ବିଶ୍ୱ ତାପମାତ୍ରା ଓ ଜଳବାୟୁ ପରିବର୍ତ୍ତନ
ମାୟାଧର ନାୟକ : ଆମେ ସବୁ ପୃଥିବୀକି ଧୀରେଧୀରେ ଧ୍ୱଂସଆଡକୁ ଠେଲିଦଉଛେ । ଯାହାସବୁ ଖବର ଆସୁଛି - ଯଦି ବାସ୍ତବରେ ସତ ହୁଏ, ଖୁବ୍ ଶୀଘ୍ର ଭୁମିକମ୍ପ, ଅଗ୍ନିବର୍ଷା, ବାତ୍ୟା, ବନ୍ୟା, ମରୁଡି, ମହାମାରିର ନାଗଫାଶ ବନ୍ଧନରେ ଆମେ ସବୁ ଲୀନ ହୋଇଯିବା? ମାଳିକା, ଧର୍ମକଥା ଛାଡିଦିଅନ୍ତୁ – ସତର୍କବାଣୀ ଶୁଣିଶୁଣି ମଣିଷର କାନ ବଧିରା ହୋଇଗଲାଣି । ଏବେ କିନ୍ତୁ ବିଜ୍ଞାନ କଥା ଶୁଣିବାକୁ, ହେଜିବାକୁ ବାଧ୍ୟ । ଯଦି ଅତିବୃଷ୍ଟି କିମ୍ବା ଅନାବୃଷ୍ଟି ଲାଗିରହେ, ପୃଥିବୀର ଜୀବଜଗତ କ’ଣ କରିବେ, ମୃତ୍ୟୁର ପଥ ଛଡା ବଂଚିବାର ଅନ୍ୟକୌଣସି ରାସ୍ତା ଜଣାନାହିଁ ।
୧୯୧୫ରୁ ୧୯୧୮ ଭିତରେ ଫସଲହାନି ଯୋଗୁଁ ମହାରାଷ୍ଟ୍ରରେ ୧୨ ହଜାରରୁ ବେଶି କୃଷକ ଆତ୍ମହତ୍ୟା କରିଛନ୍ତି । ଏ ବର୍ଷ ବି ହଜାରେ କୃଷକ ଆତ୍ମହତ୍ୟା କଲେଣି । ଏଇ କୃଷକମାନେ ସମସ୍ତେ ପରିଶ୍ରମୀ । ବହୁଦିନର ଚାଷୀ । ଦୁର୍ବଳଚିନ୍ତା ମଣିଷ ନୁହଁନ୍ତି । ଏମାନଙ୍କ ମୃତ୍ୟୁ ପରବର୍ତ୍ତୀ ତଦନ୍ତର ଶେଷରେ ପ୍ରଶାସନ ନାନାଦି କାରଣ ସଜାଇ ରିପୋର୍ଟ ଦିଅନ୍ତି – ମାନସିକ ବିଷାଦ, ପାରିବାରିକ କଳହ, ତା’ର ନିଜସ୍ୱ ସମ୍ବେଦନଶୀଳତା ଇତ୍ୟାଦି । ଯେମିତି ମଣିଷଟି ଯଥେଷ୍ଟ ମଜବୁତ୍ ନଥିବାରୁ ସେ ନିଜର ଜୀବନ ହାରି ଦେଇଛି । କାହିଁ କେଉଁଠି କଳକାରଖାନା ଶ୍ରମିକ ଏତେ ସଂଖ୍ୟାରେ ଆତ୍ମହତ୍ୟା କରନ୍ତିନାହିଁ । କୃଷି ଯେତେବେଳେ ଜୀବିକା ନିର୍ବାହର ଏକମାତ୍ର ଅବଲମ୍ବନ, ତା’ର ଅର୍ନ୍ତନିହିତ ଅନିଶ୍ଚୟତା ଧୀରେଧୀରେ ଚାଷୀକୁଳକୁ ଗ୍ରାସ କରେ । ଅଳ୍ପ ବୃଷ୍ଟି, ଜଳସେଚନର ଅଭାବ କ୍ରମଶଃ ବଢିଚାଲୁଥିବା ଚାଷର ଖର୍ଚ୍ଚ, ବ୍ୟାଙ୍କ ବା ମହାଜନ ଠାରୁ ନେଇଥିବା ଋଣ ଉପରେ ସୁଧର ବୋଝ ସଂଗେ ଖାଲି ହାତରେ ଲଢୁ ଲଢୁ ବୁଝିପାରେ ଯେ - ତା’ର ସବୁ ସମ୍ପତ୍ତି ବିକିଦେଲେବି ଏ ଜୀବନରେ ଋଣ ପରିଶୋଧ କରିପାରିବ ନାହିଁ । ଆତ୍ମହତ୍ୟା କରିବାର ନିଷ୍ପତ୍ତି ଗୋଟିଏ ଦିନରେ ନେଇନଥାଏ । ତା’ର ଜୀବିକାର ମୂଳ ସମସ୍ୟାଗୁଡିକ ସମାଧାନ ପାଇଁ ଯେଉଁ ସରକାର ଉପରେ ସେ ନିର୍ଭର କରେ, ସେ ସରକାର କିଛି ବୁଝିଲାନାହିଁ । “ନ୍ୟାସନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ” ସଗୃହୀତ ତଥ୍ୟ ଅନୁଯାୟୀ ୧୯୯୫ରୁ ୨୦୧୫ ମଧ୍ୟରେ ସାରା ଦେଶରେ ୩ ଲକ୍ଷ କୃଷକର ଆତ୍ମହତ୍ୟା ଖବର ପ୍ରକାଶ ପାଇଛି । ଏହା ମଧ୍ୟରେ ୯୫ ହଜାର ଆତ୍ମହତ୍ୟା ଘଟିଛି ମହାରାଷ୍ଟ୍ରରେ । ଦେଶର ଭୂଗର୍ଭ ଜଳସ୍ତର ଦ୍ରୁତଗତିରେ ହ୍ରାସପାଇଛି । ଯଦି ଗୃହନିର୍ମାଣ ଶିଳ୍ପର ପ୍ରୟୋଜନରେ ଜଳର ଲଗାମ ନ’ଲଗାଯାଏ ଏବଂ ଚାଷ ପାଇଁ ମାଟିତଳ ଜଳ ବ୍ୟବହାର ନିୟନ୍ତ୍ରଣ ନହୁଏ – ଚେନ୍ନାଇ ଓ ବାଙ୍ଗାଲୁର ଭଳି ଅବସ୍ଥା ସବୁ ସହରରେ ଆସିବାକୁ ବେଶିଦିନ ଲାଗିବନାହିଁ । ଆମ୍ଭେମାନେ ଯଦି ଏବେ ଅସଲି ସଂକେତ ଦେଖିପାରିବାନାହିଁ - ଆମକୁ ଖୁବ୍ ନିକଟରେ ଜଳହୀନତାର ଅନ୍ଧକୂପରେ ପକାଇଦେବ ।
ବୃଷ୍ଟିହୀନତା, ବନ୍ୟା, ମରୁଡି, ମହାମାରି, ଅଗ୍ନିବର୍ଷା, ଭୂମିକମ୍ପ ପ୍ରାକୃତିକ ନା ମନୁଷ୍ୟକୃତ? ପ୍ରତିବର୍ଷ ବନ୍ୟାର ଆଗମନରେ ଭାରତର ବହୁଅଂଚଳ ଧ୍ୱଂସ୍ତବିଧ୍ୱସ୍ତ ହୋଇଯାଏ । ଏ ବର୍ଷ ବି ବନ୍ୟାରେ ପଞ୍ଜାବ, ହରିୟାନା, ବିହାର ଓ ଆସାମର ବହୁଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବନ୍ୟାର ଜଳ କେତେ ଭୟଙ୍କର ତାହା ୨୦୧୮ ଅଗଷ୍ଟ ମାସରେ କେରଳର ୧୪ଟି ଜିଲ୍ଲାରେ ତାଣ୍ଡବଲୀଳା ରଚିଦେଇଥିଲା । ଏ ବର୍ଷ ମଧ୍ୟ ଆମେ ବନ୍ୟାର ତାଣ୍ଡବଲୀଳା ଦେଖିବାକୁ ପାଉଛୁ । ଏଠାରେ ପ୍ରଶ୍ନ ଉଠୁଛି ବନ୍ୟାକୁ କ’ଣ ଆମେ ରୋକିପାରିବା ନାହିଁ? ବନ୍ୟାର କାରଣ ଦୁଇ ଧରଣର । ପ୍ରାକୃତିକ ଓ ମନୁଷ୍ୟକୃତ । ପ୍ରାକୃତିକ ବିପଦରେ ଅତିବୃଷ୍ଟି ଓ ଘୂର୍ଣ୍ଣିଝଡ । ଗତବର୍ଷ କେରଳରେ ଯେଉଁ ବିଧ୍ୱଂସି ବନ୍ୟା ହୋଇଥିଲା, ତା’ର କାରଣ ଥିଲା ନୀରବଛିନ୍ନ ଅତିବୃଷ୍ଟି । ଏଇ ଅତିବୃଷ୍ଟି ଯୋଗୁଁ ୨୦୧୭ ମସିହାରେ ମୁମ୍ବାଇ, ଗୁଜୁରାତ, ପଶ୍ଚିମବଙ୍ଗ ଏବଂ ଉତ୍ତର-ପୂର୍ବ ଭାରତରେ ଭୟାବହ ବନ୍ୟା ହୋଇଥିଲା । ଏ ବର୍ଷ ମଧ୍ୟ ଏହା ନେପାଳ. ବିହାର, ଆସାମ, ପଞ୍ଜାବ, ହରିୟାନା ପ୍ରମୁଖ ସ୍ଥାନରେ ଘଟିଯାଇଛି ।
ଘୁର୍ଣ୍ଣିଝଡ ପ୍ରଳୟ ସୃଷ୍ଟି କରିପାରେ – ୧୯୯୯ ମସିହା ୨୯ ଅକ୍ଟୋବରରେ ଓଡିଶାର ମହାଘୂର୍ଣ୍ଣିବାତ୍ୟା । ସରକାରୀ ହିସାବରେ ମୃତ୍ୟୁସଂଖ୍ୟା ୧୦ହଜାର ଶୁଣାଯାଉଥିବାବେଳେ ବେସରକାରୀ ହିସାବରେ ମୃତ୍ୟୁସଂଖ୍ୟା ୫୦ହଜାରରୁ ବେଶି । ସେହିଭଳି ଉତ୍ତରାଖଣ୍ଡର ଭୟାବହ ବନ୍ୟାରେ ୨୦୧୩ ମସିହାରେ ୫ ହଜାରରୁ ବେଶି ଲୋକ ମୃତ୍ୟୁବରଣ କରିଥିଲେ । ଏସବୁ ଗଲା ପ୍ରାକୃତିକ ବିପର୍ଯ୍ୟୟ । ମନୁଷ୍ୟକୃତ ବିପର୍ଯ୍ୟୟ ମଧ୍ୟରେ ବିଶ୍ୱ ତାପମାତ୍ରା ଓ ଜଳବାୟୁ କୌଣସି କୌଣସି ଜାଗାରେ ବୃଷ୍ଟିର ପରିମାଣ ଅସ୍ୱାଭିକଭାବେ ବଢିଯାଇଛିଥିତ, ଏବଂ ବହୁଜାଗାରେ ବର୍ଷା ହେବକି ନାହିଁ ଅନିଶ୍ଚୟତା ସୃଷ୍ଟି ହୋଇଛି । ଗତବର୍ଷ କେରଳରେ ଯେଉଁ ଅତିପ୍ରବଳ ବର୍ଷା ହୋଇଥିଲା – ତା’ର ମୂଳରେ ଥିଲା ବିଶ୍ୱ ତାପମାତ୍ରା ।
ବିଶ୍ୱ ତାପମାତ୍ରା ସଂପୂର୍ଣ୍ଣ ଭାବେ ମଣିଷର ସୃଷ୍ଟି । ଅନ୍ୟ ଯେଉଁ ସବୁ କାରଣ ପାଇଁ ମଣିଷ ଓ ସରକାରମାନେ ଦାୟୀ – ତା’ ମଧ୍ୟରେ ଭୁଲ ନୀତି ଓ ଦୂରଦୃଷ୍ଟିର ଅଭାବ ବନ୍ୟା ରୋକିବାରେ ବିଫଳ ହୋଇଛି । ଦେଶରେ ଛୋଟବଡ ଯେଉଁସବୁ ବନ୍ଧ ନିର୍ମାଣ କରାହୋଇଛି, ସେଗୁଡିକ ବନ୍ୟା ରୋକିବା ପରିବର୍ତ୍ତେ ବଢାଇଚାଲିଛି । ଆମେ ପାହାଡପର୍ବତରୁ ଗଛ କାଟି ବିକିଦେଲେ ରାସ୍ତା ଚଉଡା ଓ ଦେଶର ବିକାଶ ନାଁରେ ୫୦ ରୁ ୧୦୦ବର୍ଷର ଗଛକୁ କାଟି ଶେଷ କରିଦେଲେ । ଚାରିଆଡେ ସହରବଜାର ରାସ୍ତାଘାଟରେ କଂକ୍ରିଟ୍ ଜଙ୍ଗଲ ସୃଷ୍ଟି କଲେ । ନଦୀଜଳରେ ଭାସିଆସୁଥିବା ପଟୁମାଟି, ବାଲି ଜମିଯାଇ ନଈନାଳର, ଗଭୀରତା ଏବଂ ଜଳ ଧାରଣର କ୍ଷମତା କମିଗଲା । ବିଭିନ୍ନ ବନ୍ଧ ଗୁଡିକର ରକ୍ଷଣାବେକ୍ଷଣରେ ସରକାରୀ ଅକର୍ମହୀନତା ଯାଗୁଁ ବନ୍ୟା ମାଡିଆସୁଛି । ଅଧିକାଂଶ କ୍ଷେତ୍ରରେ ଜଳ ଛାଡିବା, ନଦୀବନ୍ଧର ଦେଖାଶୁଣା କରିବା, ମରାମତି କ୍ଷେତ୍ରରେ ନଜର ନାହିଁ । ଏତେ ବିପଦ ସତ୍ତ୍ୱେ ବି ମଣିଷ ଚେତିଲା ନାହିଁ । ପ୍ରକୃତିର ଭୟଙ୍କର ରୂପରୁ ମଣିଷ ତ୍ରାହି ପାଇବା ଅସମ୍ଭବ । ସଂପ୍ରତି ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧିପାଇବାରେ ଲାଗୁଛି । ଆକାଶରୁ ବହୁ ସ୍ଥାନରେ ଅଗ୍ନିବର୍ଷା ହେଉଛି । ଭାରତର ଦକ୍ଷିଣ-ଉତ୍ତରର ରାଜସ୍ଥାନ, ଉତ୍ତରପ୍ରଦେଶ କିମ୍ଭା ମଧ୍ୟପ୍ରାଚ୍ୟ ଆଫ୍ରିକାର କଥା ନୁହେଁ – ସମସ୍ତେ ଜାଣନ୍ତି ଗ୍ରୀଷ୍ମକାଳର ଏମିତି ଭୟଙ୍କର ଅଗ୍ନିବର୍ଷା । ବିଶ୍ୱ ଜଳବାୟୁର ଚରିତ୍ର ପରିବର୍ତ୍ତନ ଏତେ ଶୀଘ୍ର ହେଉଛି ଯେ - ତା’ର କୂଳ କିନାରା ପାଇବା ଅସମ୍ଭବ । ଏବେ ଆମେରିକା ପ୍ୟାରିସ୍ ଚୁକ୍ତିରେ ସ୍ୱାକ୍ଷର କରିବନାହିଁ ବୋଲି ରୋକଠୋକ୍ କହିଦେଇଛି । ଅତି ତାପମାତ୍ରା ଯୋଗୁଁ ନ୍ୟୁକ୍ଲିୟର ପାୱାରପ୍ଲାଂଟ୍, କୋଇଲା, ଗ୍ୟାସ, କାରଖାନା ଓ ବିଦ୍ୟୁତ୍ ଚୁଲି ବନ୍ଦ ହୋଇଯିବ କି ?
ୟୁରୋପ୍ ସାଧାରଣତଃ ଥଣ୍ଡା ଦେଶ । କେବେ ଗରମ ପଡେନି । ଏବେ ୪୨ ଡିଗ୍ରୀ ସେଲସିୟସ୍ରେ ୟୁରୋପ୍ । ଗରମରେ ଜଳିପୋଡି ଗଲାଭଳିଆ ଅବସ୍ଥା । ଚାରିଆଡେ ଆର୍ତ୍ତନାଦ । ଗରମରେ ମୃତ୍ୟୁର ସଂଖ୍ୟା ବଢିଚାଲିଛି । ଜର୍ମାନୀ, ଫ୍ରାନ୍ସ, ଇଂଲଣ୍ଡ, ବେଲଜିୟମ, ଇଟାଲି, ସ୍ପେନ୍, ଅଷ୍ଟି୍ରଆ, ହେଙ୍ଗେରୀ, ପର୍ତ୍ତୁଗାଲ ପ୍ରମୁଖ ଅଂଚଳରେ ଗରମରେ ଜନଜୀବନ ଅତିଷ୍ଠ ଓ ମୃତ ପ୍ରାୟ । ଜଳର ଅଭାବରେ ବହୁ ନଦୀନାଳ ଶୁଖିଗଲାଣି, ଭୟଙ୍କର ଅବସ୍ଥା ଦେଖାଦେଇଛି । ଏଣେ ବଙ୍ଗଲାଦେଶ ମଶା କାମୁଡାରେ ଅସ୍ତବ୍ୟସ୍ତ । ଡେଙ୍ଗୁରୋଗ ବ୍ୟାପିଲାଣି । ଉତ୍ତର ୟୁରୋପରେ ମଶାର ପ୍ରବଳ ଆକ୍ରମଣ । ଜର୍ମାନୀରେ ମଧ୍ୟ ମଶା ଆକ୍ରମଣ । ଯେଉଁମାନଙ୍କର ଘରବାଡି ଅଛି ସେମାନେ ସିନା ଝରକା କବାଟ ବନ୍ଦ କରିଦେଇ କୀଟନାଶକ ଔଷଧ ପକାଇବେ? ଯେଉଁମାନଙ୍କର ଘରବାଡି ନାହିଁ, ସେମାନେ କ’ଣ କରିବେ? ଜର୍ମାନରେ ବିଭିନ୍ନ ସହରରେ ମଶା ବ୍ୟାପିବାରେ ଲାଗିଛି । ୟୁରୋପରେ ଏ.ସି.ର ବ୍ୟବହାର କ୍ୱଚିତ୍ ସରକାରୀ ଅଫିସରେ ମଧ୍ୟ ଏ.ସି. ନାହିଁ । ପ୍ରଚଣ୍ଡ ଗରମ ଯୋଗୁଁ ଲୋକେ ଘରେ ରହିପାରୁନାହିଁନ୍ତି । ବ୍ୟବସାୟ ମାନ୍ଦା, ପର୍ଯ୍ୟଟକ ମାନେ ଘରେ ବନ୍ଦୀ । ଏଭଳି ଅବସ୍ଥା ୧୦୦ବର୍ଷ ଭିତରେ ୟୁରୋପରେ ଦେଖାଦେଇନଥିଲା । ଭୌଗୋଳିକ ଦୃଷ୍ଟିକୋଣରୁ ଆମେ ସିନା ବିଭିନ୍ନ ଦେଶରେ ବିଭକ୍ତ ହୋଇଛେ, କିନ୍ତୁ ବିଶ୍ୱ ଜଳବାୟୁ ଓ ତାପମାତ୍ରା କୁପ୍ରଭାବ ସବୁଦେଶରେ ଅନୁଭୂତ ହେବାକୁ ଯାଉଛି । ଏମିତି ହେବାର ନଥିଲା ! ଏଥିପାଇଁ କେବଳ ମଣିଷମାନେ ହିଁ ଦାୟୀ । ଯାହା ୫୦ବର୍ଷ ପୂର୍ବରୁ କରିବାର ଥିଲା, ଏବେ ଯେତେ ଯାହା ଚାହିଁଲେ ବି ଆସନ୍ନ ବିପଦରୁ ରକ୍ଷାପାଇବା କଷ୍ଟକର । ତଥାପି ସମଗ୍ର ବିଶ୍ୱବାସୀ, ଆମେ ଆମ ପରିବାରେ ଯୁଦ୍ଧକାଳୀନ ଭିତିରେ ପ୍ରକୃତିଦେବୀ ସେବାକରି ଯାଆନ୍ତେ, ତା’ହେଲେ କିଛିଟା ବିପଦ କମିଯାଇପାରେ । ଏବେ ମାଟି ଯେଉଁଠି, ଗଛ ଲଗାଇବା ସେଇଠି – ଏହି ନାରାକୁ କାର୍ଯ୍ୟକାରୀ କରାଯାଉ ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩