ଧ୍ରୁବୀକରଣ ଓ ରାଜନୀତି

ଗୋପାଳ ମହାପାତ୍ର:  ଭାରତ ଏକ ଗଣତାନ୍ତ୍ରିକ ଏବଂ ବହୁ ସାଂସ୍କୃତିକ ରାଷ୍ଟ୍ର ଯେଉଁଠି ବିଭିନ୍ନ ଧର୍ମ, ଜାତି ଏବଂ ଭାଷାର ସଙ୍ଗମ ରହିଛି । ଯୁଗ ଯୁଗରୁ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସାଂସ୍କୃତିକ ଏବଂ ଧାର୍ମିକ ସହ ଅସ୍ତିତ୍ୱର ଇତିହାସ ମଧ୍ୟ ରହିଛି । କିନ୍ତୁ ବିଗତ କିଛି ଦଶନ୍ଧି ହେବ ଭାରତୀୟ ରାଜନୀତିରେ ସାମାଜିକ ଏବଂ ଧାର୍ମିକ ଧ୍ରୁବୀକରଣର ସମସ୍ୟା ଗମ୍ଭୀର ରୂପ ନେବାରେ ଲାଗିଛି । ନିର୍ବାଚନୀ ରଣନୀତି ଅନୁସାରେ ଧର୍ମ ଏବଂ ସଂପ୍ରଦାୟର ପ୍ରସଙ୍ଗକୁ ଆଧାର କରି ରାଜନୈତିକ ଦଳମାନେ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି । ଏହି କାରଣରୁ ସମାଜରେ ତିକ୍ତତା ସୃଷ୍ଟି ହେବା ସହ ବିଭାଜନ ଭଳି ସ୍ଥିତି ସୃଷ୍ଟି ହେଉଛି । ଏଭଳି ସ୍ଥିତି ସମାଜ ପାଇଁ କେବେ ବି ଲାଭଜନକ ନୁହେଁ ବରଂ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଏହା ଏକ ପ୍ରକ୍ରିୟା ମାତ୍ର । ଉପନିବେଶ କାଳରେ ବ୍ରିଟିଶ ଶାସକ ‘ବିଭାଜନ କର-ଶାସନ କର’ ନୀତି ଆପଣେଇ ଥିଲେ ଯାହାର ପ୍ରଭାବ ଆଦ୍ୟାବଧି ରାଜନୀତିର ପରିଦୃଶ୍ୟରେ ପରିସ୍ଫୁଟ । ଦେଶ ସ୍ୱାଧୀନ ହେବା ପରେ ଅନେକ ବାର ନିର୍ବାଚନରେ ଧାର୍ମିକ ପ୍ରସଙ୍ଗକୁ ଉଠାଇ ଭୋଟର ଧ୍ରୁବୀକରଣ କରାଯାଇଛି । ମଣ୍ଡଳ କମିଶନ ଏବଂ ସଂରକ୍ଷଣ ଭଳି ପ୍ରସଙ୍ଗ ଦେଖାଦେଇଛି ଏପରିକି ଜାତିଗତ ଧ୍ରୁବୀକରଣର ପ୍ରବୃତ୍ତି ମଧ୍ୟ ଦେଖିବାକୁ ମିଳୁଛି । ଅଯୋଧ୍ୟା ବିବାଦ, ଗୋଧ୍ରାକାଣ୍ଡ ଭଳି ଘଟଣା ଧାର୍ମିକ ଧ୍ରୁବୀକରଣକୁ ଅଧିକ ଗଭୀର କରି ଦେଇଥିଲା । ଏବେ ଏହି ପ୍ରବୃତ୍ତି ଆହୁରି ବଢିବାରେ ଲାଗିଛି ଏବଂ ନିର୍ବାଚନ ପୁର୍ବରୁ ସାମ୍ପ୍ରଦାୟିକ ଉତ୍ତେଜନା ଭଳି ଘଟଣା ସାଧାରଣ ଘଟଣାରେ ପରିଣତ ହୋଇଯାଇଛି । ରାଜନୈତିକ ଦଳମାନେ ନିଜର ସ୍ୱାର୍ଥ ପାଇଁ ସବୁବେଳେ ଧାର୍ମିକ ପ୍ରତୀକ ଏବଂ ପ୍ରସଙ୍ଗକୁ ବ୍ୟବହାର କରୁଛନ୍ତି । ନିର୍ବାଚନ ପ୍ରଚାର ସମୟରେ ଧାର୍ମିକ ଭାବନାକୁ ଆହତ କଲାଭଳି ବୟାନ, ସାଂପ୍ରଦାୟିକ ଉତ୍ତେଜନା ବୃଦ୍ଧି କରାଯିବା ଭଳି ଘଟଣା ଏପରିକି ଧାର୍ମିକ ପ୍ରତୀକର ଦୁରୁପଯୋଗ ଏକ ସାଧାରଣ ଘଟଣା ପାଲଟିଯାଇଛି । ଏହି କାରଣରୁ ସମାଜରେ ଜଣେ ଅନ୍ୟ ଜଣକୁ ବିଶ୍ୱାସ ବି କରିପାରୁନାହିଁ । ଏବେ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଏହି ଧ୍ରୁବୀକରଣ ଆହୁରି ଅଧିକ ବେଗରେ ବଢିବାରେ ଲାଗିଛି । ତ୍ରୁଟିପୁର୍ଣ୍ଣ ତଥା ମିଥ୍ୟା ସମ୍ବାଦ ପରିବେଷଣ, ଭ୍ରାମକ ପ୍ରଚାର ଏବଂ ଘୃଣାସୃଷ୍ଟିକାରୀ ବୟାନ ସମାଜରେ ଅଧିକ ତିକ୍ତତା ଏବଂ ବୈମନସ୍ୟତା ସୃଷ୍ଟି କରିବାରେ ଲାଗିଛି । ଧାର୍ମିକ ଧ୍ରୁବୀକରଣର ସବୁଠାରୁ ବଡ଼ କ୍ଷତି ହେଉଛି ଏହାଦ୍ୱାରା ସମାଜର ଅସଲ ସମସ୍ୟା ଯଥା- ବେରୋଜଗାରୀ, ଦାରିଦ୍ର୍ୟ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଆର୍ଥôକ ଅସମାନତା ପଛରେ ପଡିଯାଇଛି । ରାଜନୈତିକ ଦଳମାନେ ନିର୍ବାଚନୀ ପ୍ରକ୍ରିୟାକୁ କେବଳ ଭାବନାତ୍ମକ ପ୍ରସଙ୍ଗରେ ସୀମିତ କରି ଏସବୁ ବୁନିଆଦୀ ସମସ୍ୟାରୁ ଲୋକଙ୍କ ଦୃଷ୍ଟି ଏଡ଼ାଇବାକୁ ଚାହୁଁଛନ୍ତି । ପରିଣାମ ସ୍ୱରୂପ ବାସ୍ତବିକ୍ ବିକାଶର ସମ୍ଭାବନା ମଧ୍ୟ କ୍ଷୀଣ ହୋଇଯାଉଛି ଏବଂ ସମାଜର ବୁନିଆଦୀ ସଂରଚନା ଉପରେ ଏହାର ପ୍ରଭାବ ପଡୁଛି । ଯେତେବେଳେ ଧର୍ମ ଏବଂ ରାଜନୀତିର ମିଶ୍ରଣ ହୋଇଯାଏ ସେତେବେଳେ ସମାଜରେ ଅସହିଷ୍ଣୁତା ବଢିଯାଏ ଯାହା ଆଗକୁ ଦଙ୍ଗା ଏବଂ ହିଁସାକାଣ୍ଡ ଭଳି ଘଟଣାକୁ ଜନ୍ମ ଦେଇତାଏ । ଧାର୍ମିକ ଧ୍ରୁବୀକରଣ ଯେ କେବଳ ସାମାଜିକ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ ତା ନୁହେଁ ବରଂ ଗଣତାନ୍ତ୍ରିକ ମୂଲ୍ୟ ମଧ୍ୟ ଏହି କାରଣରୁ କ୍ଷୁଣ୍ଣ ହୋଇଥାଏ ।
ଗଣତନ୍ତ୍ରର ମୂଳ ଆଧାର ଜନସାଧାରଣଙ୍କ ଭାଗିଦାରୀ ଏବଂ ସେମାନଙ୍କ ସ୍ୱର ଅଟେ । କିନ୍ତୁ ଯେତେବେଳେ ନିର୍ବାଚନୀ ପ୍ରସଙ୍ଗ ବାସ୍ତବିକ ସମସ୍ୟା ବଦଳରେ ଧର୍ମ ଆଧାରିତ ହୋଇଯାଇଥାଏ ସେତେବେଳେ ଗଣତନ୍ତ୍ର ଦୁର୍ବଳ ହୋଇଯାଏ । ଏହା ଫଳରେ ଯୁବ ପିଢ଼ିଙ୍କ ଧ୍ୟାନ ବିଜ୍ଞାନ, ବୈଷୟିକ ଜ୍ଞାନ କୌଶଳ, ରୋଜଗାର ଏବଂ ଶିକ୍ଷା ଭଳି ବିକାଶମୂଳକ ପ୍ରସଙ୍ଗରୁ ହଟି ଯାଇଥାଏ ଯାହା ଦେଶର ପ୍ରଗତିକୁ ବାଧିତ କରିଥାଏ । ଏହି ସମସ୍ୟା ଯେ କେବଳ ନିର୍ବାଚନୀ ପ୍ରଚାର ପର୍ଯ୍ୟନ୍ତ ସୀମିତ ରହିଥାଏ ତା ନୁହେଁ ,ଏହା ସମାଜର ବିଚାର ଓ ଦୃଷ୍ଟିକୋଣକୁ ମଧ୍ୟ ପ୍ରଭାବିତ କରିଥାଏ । ଧାର୍ମିକ ଧ୍ରୁବୀକରଣକୁ ରୋକିବା ପାଇଁ ଆମ ସମସ୍ତଙ୍କୁ ମାନସିକ ଭାବେ ପ୍ରସ୍ତୁତ ହେବାକୁ ପଡିବ । ରାଜନୈତିକ ଦଳମାନେ ଧର୍ମକୁ ଆଧାର କରି ଭୋଟ ମାଗିବା ପରିବର୍ତ୍ତେ ବିକାଶ ଏବଂ  ସାମାଜିକ ସମତାକୁ ଅଧିକ ଗୁରୁତ୍ୱ ଦେବା ମଧ୍ୟ ଆବଶ୍ୟକ । ଧର୍ମ ଆଧାରିତ ପ୍ରଚାର, ଘୃଣା ସୃଷ୍ଟିକାରୀ ବୟାନ ଏବଂ ଭ୍ରମାତ୍ମକ ସୂଚନା ଉପରେ ନିର୍ବାଚନ କମିଶନ ମଧ୍ୟ ବ୍ୟାପକ ପଦକ୍ଷେପ ନେବା ଉଚିତ୍ । ଯୁବବର୍ଗଙ୍କୁ ତର୍କସଙ୍ଗତ ଶିକ୍ଷା, ସଚେତନତା ଏବଂ ଧାର୍ମିକ ସହିଷ୍ଣୁତା ବାବଦରେ ସମ୍ବେଦନଶୀଳ ହେବା ମଧ୍ୟ ଜରୁରି । ଏତଦ୍ ବ୍ୟତୀତ ସରକାର ଏବଂ ଟେକ୍ନୋଲୋଜି କମ୍ପାନୀ ମାନେ ଯେମିତି ତ୍ରୁଟିପୂର୍ଣ୍ଣ ସମ୍ବାଦ ପରିବେଷଣ କରାଯାଇନପାରିବ ସେ ଦିଗରେ ପ୍ରୟାସ କରିବାର ଆବଶ୍ୟକତା ରହିଛି । ଦୁର୍ଭାଗ୍ୟର ବିଷୟ ହେଉଛି ସାମାଜିକ ଗଣମାଧ୍ୟମ ଯେତିକି ଧାର୍ମିକ ବିଭ୍ରାନ୍ତି ସୃଷ୍ଟି କରି ଚାଲିିଛି ତା’ଠାରୁ ଢେର ଅଧିକ ସାମାଜିକ ବିଭ୍ରାନ୍ତି ଓ ବୈମନସ୍ୟ ଭାବ ସୃଷ୍ଟି କରୁଛନ୍ତି କେତେକ ବୈଦୁ୍ୟତିକ ଗଣମାଧ୍ୟମ ଯେଉଁ ମାନଙ୍କର ଏଭଳି କାର୍ଯ୍ୟକୁ ରୋକିବା ଏପରିକି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଜରୁରି ହୋଇପଡିଛି । ଏସବୁ ପରେ ସାମାଜିକ ସଂଗଠନ, ଧାର୍ମିକ ନେତା ଏବଂ ନାଗରିକ ସମାଜ ମଧ୍ୟ ଏକତ୍ରିତ ଭାବେ ସମାଜରେ ସାମ୍ପ୍ରଦାୟିକ ସଦ୍ଭାବ ଏବଂ  ଧାର୍ମିକ ସହିଷ୍ଣୁତା ତଥା  ଯୁଗୋପଯୋଗୀ ମାନବଧର୍ମୀ ପାଇଁ କାର୍ଯ୍ୟ କରିବା ଉଚିତ୍ । ଧାର୍ମିକ  ଧ୍ରୁବୀକରଣକୁ ଏକ ସହଜ ନିର୍ବାଚନୀ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ଯାହା ସମାଜର ବିଭିନ୍ନ ବର୍ଗଙ୍କୁୁ ପରସ୍ପର ମଧ୍ୟରେ ବିଭାଜନ ପାଇଁ ଖୋରାକ ଯୋଗାଉଛି । ଏହା ଗଣତନ୍ତ୍ର ଏବଂ ସାମାଜିକ ସୌହାର୍ଦ୍ଦ୍ୟ ପାଇଁ ବିପଦ ଏବଂ ରାଷ୍ଟ୍ରର ବିକାଶରେ ବାସ୍ତବିକ ବାଧା ସୃଷ୍ଟି କରୁଛି । ଯଦି ଆମେ ଏକ ପ୍ରଗତିଶୀଳ ସମୃଦ୍ଧ ଏବଂ ଶାନ୍ତିପୁର୍ଣ୍ଣ ଭାରତ ଚାହୁଁଛେ ବା ଚାହିଁବା ତେବେ ଭୋଟ ବ୍ୟାଙ୍କ ରାଜନୀତିରୁ ଊଦ୍ଧ୍ୱର୍କୁ ଯାଇ ଏକ ସମାବେଶୀ ଏବଂ ବିକାଶୋନ୍ମୁଖୀ ରାଜନୀତିକୁ ଆପଣେଇ ନେବା ଉଚିତ୍ । ଜନସାଧାରଣ ମଧ୍ୟ ନିଜର ଭୋଟ ବୁଝିବିଚାରି ଦେବା ଉଚିତ୍ ଯାହା  ଧର୍ମନାମରେ ହେଉଥିବା ବିଭାଜନକୁ ରୋକି ପାରିବ ଏବଂ ସମାଜରେ ସଦ୍ଭାବେ ଏବଂ  ଏକତା ରକ୍ଷାକରିପାରିବ । ଏ ଦିଗରେ ସମସ୍ତେ ଏକଜୁଟ ହୋଇ ସମାଜର, ଦେଶର ଓ ଆମର ଏକ ଉତ୍ତମ ଭବିଷ୍ୟତର ନିର୍ମାଣ ଦିଗରେ ଆଗେଇବା ଉଚିତ ।
ରାମଚନ୍ଦ୍ରପୁର, ରଣପୁର
ମୋ- ୯୪୩୮୪୮୫୦୯୪