ବିଶ୍ୱନାଥଙ୍କ ପାଇଁ ବାହାରିଲା ଏସି-ଏଟି ଜଏଣ୍ଟ ଆକ୍ସନ କମିଟି

 ପାଣିକୋଇଲି: ସାମାଜିକ କର୍ମୀ ବିଶ୍ୱନାଥ ପାତ୍ରଙ୍କୁ ସୁକିନ୍ଦା ଥାନା ଅଞ୍ଚଳରେ ହୋଇଥିବା ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ଏସି-ଏସଟି ଜଏଂଟ ଆକ୍ସସନ କମିଟି ଆଗକୁ ଆସିଛି । ଆଜି ଉକ୍ତ କମିଟି ବିଶ୍ୱନାଥଙ୍କ ଅଭିଯୋଗ ମତେ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ଏସପିଙ୍କୁ ଭେଟିଛନ୍ତି । ଏସପି ୟଶପ୍ରତାପ ଶ୍ରୀମଲ ଖୁବ ଶିଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି । ଖବର ମତେ ସୁକିନ୍ଦା ବ୍ଲକ ମୂଳଖମ୍ବ ଗ୍ରାମର ବାସିନ୍ଦା ତଥା ସିଭିଲ ସୋସାଇଟ ଫୋରମ ସମ୍ପାଦକ ବିଶ୍ୱନାଥ ପାତ୍ରଙ୍କୁ ଆକ୍ରମଣ ହୋଇଥିଲା । ବିଶ୍ୱନାଥଙ୍କୁ ସୁକିନ୍ଦା ବ୍ଲକ ନିକଟରେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପ୍ରୀତିରଂଜନ ଘଡାଇଙ୍କ ନିଦେ୍ର୍ଦଶରେ ଜାତିଭେଦ ଆକ୍ଷେପ କରି ସଂଘବଦ୍ଧ ଆକ୍ରମଣ କରି ଜୀବନରୁ ମାରି ଦେବାକୁ ଉଦ୍ୟମ କରିବା ସର୍ମ୍ପକରେ ସୁକିନ୍ଦା ଥାନାରେ ମାମଲା ରୁଜ୍ଜୁ ହୋଇଛି । ଏପଟେ ସୋସିଆଲ ମିଡିଆ ଫେସବୁକରେ  ବିଶ୍ୱନାଥଙ୍କ ଚରିତ୍ର ସଂହାର କରିଥିବା ସର୍ମ୍ପକରେ ଅଭିଯୋଗ ହୋଇଛି । ଡ଼ିଏସପି ରତିକାନ୍ତ ଗିରି ମାମଲାର ତଦନ୍ତ କରିଥିଲେ ହେଁ ପୁଲିସ କାର୍ଯ୍ୟାନୁଷ୍ଠାନ କେବଳ ତଦନ୍ତରେ ସୀମିତ ରହିଛି । ଫଳରେ ବିଶ୍ୱନାଥ ପାତ୍ରଙ୍କ ଜୀବନ ବିପଦ ଘେରରେ ରହିଛି । ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ପ୍ରୀତିରଂଜନଙ୍କ ସୁରକ୍ଷା କବଚ ସାଜିଥିବା ଅଭିଯୋଗ ଆଣି କମିଟିର ସଭାପତି ଗୟାଧର ମଲ୍ଲିକ, ସାନ୍ତାଳ ସମାଜର ଧନେଶ୍ୱର ଟୁଡୁ, ପ୍ରମୋଦ ମଲ୍ଲିକ, କୁଳମଣି ମଲ୍ଲିକ, ସୁନାକର ମଲିକଙ୍କ ପ୍ରମୁଖ ନେତୃତ୍ୱରେ ପ୍ରତିନିଧି ଦଳ ଯାଜପୁର ଏସପିଙ୍କ ହସ୍ତକ୍ଷେପ ଲୋଡ ଶ୍ରୀ ଘଡାଇଙ୍କ ସମେତ ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।