ବିଭିନ୍ନ ସ୍ଥାନରେ ରକ୍ଷା ବନ୍ଧନ ପାଳିତ
କଟକ: ମହାନଦୀବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପରିଚାଳନା ସମିତିର ସଭାପତି ପ୍ରତିମା ଶତପଥିଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ପ୍ରମୋଦ ଦାସ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମହାନଦୀବିହାର ୟୁଜିଏମଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଓ ସାଂପ୍ରତିକ ପରିସ୍ଥିତିରେ ରକ୍ଷା ବନ୍ଧନର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ । ବରିଷ୍ଠ ଆଚାର୍ଯ୍ୟ ଅଲେଖ ପାଗଳ ସଭାକାର୍ଯ୍ୟ ସଂଯୋଜନା କରିଥିବାବେଳେ ଦିବା ପର୍ଯ୍ୟାୟ ପ୍ରମୁଖ ଚକ୍ରଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ଶିଶୁମାନଙ୍କ ଦ୍ୱାରା ସ୍ୱହସ୍ତ ପ୍ରସ୍ତୁତ ରାକ୍ଷୀ ପରସ୍ପର ମଧ୍ୟରେ ବନ୍ଧନ କରାଯାଇଥିଲା ।
ସେହିପରି ସ୍ଥାନୀୟ ଦରଘା ବଜାର ହାତୀପୋଖରୀ ଛକ ସ୍ଥିତ ମା’ ସରସ୍ୱତୀ ଶିକ୍ଷା ମନ୍ଦିରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବଟକୃଷ୍ଣ ଦାସଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ବଂଶୀଧର ଜେନା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଶିଶୁମାନେ ବିଦ୍ୟାଳୟରୁ ବାହାରି ସ୍ଥାନୀୟ ତିନିକୋଣିଆ ବଗିଚା ନିକଟରେ ଏକ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କ ହାତରେ ରକ୍ଷା କବଚ ବାନ୍ଧିଥିଲେ । ବରିଷ୍ଠ ଆଚାର୍ଯ୍ୟା ନିରୂପମା ମହାନ୍ତି, ଶୁଭାସିନୀ ସାହୁ, ବବିତା ମହାନ୍ତି, ରେସମା ଖାତୁନ, ସୁମନ ହାତୀ, ସାଇନୀ ନିସା, ଏକତା ବେହେରା ଆଦି ସମସ୍ତ ଗୁରୁମା ଓ ଶିଶୁ ଭାରତୀ କମିଟିର ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଭାବରେ ସଂପନ୍ନ କରାଇଥିଲେ । ସହକାରୀ ବରିଷ୍ଠ ଆଚାର୍ଯ୍ୟ ସୁଭାଷ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ବେତନଟୀ: ବେତନଟୀ ବ୍ଲକ ଅନ୍ତର୍ଗତ ନାଖରା ଗ୍ରାମରେ ଗୋପୀନାଥ ଜୀଉ ମନ୍ଦିର ପଡିଆରେ ଫୋର୍ଡ ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଫୋର୍ଡର ପ୍ରିତମ କୁମାର ଖଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଭଉଣୀ ଯେପରି ଭାଇ ହାତରେ ରାକ୍ଷୀ ବାନ୍ଧି ଦୀର୍ଘାୟୁ କାମନା କରେ ସେହିଭଳି ବୃକ୍ଷକୁ ଭାଇ ବୋଲି ସମ୍ବୋଧର କରି ପୂଜା କରି ରାକ୍ଷୀ ବାନ୍ଧିଥିଲେ । ଅବସରପ୍ରାପ୍ତ ଜେଲ ଅଧ୍ୟକ୍ଷ ସନ୍ତୋଷ ଦୁର୍ଗା, ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଅନିରୁଦ୍ଧ ରାଉତ ଓ କଟକ ଆକାଶ ବାଣୀ ଯୁଗ୍ମ ସଂଯୋଜକ ମହେଶ୍ୱର ମହାଳିକ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୂପା ନାୟକ, ଭାଗ୍ୟଶ୍ରୀ ନାୟକ, ପ୍ରିତିପ୍ରଜ୍ଞା ସାମଲ, ହାମାଏ ମାରାଣ୍ଡି, ସୁପାଇ ବେଶ୍ରା, ଗାନେ ମାରାଣ୍ଡି, ଜଗଦିଶ ସାମଲ, ଅଭିନାଶ ମହାର୍ଣ୍ଣା ଓ ଅନ୍ୟମାନେ ସହଯୋଗ କରିଥିଲେ । ସର୍ବଶେଷରେ ସବିତା ଖଣ୍ଡା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ବୈଶିଙ୍ଗା : ବୈଶିଙ୍ଗା ଥାନା ଅନ୍ତର୍ଗତ ଶାଳଗାଁ ଉଚ୍ଚ ବିଦ୍ୟାଳୟର ଇକୋକ୍ଲବ ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଇକୋକ୍ଲବର ସଂଯୋଜକ ସନ୍ତୋଷ କୁମାର ଖଣ୍ଡା ରକ୍ଷା ବନ୍ଧନ ଉଦେ୍ଦଶ୍ୟ ଉପରେ ଆଲୋକପାତ କରି ଅତିଥି ପରିଚୟ ପ୍ରଦାନ କରିଥିଲେ । ସନ୍ତୋଷ କୁମାର ବେହେରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଧ୍ୟକ୍ଷତା କରିଥିଲେ । ଭାସ୍କର ଚନ୍ଦ୍ର ଦୁର୍ଗା, ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପାଟୋଳିପୁରାର ମୁଖ୍ୟ ପୁରୋଧା, ପ୍ରଫୁଲ୍ଲ ଚନ୍ଦ୍ର ମହାଳିକ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ, ବିଶ୍ୱମ୍ବର ବେହେରା ପଞ୍ଚାୟତ ସମିତି ସଭ୍ୟ ଯୋଗ ଦେଇଥିଲେ । ଭଉଣୀ ଯେପରି ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇର ଶୁଭ କାମନା କରେ ସେହିଭଳି ଛାତ୍ର ଛାତ୍ରୀ ମାନେ ବୃକ୍ଷକୁ ଭାଇ ବୋଲି ସମ୍ବୋଧନ କରି ବୃକ୍ଷକୁ ପୂଜା କରି ରାକ୍ଷୀ ବାନ୍ଧିଥିଲେ ।
ଟାଙ୍ଗୀ-ଚୌଦ୍ୱାର : କଟକ ଜିଲ୍ଲା ଚୌଦ୍ୱାର ସହର ଠାରେ ଥିବା ହିନ୍ଦ ସେବକ ସଂଘରେ ଅନାଥ ଆଶ୍ରମରେ ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଉତ୍ସବର ପ୍ରାରମ୍ଭରେ ପିଲାମାନଙ୍କ ଦ୍ୱାରା ଭଜନ ପରିବେଷଣ ହେବା ସହିତ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ହିନ୍ଦ ସେବକ ସଂଘ ତାର ପଚାଶ ବର୍ଷ ପୂର୍ତ୍ତି ଅବସରରେ ପ୍ରତି ବର୍ଷ ଭଳି ଏହି ରକ୍ଷା ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ବୋଲି ହିନ୍ଦ ସେବକ ସଂଘ ସଭାପତି ତଥା ପ୍ରିୟର ବାବୁଜି ଦାମୋଦର ସାହୁ ପ୍ରକାଶ କରିଛନ୍ତି । ଏଥି ସହିତ ପ୍ରଭୁ ବଳଭଦ୍ରଙ୍କୁ ପୂଜାର୍ଚ୍ଚନା କରିବା ସହିତ ସମସ୍ତ ଭାରତ ବର୍ଷରେ ଶାନ୍ତି ପ୍ରତିଷ୍ଠା ହେବ ବୋଲି ମତ ରଖିଥିଲେ ।
ବାରଙ୍ଗ: ରକ୍ଷା ବନ୍ଧନ ଉତ୍ସବକୁ ନିଆରା ଭାବେ ପାଳନ କରିଛନ୍ତି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନେ । ପିଲାମାନେ ସକାଳୁସକାଳୁ ବାରଙ୍ଗଥାନାରେ ପହଞ୍ଚô ଥାନାଅଧିକାରୀ ଦେବେନ୍ଦ୍ରବିଶ୍ୱାଳଙ୍କ ସମେତ ଥାନାରେ ଉପସ୍ଥିତ ଥିବା ସମାସ୍ତ ପୋଲିସ କର୍ମଚାରୀଙ୍କୁ ରାକ୍ଷୀ ପିନ୍ଧାଇଥିଲେ । ପୂଜାପାର୍ବଣ ସମୟରେ ପରିବାର ଠାରୁ ଦୂରରେ ରହି ସାଧାରଣ ଲୋକଙ୍କ ପାଇଁ ପୁଲିସ କାମ କରୁଥିବାରୁ ସେମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ମନୋବଳକୁ ସୁଦୃଢ କରିବା ପାଇଁ ଏହିଭଳି ପ୍ରୟାସ ପିଲାମାନେ କରିଥିଲେ । ଏହାପରେ ପିଲାମାନେ ତ୍ରିଶୁଳିଆ ଛକ ଉପରେ କାର୍ଯ୍ୟରତ ଟ୍ରାଫିକ କର୍ମଚାରୀଙ୍କୁ ମଧ୍ୟ ରାକ୍ଷୀ ପିନ୍ଧାଇଥିଲେ ।
ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ପାରମ୍ପରିକ ଗହ୍ମାପର୍ବ ଓ ରକ୍ଷାବନ୍ଧନ ଉସôବ ଆନନ୍ଦ ଉଲ୍ଲାସର ସହ ଶନିବାର ପାଳିତ ହୋଇଯାଇଛି । ଗୋପାଳକ ମାନେ ଗାଈ ବଳଦଙ୍କୁ ଫୁଲଚନ୍ଦନ,ସିନ୍ଦୁର ଦେଇ ପୂଜା କରିଥିବା ବେଳେ ଚାଷୀମାନେ ଚାଷ କାର୍ଯ୍ୟରେ ବ୍ୟବହୃତ ହେଉଥିବା ହଳ ଲଙ୍ଗଳକୁ ପାରମ୍ପରିକ ପ୍ରଥାନୁସାରେ ପୂଜାର୍ଚ୍ଚନା କରିଥିଲେ । ବ୍ଲକ ଅଧିନ ମର୍ଦ୍ଦରାଜପୁର, ହରିଚନ୍ଦନପୁର, ସିଧାମୂଳା ,ବାଣପୁର , ବରକୋଳି ବନ୍ଧ ,ସମେତ ଆଖପାଖ ଅଞ୍ଚଳରେ ଗହ୍ମା ଡିଆଁ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି । ସିଧାମୂଳା ଗ୍ରାମ ଓ ମର୍ଦ୍ଦରାଜପୁର ମୁଣ୍ତିଆ ହନୁମାନଙ୍କ ପୀଠ ନିକଟରେ ଅପରାହ୍ନରେ ଆୟୋଜିତ ଗହ୍ମା ଡିଆଁ ପର୍ବକୁ ଉପଭୋଗ କରିବା ନିମନ୍ତେ ଆଖପାଖ ଅଞ୍ଚଳରୁ ଶହଶହ ଜନସାଧାରଣଙ୍କ ସମାଗମ ହୋଇଥିଲା । ଖଣ୍ଡପଡ଼ା ସହର ଠାରୁ ଆରମ୍ଭ କରି ପୁରପଲ୍ଲୀରେ ଘରେ ଘରେ ରକ୍ଷାବନ୍ଧନ ଉସôବ ପାଳନ ଅବସରରେ ସମସ୍ତେ ମସଗୁଲ ହୋଇଥିବା ଜଣାପଡିଛି ।
ବାଲିପାଟଣା: ରାକ୍ଷୀ ପୂର୍ଣ୍ଣିମା ଅବସରରେ ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ, ଜୟଦେବ ବିକାଶ ମଞ୍ଚ ଏବଂ ସମ୍ବାଦ ଆମ ଓଡିଶା ମିଳିତ ଆନୁକୂଲ୍ୟରେ ରକ୍ଷା ବନ୍ଧନ ଉସôବ ଓ ନିଶା ନିବାରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବାଲିପାଟଣା ସ୍ଥିତ ମା' ଗିରିଙ୍ଗେଶ୍ୱରୀଙ୍କ ମନ୍ଦିର ନିକଟରେ ଏହି କାର୍ଯ୍ୟକ୍ରମରେ ସିଦ୍ଧି ବିନାୟକ ଚାରି ଟେବୁଲ ଟ୍ରଷ୍ଟ ଅଧ୍ୟ୍ୟକ୍ଷ ସମାଜସେବୀ ସତ୍ୟପ୍ରିୟ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ମହିଳା ମାନଙ୍କ ସୁରକ୍ଷା କଥା ଚିନ୍ତା କଲାବେଳେ ନିଶା ନିବାରଣକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବା ଉଚିତ୍ । ବାଲିପାଟଣା ପ୍ରେସ କ୍ଳବ ସଭାପତି ଦିଲ୍ଲୀପ କୁମାର ଓଝା ଅତିଥି ଭାବେ ଯୋଗଦେଇ ଏହି ପର୍ବ ଆମର ସଂସ୍କୃତି,ପରମ୍ପରା ଓ ସାମାଜିକ ସଂସ୍କାର କୁ ଉଜ୍ଜୀବିତ କରେ ବୋଲି କହିଥିଲେ । ଜୟଦେବ ବିକାଶ ମଞ୍ଚ ଉପ ସଭାପତି ବସନ୍ତ କୁମାର ଦାଶ, ସମ୍ପାଦକ ଅକ୍ଷୟ କୁମାର ସାହୁ, ମୁଖ୍ୟ ଉପଦେଷ୍ଟା ପୁଷ୍ପଲତା ବେହେରା, ବିଜୟ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୌମ୍ୟ ରଞ୍ଜନ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଜଟଣୀ: ଅପରସନ ସିନ୍ଦୁରର ସଫଳତା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶସାରା ରକ୍ଷା ବନ୍ଧନ ଉସôବ ଆମର ସୁରକ୍ଷାର ହାତ ବୀର ଯବାନ ଓ ପୋଲିସ କର୍ମଚାରୀ ଯେଉଁମାନେ ଦେଶ ତଥା ଜନସାଧାରଣଙ୍କ ସୁରକ୍ଷାର ଦାୟିତ୍ୱ ନେଇଛନ୍ତି, ତାଙ୍କ ହସ୍ତରେ ରାକ୍ଷୀ ବାନ୍ଧ ଏହି ପର୍ବ ପାଳନ କରାଯାଇଥିଲା କ୍ଷ ଏହି ପରିପେକ୍ଷୀରେ ଜଟଣୀ ନଗର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜଟଣୀ ଥାନା ଅଧିକାରୀଙ୍କ ସମେତ ଅନ୍ୟ ଷ୍ଟାଫଙ୍କୁ ରାକ୍ଷୀ ବନ୍ଧା ଯାଇଥିଲା । ଜଟଣୀ ଥାନାରେ କାର୍ଯ୍ୟରତ କର୍ମଚାରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାନେତ୍ରୀ ରଶ୍ମିମୟୀ ପଟ୍ଟନାୟକ, ନଗର ସଭାନେତ୍ରୀ ନିରୁପମା କର, ଲକ୍ଷ୍ମୀପ୍ରିୟା ନାୟକ ପ୍ରମୁଖ ସାମିଲ ଥିଲେ ।
ରାଜକନିକା: ଚଳିତ ବର୍ଷ ବରଡ଼ିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପିଲାମାନେ ପ୍ରଧାନଆଚାର୍ଯ୍ୟ ରମେଶ ଚନ୍ଦ୍ର ନନ୍ଦଙ୍କ ତତ୍ୱାବଧାନ ରେ ସ୍ଥାନୀୟ ଏକ ବସ୍ତିକୁ ଯାଇ ବସ୍ତି ବାସିନ୍ଦାଙ୍କୁ ରାକ୍ଷୀ ବାନ୍ଧି ଥିଲେ । ସେହିପରି ରାଜକନିକା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପିଲାମାନେ ପ୍ରଧାନଆଚାର୍ଯ୍ୟ ମନୋଜ ଦାସଙ୍କ ତତ୍ୱାବଧାନରେ ସ୍ଥାନୀୟ ଅଞ୍ଚଳରେ ବୁଲି ସମସ୍ତଙ୍କୁ ରାକ୍ଷୀ ବାନ୍ଧି ଥିଲେ ।
ସମ୍ବଲପୁର: ସମ୍ବଲପୁର ‘ଲୋକସେବା’ ଟିମ୍ ପକ୍ଷରୁ ଗୁରୁକୁଳ ଛାତ୍ରଆବାସ, ଆନନ୍ଦମାର୍ଗ ଆଶ୍ରମ, ଗୋବିନ୍ଦଟୋଳାରେ ରକ୍ଷାବନ୍ଧନ ଉତ୍ସବ ପାଳନ କରାଗଲା । ଏହି ଛାତ୍ରଆବାସରେ ୧୫ ଜଣ ଶିଶୁଙ୍କ ସହିତ ଭାଇ-ଭଉଣୀର ସ୍ନେହ ସମ୍ପର୍କକୁ ଉଦ୍ୟାପନ କରାଗଲା । ଆଶ୍ରମ ମୁଖ୍ୟ ଆଚାର୍ଯ୍ୟ ରୁଦ୍ରଦେବାନନ୍ଦ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ରଖିଥିଲେ । ଏହି ଅବସରରେ ‘ଲୋକସେବା’ ଟିମ୍ର ସଦସ୍ୟ ବିଶ୍ୱଜିତ ମହାନ୍ତି, ମାସୁଦ୍ ଆଲମ୍, ସାହିଲ୍ ଦାସ୍, ସିଦ୍ଧାର୍ଥ ଜେନା, ଗୋପରଞ୍ଜନ କୁମ୍ଭାର, ବିକାଶ ରାଣା, ନୂରାନୀ ଗୁଲଜାର, କାଜଲ କୁମାରୀ ଓ ସୁଶ୍ରୀ ପ୍ରିୟଦର୍ଶିନୀ ଗାଡିଆ ଉପସ୍ଥିତ ଥିଲେ । ଶିଶୁମାନଙ୍କୁ ମିଠା, ରାଖି ଓ ଶିକ୍ଷା ସାମଗ୍ରୀ ବଣ୍ଟନ କରାଗଲା ।