ବିସ୍ଥାପନ ଓ ପ୍ରଦୂଷଣକୁ ନେଇ ଗ୍ରାମବାସୀଙ୍କ ଧାରଣା


ଝାରସୁଗୁଡା : କମ୍ପାନୀ ନିର୍ମାଣ ହେଲାପରେ ଉକ୍ତ ଅଞ୍ଚଳରେ ବିସ୍ଥାପିତଙ୍କ ଥଇଥାନ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପାଲନ ହେଉନଥିବା ଅଭିଯୋଗ କରିଛନ୍ତୀ ପତ୍ରାପାଲି ଗ୍ରାମବାସୀ । ଏନେଇ ବୁଧୁବାର ପତ୍ରାପାଲି ଗ୍ରାମର ବିସ୍ଥାପନ, ପାରିପାର୍ଶ୍ୱିକ ଉନ୍ନତି ତଥା ପ୍ରଦୂଷଣକୁ ନେଇ ଆଜି ତଲାବିରା ଦ୍ୱିତୀୟ ଓ ତୃତୀୟ ୟୁନିଟର ଗୋଟିଏ ଡ଼ମ୍ପିଙ୍ଗ ୟାର୍ଡ ସମ୍ମୁଖରେ ଧାରଣାରେ ବସିଛନ୍ତି । ଆଜି ସକାଳ ୯ଟା ରୁ ଗ୍ରାମବାସୀ ପ୍ରଥମେ ଉକ୍ତ ଅଞ୍ଚଳରେ ସମସ୍ତ କାର୍ଯ୍ୟକୁ ବନ୍ଦ କରି ଦେଇଥିଲେ । ଖବର ପାଇ ଜିଲ୍ଲା ପ୍ରଶାସନ ତରଫରୁ ଝାରସୁଗୁଡା ଅତିରିକ୍ତ ତହସିଲଦାର କୌଶିକ ମେହେର ଓ ପୋଲିସ ପ୍ରଶାସନ ତରଫରୁ ବଡ଼ମାଲ ଥାନା ଅଧିକାରୀ ରାଜେନ୍ଦ୍ର ସିଆଲ ଘଟଣା ସ୍ଥଳରେ ପହଞ୍ଚି ଧାରଣା ରତ ଗ୍ରାମବାସୀଙ୍କୁ ବୁଝାସୁଝା କରି ଧାରଣାରୁ ଓହରିବା ପାଇଁ ଆଲୋଚନା କରିଥିଲେ । ମାତ୍ର ଗ୍ରାମବାସୀ ମାନେ ପୁଲିସ ଏବଂ ପ୍ରଶାସନଙ୍କ କଥା ନଶୁଣି ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣ ଜାରି ରଖିବୁ ବୋଲି ରୋକ ଠୋକ ଶୁଣେଇ କହିଛନ୍ତି । ପରେ ଏନଏଲସି ତରଫରୁ ଜମି ଅଧିଗ୍ରହଣ ଅଧିକାରୀ ରଘୁନାଥ ବେହେରାଙ୍କ ସହିତ ଗ୍ରାମବାସୀ ଓ ଜିଲ୍ଲା ପ୍ରଶାସନଙ୍କ ସହିତ ଏକ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା । ଗ୍ରାମବାସୀଙ୍କୁ ଏନଏଲସି ତରଫରୁ ଆସନ୍ତା ଦୁଇ ଦିନ ପାଇଁ ସମୟ ଦେବାପାଇଁ ଅନୁରୋଧ କରାଯାଇଥିଲା । ମାତ୍ର ଏଥିରେ ରାଜି ନହୋଇ ଗ୍ରାମବାସୀ ଖବର ଲେଖାଯିବା ପର୍ଯ୍ୟନ୍ତ ନିଜ ଜିଦରେ ଅଟଳ ରହି ଧାରଣା ଦେଇଛନ୍ତି । ଏସମ୍ପର୍କରେ ଆମ ପ୍ରତିନିଧି ଏନଏଲସି ଅଧିକାରୀ ଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରିନାହିଁ । ସୂଚନା ଥାଉ କି ଗତକାଲି ପତ୍ରାପାଲି ଗ୍ରାମବାସୀଙ୍କ ତରଫରୁ ପ୍ରଦୂଷଣ ପାରିପାର୍ଶ୍ୱିକ ଉନ୍ନତି ତଥା ବିସ୍ଥାପନ କୁ ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଆଗରୁ ମଧ୍ୟ ଏହିଭଳି ଭାବରେ ଏନଏଲସି କତୃପକ୍ଷଙ୍କ ତରଫରୁ ବିଭିନ୍ନ ସମୟରେ ଆଲୋଚନା କରାଯାଇ ପ୍ରତିଶୃତି ଗୁଡିକ ପୂରଣ କରିବା ପାଇଁ ସହମତି ପ୍ରକାଶ କରିଥିଲା ମାତ୍ର ଏ ପର୍ଯ୍ୟନ୍ତ ଉକ୍ତ ପ୍ରତିଶ୍ରୁତି ଗୁଡିକ ପାଳନ କରିନଥିବା ଅଭିଯୋଗ କରିଛନ୍ତି । ଝାରସୁଗୁଡା ଜିଲ୍ଲାରେ ଏହିଭଳି ଭାବରେ ବିଭିନ୍ନ ଶିଳ୍ପସଂସ୍ଥା ଗୁଡିକ ପ୍ରତିଶ୍ରୁତି ପାଳନ କରୁ ନଥିବାରୁ ଲୋକ ମାନଙ୍କମନରେ ଆନେ୍ଦାଳନାତ୍ମକ ଭାବନା ସୃଷ୍ଟି ହେଉଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ତଥା ସ୍ଥାନୀୟ ଜନ ପ୍ରତିନିଧି ମାନେ ହସ୍ତକ୍ଷେପ କରିବା ପାଇଁ ଦାବି ହେଉଛି ।