‘ସମସ୍ତଙ୍କ ସହଭାଗିତାରେ ଧାମନଗର ବିକଶିତ ହେବ’

 ଧାମନଗର: ସମସ୍ତଙ୍କର ସହଯୋଗ ରହିଲେ ଧାମନଗର ବିକାଶ ହୋଇପାରିବ । ବିକଶିତ ଧାମନଗର ସ୍ୱପ୍ନ ସାକାର ହେବ । ଗାଁ ଗହଳିରେ ସହରର ସୁବିଧା ମିଳିବ । ଏ ଅଞ୍ଚଳରୁ ଜାତୀୟସ୍ତରର କ୍ରୀଡ଼ାବିତ ସୃଷ୍ଟି ହେବେ । ଶିକ୍ଷା ଭିତ୍ତିଭୂମିର ବିକାଶ ଶୀର୍ଷ ସ୍ଥାନରେ ପହଞ୍ଚିବା ସହ ଐତିହାସିକ ସ୍ଥଳର ରୂପ ବଦଳିବ । ଧାମନଗର ଏନ୍ଏସି କଲ୍ୟାଣମଣ୍ଡପ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି କ୍ରୀଡ଼ା ଏବଂ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବର୍ଷକ ମଧ୍ୟରେ ଧାମନଗରର ବିକାଶ ପାଇଁ ମୋହନ ସରକାର କେଉଁ କେଉଁ ପଦକ୍ଷେପ ନେଇଛନ୍ତି, ସେନେଇ ଏକ ରିପୋର୍ଟ କାର୍ଡ ଉନ୍ମୋଚନ ଅବସରରେ ଏହା ପ୍ରକାଶ କରିଛନ୍ତି ସୂର୍ଯ୍ୟବଂଶୀ ।
ଏ ଅବସରରେ ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ଧାମନଗର ଏନ୍ଏସି ଓ ପଞ୍ଚାୟତ ସମିତିର ୫ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏନ୍ଏସି ଅଞ୍ଚଳରେ ୩.୩୮ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଗୋଶାଳା, ୩.୧୬ କୋଟି ଟଙ୍କାରେ ହେବାକୁ ଥିବା ଆଧୁନିକ ପାର୍କ ଓ ଆମ୍ପିଥିଏଟର, ମଳ ଉପଚାର କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି । ସେହିପରି ବ୍ଲକ୍ ଅଧୀନ ବିଭିନ୍ନ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ଓ ବ୍ଲକ କାର୍ଯ୍ୟାଳୟ ପରିସରରେ କର୍ମଚାରୀଙ୍କ ପାଇଁ କମନ ରୁମ୍ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର କରିଛନ୍ତି । ଏହାସହ ୪୧୭  ଜଣ ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ)ର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି । ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭଦ୍ରକ ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଧାମନଗର ତହସିଲଦାର ଲୋକନାଥ ପ୍ରସାଦ ସେଠୀ, ବିଡିଓ ବନ ବିହାରି ଦିନ୍ଧା, ଧାମନଗର ଏନ୍ଏସି ଅଧ୍ୟକ୍ଷା ନିବେଦିତା ଜେନା, ଉପାଧ୍ୟକ୍ଷ ଏମ ଡି ନୁରାନି, ବ୍ଲକ ସାଂସଦ ପ୍ରତିନିଧି ମନୋଜ ମଲ୍ଲିକ, ଏନ୍ଏସି ପ୍ରତିନିଧି ସରୋଜ ମହାପାତ୍ର ପ୍ରମୁଖ ଅତିଥି  ଭାବେ ଯୋଗ ଦେଇଥିଲେ ।