରାଦ କରି ୧ଲକ୍ଷ ୯୩ହଜାର ୧୧ଟଙ୍କା ଠକି ନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଏଠି ମଧ୍ୟ ୧୦୧ ଜଣ ଶ୍ରମିକ ୭୦୭ ଦିନ କାର୍ଯ୍ୟ କରି ଶ୍ରମିକ ପାଉଣା ଉଠାଇ ନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ସଂପୃକ୍ତ ପଂଚାୟତ ସରପଂଚ ତଥା କନିଷ୍ଠ ଯନ୍ତ୍ରୀ ଉକ୍ତ ସ୍ଥାନରେ କାର୍ଯ୍ୟ କରିବାକୁ ଅନୁମତି ଦେଲେ କିପରି? ସଂପୃକ୍ତ ରାଜସ୍ୱ ନିରୀକ୍ଷକ ଲ୍ୟାଣ୍ଡ ପର୍ଟିକୁଲାର କଲେ କିପରି ସପୃକ୍ତ ଏଡିଇଓ ଜିଓ ଟ୍ୟାଗ କରୁଛନ୍ତି ହେଲେ ଜାଣି ପାରିଲେ ନାହିଁ କିପରି? ତାହା ଏବେ ପ୍ରଶ୍ନବାଚୀ । ଏଣୁ ଏଠାରେ ସମସ୍ତ ଅଧିକାରୀଙ୍କ ସଂପୃକ୍ତି ଥିବା ଜଳଜଳ ଦେଖାଯାଉ ଥିବା ବେଳେ ଏନେଇ ଯାଜପୁର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ବେହୁରିଆଙ୍କୁ ପଚାରିବାରୁ ଗ୍ରାମବାସୀ ଉକ୍ତ ଘଟଣାକୁ ନେଇ ଅଭିଯୋଗ କଲେ ତଦନ୍ତ ହେବା ସହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥଲେ ।