ବିଶ୍ୱବିଦ୍ୟାଳୟ କୃଷି ବିଭାଗର ବାର୍ଷିକୋତ୍ସବ
ବାରଙ୍ଗ : ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୃଷି ବିଭାଗ ପକ୍ଷରୁ ଏହାର ବାର୍ଷିକ ଉତ୍ସବ କଣ୍ଟାଡିନୋ-୨୦୨୫ ତିନିଦିନ ଧରି ପାଳିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସିନେ ଅଭିନେତା କୁନା ତ୍ରିପାଠୀ ଯୋଗ ଦେଇ ଓଡ଼ିଆ ଭାଷାର ମହତ୍ତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ବିଭାଗ ପକ୍ଷରୁ ପ୍ରକାଶିତ ସ୍ମରଣିକା ‘ବର୍ତ୍ତିକା’ ଉନ୍ମୋଚିତ ହୋଇଥିଲା । କୃଷି ବିଭାଗର ଡିନ୍ ଡ.ଏସ୍ କୁମାର ସ୍ୱାମୀ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଉଦ୍ଘାଟନୀ ଦିବସର ଦ୍ୱିତୀୟ ଅଧିବେଶନ ଠାରୁ ସମ୍ପୂର୍ଣ୍ଣ ଦ୍ୱିତୀୟ ଦିନ ପର୍ଯ୍ୟନ୍ତ ବିଭାଗୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୨୦୦ପ୍ରତିଯୋଗୀ ଭାଗ ନେଇଥିଲେ । ବିଭାଗ ପକ୍ଷରୁ ସାଂସ୍କୃତିକ ସମ୍ପାଦକ ଡ. ଅଭିନବ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉଦ୍ୟାପନୀ ଉତ୍ସବରେ ଉଦୀୟମାନ ଅଭିନେତା ସନୋଜ କୁମାର ଅତିଥି ଭାବରେ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି ଅବସରରେ ଡିଜେ ମାକ୍ସ ଯୋଗ ଦେଇ ମନୋରଞ୍ଜନର ଖୋରାକ ଯୋଗାଇଥିଲେ । ତିନିଦିନରେ ପ୍ରାୟ ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ଏହାର ଭରପୁର ମଜା ଉଠାଇଥିଲେ ।