ବୁଥସ୍ତରୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ 

ନବରଙ୍ଗପୁର: ନିର୍ବାଚନ ସଂକ୍ରାନ୍ତୀୟ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଯାୟୀ ନବରଙ୍ଗପୁର ଜିଲ୍ଲାରେ ବୁଥସ୍ତରୀୟ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଉଛି । ଚଳିତ ମାସ ଜୁଲାଇ ୮ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ତାଲିମ ଦିଆଯିବ । ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩୬ ଓ ଝରିଗାଁ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫୦ ଜଣ ତାଲିମ ନେଇଛନ୍ତି ।  ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତପନ ଖୁଣ୍ଟିଆ ସମେତ ଝରିଗାଁ ମଧୁସୂଦନ ମାଝୀ, ଉମରକୋଟ ବିଡିଓ ମନୋଜ କୁମାର ମେହେର, ଚନ୍ଦାହାଣ୍ଡି ବିଡିଓ ଚୟନୁ ଗଣ୍ଡ ଓ ବିଏଲଓ ସୁପରଭାଇଜର ସତ୍ୟବ୍ରତ କର ତାଲିମ ପ୍ରଦାନ କରିଥିଲେ । ପରେ ଶିବିରରେ ଯୋଗ ଦେଇଥିବା ବୁଥସ୍ତରୀୟ ଅଧିକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ତେନ୍ତୁଳିଖୁଣ୍ଟି ବ୍ଲକ୍ ଠାରେ ୭୫ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୪୧ଜଣ ବୁଥସ୍ତରୀୟ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଓ ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଯୋଗ ଦେଇଥିଲେ । ସେହିଭଳି ଡ଼ାବୁଗାଁ ବିଧାନସଭା ମଣ୍ଡଳୀ ପାଇଁ ପାପଡ଼ାହାଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ୫୦ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି ।