ଅନ୍ଧାରରେ ଫୁଲଝର-ବାଙ୍ଗରକୋଟା ରାସ୍ତା

 ଟମକା : ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ଅନ୍ତର୍ଗତ ଫୁଲଝର-ବାଙ୍ଗରକୋଟା ରାସ୍ତାଟି ବିପଦପୂର୍ଣ୍ଣ ପାଲଟିଛି । ରାସ୍ତାଟି ଦୀର୍ଘ ବର୍ଷ ହେବ ଅନ୍ଧାରରେ ରହିଥିବା ବେଳେ, ରାତିରେ ଏହି ରାସ୍ତାରେ ଯାତାୟାତ କରିବା ପାଇଁ ସାଧାରଣ ଜନତା ଭୟ ଅନୁଭବ କରୁଛନ୍ତି । ତେବେ ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କା ବ୍ୟୟବରାଦ ହେଉଥିବା ବେଳେ, ରାସ୍ତାର ଆଲୋକିକରଣ ବ୍ୟବସ୍ଥା ଦିଗକୁ ସମସ୍ତେ ଅଣଦେଖା କରି ଚାଲିଛନ୍ତି । ପତ୍ତ ବିଭାଗ ଅଧିନସ୍ଥ ଉକ୍ତ ୧୦କି.ମି ବିଶିଷ୍ଟ ଫୁଲଝର-ବାଙ୍ଗରକୋଟାରାସ୍ତାଟି ବ୍ୟସ୍ତବହୁଳ ରାସ୍ତା ଅଟେ । ଦାନଗଦୀ ବ୍ଲକ୍ ର ଗୋବର୍ଦ୍ଧନପୁର, ବାଙ୍ଗରକୋଟା, ଟୋଲକାନୀ, ଚିତ୍ରୀ, ନଚ୍ଛିପୁରା, ଉଚ୍ଚବାଲି, ତୁରା, ସମେତ ପଡୋଶି କେନ୍ଦୁଝର ଜିଲାର କେତୋଟି ପଞ୍ଚାୟତର ଗ୍ରାମବାସୀଙ୍କ ଗମନା ଗମନର ଏହା ଏକ ପ୍ରମୁଖ ରାସ୍ତା । ବିଶେଷ କରି ଏହି ସବୁ ଅଂଚଳରେ ବସବାସ କରୁଥିବା ମେହନତି ଖଟିଖିଆ ମଜଦୁରଙ୍କ ଠାରୁ ଅରମ୍ଭ କରି ବ୍ୟବସାୟୀଙ୍କ ପାଇଁ ଏହି ରାସ୍ତା ଏକ ଲାଇଫଲାଇନ୍ । ତେବେ ରାତି ହେଲେ ଏହି ରାସ୍ତାର ଗୋବର୍ଦ୍ଧନପର ଠାରୁ ବାଙ୍ଗରକୋଟା ପର୍ଯ୍ୟନ୍ତ ପାଖାପାଖି ୩କି.ମି ରାସ୍ତା ଲୋକଙ୍କୁ ଡରାଉଛି । ରାସ୍ତାଟି ଅନ୍ଧକାରମୟ ହୋଇ ପଡୁଥିବା ବେଳେ ସନ୍ଧ୍ୟା ହେଲେ ଲୋକମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଜଅଁର ଗ୍ରାମ ପାଖ କାଜୁ ଜଙ୍ଗଲ ରାସ୍ତାରେ ଏକାଧିକ ବାର ଛିନତାଇ ଘଟଣା ପୂର୍ବରୁ ଘଟିଥିବା ବେଳେ ଏହି ଭୟ ଲୋକଙ୍କୁ ଭୟଭିତ କରୁଛି । ବିଶେଷ କରି କଳିଙ୍ଗନଗର କଳ କାରଖାନା ହେଉ ଅବା ଖଣି ଅଂଚଳରୁ ବିଳମ୍ବିତ ରାତ୍ରୀରେ କାର୍ଯ୍ୟ ସାରି ଆସୁଥିବା ଲୋକମାନଙ୍କ ମନରେ ଏହି ଭୟ ରହିଛି । ସେହିପରି ଭାବେ ନିଜ ପରିବାର ସହ ଅନ୍ୟ ସ୍ଥାନକୁ ବିଭିନ୍ନ କାର୍ଯ୍ୟରେ ଯାଉଥିବା ସ୍ଥାନୀୟ ଅଂଚଳର ଲୋକମାନେ ରାତ୍ରୀ ଫେରିବା ବେଳକୁ ଟିକେ ବିଳମ୍ବ ହେଲେ ତାଙ୍କ ମନରେ ବିଭିନ୍ନ ଦୁଃଚିନ୍ତା ଘାରୁଥିବା ପରିଲକ୍ଷିତ ହେଉଛି । ତେବେ ଉକ୍ତ ରାସ୍ତାଟିର ସମ୍ପ୍ରସାରଣ ହେଉ କିମ୍ବା ଉନ୍ନତୀକରଣକୁ ପ୍ରାକ୍ତନ ବିଜେଡି ସରକାର ଗୁରୁତ୍ୱ ଦେଇଥିଲେ ସୁଦ୍ଧା ଏହି ରାସ୍ତାରେ ଆଲୋକୀକରଣ ବ୍ୟବସ୍ଥା ଦିଗରେ ଚିନ୍ତା ନ କରିବା ଘଟଣା ଲୋକଙ୍କ ମନରେ ଭୟ ସଂଚାର କରୁଛି । ସ୍ଥାନୀୟ ବିଧାୟକ ପ୍ରଦୀପ ବଳ ସାମନ୍ତ ଏହାକୁ ଗୁରୁତ୍ୱ ଦେଇ ରାସ୍ତାର ଆଲୋକିକରଣ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି କରାଯାଇଛି ।